AG square: ଏଜି ଛକରେ ହେବ ଦୁଇଥାକିଆ ଭୂତଳ ରାସ୍ତା

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ଏବେ ରାସ୍ତାଘାଟ ଓ ନିର୍ମାଣ ଭିତ୍ତିଭୂମିକୁ ଗୁରୁତ୍ବ ଦେଉଛନ୍ତି। କେନ୍ଦ୍ର ସରକାର ବି ପୂରା ସହଯୋଗ କରୁଛନ୍ତି। ପ୍ରକଳ୍ପ ପାଇଁ ଅର୍ଥ ବାଧକ ନାହିଁ।

dgjdgjgjgj

Photograph: (Odisha TV)

ଭୁବନେଶ୍ୱର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ଏବେ ରାସ୍ତାଘାଟ ଓ ନିର୍ମାଣ ଭିତ୍ତିଭୂମିକୁ ଗୁରୁତ୍ବ ଦେଉଛନ୍ତି। କେନ୍ଦ୍ର ସରକାର ବି ପୂରା ସହଯୋଗ କରୁଛନ୍ତି। ପ୍ରକଳ୍ପ ପାଇଁ ଅର୍ଥ ବାଧକ ନାହିଁ। ତେଣୁ ସମସ୍ତ ପ୍ରକଳ୍ପକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜାତୀୟ ରାଜପଥ, ରାଜ୍ୟ ରାଜପଥର ଅଗ୍ରଗତି ସମେତ କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍‌, ଆସ୍କା ବାଇପାସ୍‌, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ଓଏମ୍‌ପି-କନ୍ଦରପୁର-ପାରାଦ୍ୱୀପ ଆଦି ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ପୂର୍ତ୍ତ ରାସ୍ତା କାମ ଠିକ୍‌ ସମୟରେ ସାର: ମନ୍ତ୍ରୀ

ଏହାସହ ବୈଠକରେ ଭୁବନେଶ୍ୱର ସହରର ଭିଡ଼ ନିୟନ୍ତ୍ରଣ ପାଇଁ ଜୟଦେବ ବିହାରଠାରୁ ନନ୍ଦନକାନନରେ ରାସ୍ତାର ପ୍ରଶସ୍ତୀକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ ଏବଂ ଏହାର ସଂଯୋଗୀକରଣ ରାସ୍ତା, ଏମ୍‌ସକୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍‌ ରାସ୍ତା, କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍‌ ରାସ୍ତା ସହ ଏଜି ଛକରେ ଟ୍ରାଫିକ୍‌ ସମସ୍ୟା ହ୍ରାସ ପାଇଁ ଦୁଇ ଥାକିଆ ରାସ୍ତାର ପରିକଳ୍ପନା ନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିଛି ଯେ ଏଜି ଛକରେ ଭିଡ଼ କମାଇବା ପାଇଁ ଏକ ଭୂତଳ ରାସ୍ତା ନିର୍ମାଣ ହୋଇପାରେ। ଏହି ରାସ୍ତା ଏଜି ଛକର ୧୦୦ ମିଟର ପୂର୍ବରୁ (କ୍ୟାପିଟାଲ ହସ୍ପିଟାଲ ପାର୍ଶ୍ବରୁ) ଆରମ୍ଭ ହୋଇ ଜୟଦେବ ଭବନ ନିକଟରେ ଶେଷ ହେବ। ଏହାଦ୍ବାରା ରାଜଭବନରୁ ରାଜମହଲ ପାର୍ଶ୍ବକୁ ଏବଂ ରାଜମହଲରୁ ରାଜଭବନ ପାର୍ଶ୍ବକୁ ଯାଉଥିବା ଲୋକଙ୍କୁ ଆଉ ଟ୍ରାଫିକ ସିଗନାଲ୍ ପାଇଁ ଅଟକିବାକୁ ପଡ଼ିବନି। ଏହି ଛକଟି ସିଗନାଲ୍‌ବିହୀନ ଛକ ‌ପାଲଟିଯିବ। ଆଜିର ବୈଠକରେ ପୁରୀର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିବା ସହ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାସ୍ତା ମରାମତି ନୀତି ଉପରେ ବୈଠକରେ ଆଲୋଚନା ହୋଇଛି। 

ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍‌ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସ୍ୱାସ୍‌ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂହ, ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର  ସଚିବ ଲକ୍ଷ୍ମୀକାନ୍ତ ପାଢ଼ି, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌) ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ସମୀର ହୋତା,ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା-୧)  ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି-୧)  ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ଯନ୍ତ୍ରୀ(ରାସ୍ତା -୨) ଶିବବ୍ରତ ତରିଆ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନିଲ କୁମାର, ଭୁବନେଶ୍ୱର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦଙ୍କ ସମେତ ଏନ୍‌ଏଚ୍‌ଏଆଇର ବରିଷ୍ଠ ଅଧିକାରୀ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe