ଗଙ୍ଗପଡ଼ାରେ କରୋନା ଆକ୍ରାନ୍ତ ମହିଳା: ଗାଁ ସିଲ୍‌, ସଂଗରୋଧରେ ୨୨

Advertisment
ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ସକାଳ ୫ଟାରୁ ୧୦ ତାରିଖ ମଧ୍ୟ ରାତ୍ରି ଯାଏ ସଟ୍‌ଡାଉନ୍‌, ଘୋଷଣା କଲେ ଜିଲ୍ଲାପାଳ

Representative Image

ଖଣ୍ଡଗିରି: ଚନ୍ଦକା ଥାନା ଭାତଖୁରି ଗାଁରେ ଜଣେ ଆଦିବାସୀ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଙ୍ଗଳବାର ଗଙ୍ଗପଡ଼ା-ଭାତଖୁରି ଗାଁକୁ ସିଲ୍ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ୪୮ ଘଣ୍ଟା ପାଇଁ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରିଛି। ତେବେ ଆଦିବାସୀ ସାହିକୁ ପୂରାପୂରି ସିଲ୍‌ କରାଯାଇଛି। ମହିଳାଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଥିବା ୨୨ଜଣଙ୍କୁ ତୁରନ୍ତ ସେମାନଙ୍କ ଘରୁ ପଞ୍ଚାୟତର ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲିଠାରୁ ସେମାନଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ସେହିଭଳି ଗାଁରେ ଆଉ କିଛି ଲୋକ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଖବର ପ୍ରଚାର ହେବା ପରେ ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଗ୍ରାମାଞ୍ଚଳର ଶ୍ରମଜୀବୀ ଏହି ମହିଳା ଜଣକ କରୋନା ଆକ୍ରାନ୍ତ କାରଣକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି।

ସୂଚନାନୁସା‌‌ରେ, ଦୁଇ ଦିନ ପୂର୍ବେ ଭାତଖୁରି ଆଦିବାସୀ ସାହିର ଏହି ମହିଳାଜଣକ ଥଣ୍ଡା ଜ୍ବର ଚିକିତ୍ସା ପାଇଁ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ସନ୍ଦେହ କରି ଡାକ୍ତର ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ପଠାଇ ଦେଇଥିଲେ। ଏମ୍‌ସରେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯିବା ପରେ ସେ କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା। ତେଣୁ ତୁରନ୍ତ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ଗଙ୍ଗପଡ଼ା ସରପଞ୍ଚ ଗୀତାଞ୍ଜଳି ମହାରଣାଙ୍କୁ ଅବଗତ କରାଯାଇଥିଲା। ସକାଳୁ ଗଙ୍ଗପଡ଼ା-ଭାତଖୁରୀ ଗାଁକୁ ସିଲ୍‌ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ମହିଳାଙ୍କ ସମ୍ପର୍କୀୟ ଓ ତାଙ୍କ ସହ କାମ କରୁଥିବା କିଛି ଲୋକଙ୍କୁ ପଞ୍ଚାୟତ ସଂ‌ଗରୋଧ କେନ୍ଦ୍ରକୁ ନିଆଯାଇଥିଲା। ସାଢ଼େ ୧୨ଟାରେ ଗାଁକୁ ସିଲ୍‌ କରାଯାଇଥିଲା। ଜଟଣୀ ତହସିଲ୍‌ଦାର ପି ଚାନ୍ଦଙ୍କ ସୂଚନାନୁସା‌ରେ, ୪୮ ଘଣ୍ଟା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବଧି ମଧ୍ୟରେ ସଂଗରୋଧ କେନ୍ଦ୍ରକୁ ଆଣାଯାଇଥିବା ୨୨ଜଣଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ସେହିଭଳି ଗାଁରେ ଆଉ କେହି ମହିଳାଙ୍କ ସଂସ୍ପର୍ଶରେ ଥିଲେ, ସେମାନଙ୍କୁ ଠାବ କରାଯିବ ବୋଲି ସେ କହିଛନ୍ତି। ମହିଳାଜଣକ କରୋନା ଆକ୍ରାନ୍ତ ହେବା ଘଟଣାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି। ନିଜ ଗାଁ ଛାଡ଼ି କୁଆଡ଼େ ଯାଇନଥିବା ମହିଳାଙ୍କ ପରିବାରର କେହି ରାଜ୍ୟ ବା ଜିଲ୍ଲା ବାହାରେ ନାହାନ୍ତି। କିନ୍ତୁ ତାଙ୍କର ଗୋଟିଏ ଝିଅ ନିକଟସ୍ଥ ଏକ କମ୍ପାନିରେ କାମ କରନ୍ତି। ମହିଳାଜଣକ ମଧ୍ୟ ନିକଟସ୍ଥ ଏକ ଘରୋଇ କଲେଜରେ ଅଣଓଡ଼ିଆ ରାଜମିସ୍ତ୍ରୀଙ୍କ ସହ କାମ କରିଥିବା ଜଣାପଡ଼ିଛି। ତେଣୁ ଏହି ଦୁଇ ମାଧ୍ୟମରୁ ହିଁ ସେ କରୋନା ସଂକ୍ରମିତ ହୋଇଥିବେ ବୋଲି ବିଶ୍ବାସ କରାଯାଉଛି। ଏହି ଆକଳନକୁ ନେଇ ଉକ୍ତ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe