‘ଆମ ବସ୍‌’ ଚାଳକ, କଣ୍ଡକ୍ଟରଙ୍କ ଆତଙ୍କ: ମହିଳା ଯାତ୍ରୀଙ୍କୁ ଟଣାଓଟରା ସହ ଗୋଇଠା ମାଡ଼

ମଝି ରାସ୍ତାରେ ମହିଳା ଯାତ୍ରୀଙ୍କ ଚୁଟିକୁ ଧରି ଘୋ‌ଷାଡ଼ିଲେ। ବିଧା ଗୋଇଠା ମାରି ୨ଘଣ୍ଟା ଆତଙ୍କ ରଚିଲେ। ସାମାନ୍ୟ ୯୦ ଟଙ୍କାକୁ ନେଇ ଜଣେ ମହିଳା ଯାତ୍ରୀଙ୍କୁ ‘ଆମ ବସ୍‌’ ଚାଳକ ଓ ମହିଳା....

Untitled-3

ଭୁବନେଶ୍ବର: ମଝି ରାସ୍ତାରେ ମହିଳା ଯାତ୍ରୀଙ୍କ ଚୁଟିକୁ ଧରି ଘୋ‌ଷାଡ଼ିଲେ। ବିଧା ଗୋଇଠା ମାରି ୨ଘଣ୍ଟା ଆତଙ୍କ ରଚିଲେ। ସାମାନ୍ୟ ୯୦ ଟଙ୍କାକୁ ନେଇ ଜଣେ ମହିଳା ଯାତ୍ରୀଙ୍କୁ ‘ଆମ ବସ୍‌’ ଚାଳକ ଓ ମହିଳା କଣ୍ଡକ୍ଟରଙ୍କ ଏଭଳି ବ୍ୟବହାର ସବୁ ସୀମା ଟପିଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳ୍ପନା ଛକରେ। ଯାହାର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସ୍ଥିତି ବିଗିଡ଼ିବାରୁ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛି। ସେହିପରି ୨ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଦୁର୍ଘଟଣାକୁ ନେଇ ‘ଆମ ବସ୍‌’ ବଦ୍‌ନାମ ଥିବା ବେଳେ ଏବେ ଆଉ ଏକ ଅପବାଦ ଯୋଡ଼ିହୋଇଛି।  ‘ଆମ ବସ୍‌’ରେ ମହିଳା ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି। 

ସୂଚନା ମୁତାବକ, ଜଣେ ମହିଳା ଯାତ୍ରୀ ଓ ତାଙ୍କର ଭାଇ ରାଜମହଲରୁ ‘ଆମ ବସ୍‌’ରେ ଆସିଥିଲେ। ବସ୍‌ରେ ଆସୁଥିବା ବେଳେ ମହିଳା କଣ୍ଡକ୍ଟର ଜଣଙ୍କ ତାଙ୍କୁ ଭଡ଼ା ବାବଦକୁ ଟଙ୍କା ମାଗିବାରୁ ଅନ୍‌ଲାଇନ୍‌ରେ ଟଙ୍କା ଦେବାକୁ କହିଥିଲେ। ଅନ୍‌ଲାଇନ୍‌ରେ ଟଙ୍କା ନେବାକୁ ମନା କରିବାରୁ ମହିଳା ଯାତ୍ରୀ ଜଣଙ୍କ ୧୦୦ଟଙ୍କା ଦେଇଥିଲେ। କଣ୍ଡକ୍ଟରଙ୍କ ପାଖରେ ଖୁଚୁରା ଟଙ୍କା ନଥିବାରୁ ଟଙ୍କା ଫେରାଇ ନଥିଲେ। ଏକ ଚିରିକୁଟ୍‌ ଦେଇ ବାକି ୯୦ ଟଙ୍କା ଅଫିସ୍‌ରୁ ନେବାକୁ କହିଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଟତୁଣ୍ଡ ଯୋଗୁ ମହିଳା ଯାତ୍ରୀ ଜଣଙ୍କ ବସ୍‌ରୁ ଓହ୍ଲାଇ ଦେବାକୁ କହିଥିଲେ। ହେଲେ ନା ସେମାନେ ଟଙ୍କା ଫେରସ୍ତ କରିଥିଲେ ନା ବସ୍‌ରୁ ଓହ୍ଲାଇ ଦେଇଥିଲେ। କଳ୍ପନା ଛକରେ ଯାତ୍ରୀ ଓହ୍ଲାଇବା ପରେ ବାକି ଟଙ୍କା ଫେରସ୍ତ ପାଇଁ କହିବାରୁ ମହିଳା କଣ୍ଡକ୍ଟର ତାଙ୍କୁ ଗଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ରାଗିଯାଇ ତାଙ୍କ ଚୁଟିକୁ ଧରି ରାସ୍ତାରେ ଘୋଷାଡ଼ିଥିଲେ। ଭଉଣୀଙ୍କୁ ମାଡ଼ମାରୁଥିବା ଦେଖି ଭାଇ ଅଟକାଇବାକୁ ଯିବାରୁ ବସ୍‌ ଚାଳକ ଓହ୍ଲାଇ ପଡ଼ି ମହିଳା ଯାତ୍ରୀଙ୍କୁ ଗୋଇଠା ବିଧା ମାରିଥିଲେ। ଏମିତିକି ତାଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବସ୍‌ କର୍ମଚାରୀଙ୍କ ଆତଙ୍କ ଦେଖି କେହି ଅଟକାଇବାକୁ ସାହସ କରି ନଥିଲେ। ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ  ୨ଘଣ୍ଟା ଧରି ଏଭଳି ଗଣ୍ଡଗୋଳ ଯୋଗୁ ସେଠାରେ ଉତ୍ତେଜନା ବଢ଼ିଥିଲା ଓ ଯାତାୟାତ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଘେରିଯାଇ ହୋହଲ୍ଲା କରିଥିଲେ। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବସ୍‌କୁ ଜବତ କରିବା ସହ ୨ଜଣଙ୍କୁ କାବୁ କରି ଥାନାକୁ ନେବା ପରେ ସ୍ଥିତି ଆୟତ୍ତାଧୀନ ହୋଇଥିଲା। ଏନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଆକ୍ରମଣ ସମୟର କିଛି ଭିଡିଓ ସୋସିଆଲ୍‌ ମିଡିଆରୁ ସଂଗ୍ରହ କରି ପୁଲିସ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe