ଜଳଲାଗି କଲେ ୨୦ ହଜାରରୁ ଅଧିକ କାଉଡ଼ିଆ

ଜଳଲାଗି କଲେ ୨୦ ହଜାରରୁ ଅଧିକ କାଉଡ଼ିଆ

ପୁରୁଣା ଭୁବନେଶ୍ୱର : ଆଜି ଥିଲା ଶ୍ରାବଣ ମାସର ପବିତ୍ର ସୋମବାର। ଏନେଇ ଏକାମ୍ର କ୍ଷେତ୍ରରେ ପ୍ରାୟ ୨୦ ହଜାରରୁ ଅଧିକ କାଉଡ଼ିଆ ବିଭିନ୍ନ ଶିବ ମନ୍ଦିରରେ ଜଳଲାଗି କରିଛନ୍ତି। ସେଥିରୁ କେବଳ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ପ୍ରାୟ ୧୫ ହଜାରରୁ ଅଧିକ କାଉଡ଼ିଆ ପାଣି ଢାଳିଛନ୍ତି। ରବିବାର ଅପରାହ୍‌୍‌ଣରେ କାଉଡ଼ିିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚି ମନ୍ଦିର ନିକଟସ୍ଥ ଅଞ୍ଚଳ, ବିନ୍ଦୁସାଗର, କେଦାର ଗୌରୀ ମନ୍ଦିର ନିକଟରେ ଅପେକ୍ଷା କରିଥିଲେ। ରାତି ୧୨ଟା ପରେ ବହୁ କାଉଡ଼ିଆ ବିନ୍ଦୁସାଗରରୁ ଜଳ ଆଣି ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଭୋର ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆମାନେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ। ଏହି ଅବସରରେ ସେବା ପ୍ରତିନିଧି ପକ୍ଷରୁ ନୀଳମଣି ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସେବା ଶିବିର କରାଯାଇଥିଲା। ତେବେ କାଉଡ଼ିଆମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ କରାଯାଇଥିଲା। ତେବେ ମନ୍ଦିରକୁ ପ୍ଲାଷ୍ଟିକ ସାମଗ୍ରୀ ବାରଣ ହୋଇଥିଲେ ହେଁ ଆଜି ବହୁ ଭକ୍ତ ପ୍ଲାଷ୍ଟିକ କଳସରେ ଜଳ ନେଇଥିବା ଦେଖିବାକୁ ମିଳିଥିଲା।

ରାତି ସାରା ଭଜନ ଗାଇଲେ କଣ୍ଠଶିଳ୍ପୀ

କାଉଡ଼ିଆ ମାନଙ୍କ ମଧ୍ୟରେ ଅଧିକ ଭକ୍ତି ଭାବ ସୃଷ୍ଟି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଲିଙ୍ଗରାଜ ଭଜନ ମଣ୍ଡପଠାରେ ଭଜନ ସମାରୋହର ଆୟୋଜିତ ହୋଇଥିଲା। ତବଲା ବାଦକ ସଚିନ ରଥଙ୍କ ସଂଯୋଜନାରେ ସନ୍ଧ୍ୟା ୫ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସମାରୋହରେ ୪୫ଜଣ ଯୁବ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିଥିଲେ। ଏହାକୁ ଦେଖିବାକୁ କାଉଡ଼ିଆଙ୍କ ସମେତ ବହୁ ଭଜନପ୍ରେମୀଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe