Deccan Herald
ଭୁବନେଶ୍ବର: ମଙ୍ଗଳବାର ରାଜଧାନୀରେ ଘଟିଥିବା ୨ଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୁଣ୍ଡ ଗଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥରେ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଞ୍ଚେଶ୍ବର ଥାନା ହାଇଟେକ୍-କୋରଡ଼କଣ୍ଟା ରାସ୍ତାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
ପୁଲିସ ସୂଚନାନୁସାରେ ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ରାଜପଥ କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିକ୍ଅପ୍ ଭ୍ୟାନ୍ଟି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ପିକ୍ଅପ୍ ଭ୍ୟାନ୍ର ଚାଳକ ଓ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ପରିଚୟ ମିଳିପାରିନାହିଁ। ଇନ୍ଫୋଭ୍ୟାଲି ଥାନା ପୁଲିସ ଗାଡ଼ି ଦୁଇଟିକୁ ଜବତ କରିବା ସହ ମୃତଦେହଦ୍ବୟକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପିକ୍ଅପ୍ ଭ୍ୟାନ୍ଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ପଛରେ ପିଟିହୋଇଯାଇଥିଲା। ଫଳରେ ପିକ୍ଅପ୍ ଭ୍ୟାନ୍ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ତା’ ଭିତରେ ଚାଳକ ଓ ହେଲପର୍ ଚାପି ହୋଇଯାଇଥିଲେ।
ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ୍ କଟର୍ରେ ଗାଡ଼ିକୁ କାଟି ମୃତଦେହଦ୍ବୟକୁ ବାହାର କରିଥିଲେ। ସେହିଭଳି ଦ୍ବିତୀୟ ଦୁର୍ଘଟଣାଟି ଘଟିଥିଲା ମଞ୍ଚେଶ୍ବର ଥାନା ହାଇଟେକ୍-କୋରଡ଼କଣ୍ଟା ରାସ୍ତାରେ। ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ଟି ପିଟିହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ହାଇଟେକ୍ ମୁଣ୍ଡାସାହି ଅଞ୍ଚଳରେ ରହୁଥିବା ମୟୂରଭଞ୍ଜର ବବୁଲ ଟିଙ୍ଗୁଆ(୨୮) ଓ ଦାସ ହଂସଦା(୨୨)। ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଦୁହେଁ ଏକ ବାଇକ୍ରେ ଯାଉଥିଲେ। ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଅଜଣା ଗାଡ଼ି ସାଇଡ୍ ମାରି ଦେବାରୁ ବାଇକ୍ ଚଳାଉଥିବା ବବୁଲ୍ ଭାରସାମ୍ୟ ହାରଇଥିଲେ। ଫଳରେ ବାଇକ୍ଟି ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବାଡ଼େଇ ହୋଇଯାଇଥିଲା। ଘଟଣାସ୍ଥଳରେ ବବୁଲ୍ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କ୍ୟାପିଟାଲ୍ ହସ୍ପିଟାଲକୁ ନେବା ବାଟରେ ଦାସ ହଂସଦାଙ୍କ ମୃତ୍ୟୁ ହୋଇଥିଲା।
Follow Us