ହାଇଟେକ୍‌ ଛକରେ ଦୁର୍ଘଟଣା: ପୁଣି ଭୁଶୁଡ଼ିଲା ଟ୍ରାଫିକ୍‌ ପରିଚାଳନା

ହାଇଟେକ୍‌ ଛକରେ ଦୁର୍ଘଟଣା: ପୁଣି ଭୁଶୁଡ଼ିଲା ଟ୍ରାଫିକ୍‌ ପରିଚାଳନା

ଭୁବନେଶ୍ବର: କିଛି ଦିନ ତଳେ ରସୁଲଗଡ଼ ଛକ ପେଟ୍ରୋଲ୍‌ ପମ୍ପ ନିକଟରେ ଏକ ଟ୍ରକ୍‌ ବ୍ରେକ୍ ଡାଉନ୍ ହେବା ଯୋଗୁଁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ଆଜି ପୁଣି ସେହିଭଳି ଘଟଣା ଘଟିଛି। ପୁଣି କମିସନରେଟ ପୁଲିସର ଦୁର୍ବଳ ଟ୍ରାଫିକ୍‌ ପରିଚାଳନା ପଦାରେ ପଡ଼ିଛି। ହାଇଟେକ୍‌ ଛକ ନିକଟରେ ଲାଗିଥିବା ଲୁହା ବାଡ଼ରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଖାପାଖି ଦୁଇ ଘଣ୍ଟାକାଳ ଚକା ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଭୁବନେଶ୍ବରରୁ-କଟକ ଯାଉଥିବା ଗାଡ଼ିଗୁଡ଼ିକ ପଛକୁ ପଛ ରାସ୍ତାରେ ଛିଡ଼ା ହୋଇ ରହିଥିଲା। ସାଧାରଣ ଲୋକେ ଭିଡ଼ରେ ଫସିରହି ନାକେଦମ୍‌ ହୋଇଥିଲେ। ହେଲେ ଟ୍ରାଫିକ୍‌ ଜାମ୍‌ ହଟାଇବାକୁ ପୁଲିସ ସେଭଳି ତତ୍ପରତା ଦେଖାଇନଥିଲା ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ଅଟକି ରହିଥିବା ଗାଡ଼ିଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

publive-image

ଭୁବନେଶ୍ବରରୁ କଟକ ଆଡକୁ ଯିବା ରାସ୍ତାର କୁଆଖାଇ ନଦୀ ଉପରେ ଥିବା ସେତୁଟି ଦୁର୍ବଳ ହେବା ଯୋଗୁଁ ସେଥିରେ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇଛି। ତେଣୁ ହାଇଟେକ୍‌ ଛକ ନିକଟରେ ଏକ ପ୍ରତିବନ୍ଧକ ଲଗାଯାଇଛି। ଆଜି ରାତି ପ୍ରାୟ ୮ଟା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେହି ବାଟ ଦେଇ ଯାଉଥିବା ବେଳେ ଗାଡ଼ିର ଡାଲାଟି ଲୁହା ବାଡ଼ରେ ଲାଗି ଯାଇଥିଲା। ଫଳରେ ଗାଡ଼ିର ମଝିରେ ଲୁହା ବାଡ଼ ଭୁଶୁଡ଼ି ପଡ଼ିଥିଲା। କଟକ ଆଡକୁ ଯିବା ପାଇଁ ଅନ୍ୟ ଏକ ରାସ୍ତା ଥିଲେ ମଧ୍ୟ ଗାଡ଼ି ସଂଖ୍ୟା ଅଧିକ ଥିବାରୁ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା।

ନାକେଦମ୍‌ ହେଲେ ସାଧାରଣ ଜନତା
ଅଟକି ରହିଲା ଶହଶହ ଗାଡ଼ି
ପୁଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

କିଛି ସମୟ ମଧ୍ୟରେ ଗାଡ଼ି ଜାମ୍‌ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ରାତି ୮ଟାରୁ ୧୦ଟା ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରାଫିକ୍‌ ସମସ୍ୟା ଲାଗି ରହିଥିଲେ ହେଁ ଜାମ୍‌ ହଟାଇବା ପାଇଁ ପୁଲିସର ସେଭଳି ତତ୍ପରତା ଦେଖିବାକୁ ମିଳିନଥିଲା। ଏଭଳି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପୁଲିସ ନଥିବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe