ଜୀବନ ନେଲା ଟ୍ରାଫିକ୍‌ ଜାମ୍‌: ସତ୍‌ସଙ୍ଗବିହାର ଛକରେ ଅଘଟଣ

କାର୍‌ ପିଟିଲା, ବସ୍‌ ମାଡ଼ିଗଲା, ବିଳମ୍ବରେ ଆସିଲା ଆମ୍ବୁଲାନ୍‌ସ

ଜୀବନ ନେଲା ଟ୍ରାଫିକ୍‌ ଜାମ୍‌: ସତ୍‌ସଙ୍ଗବିହାର ଛକରେ ଅଘଟଣ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ଜଣାଶୁଣା ବ୍ଲାକ୍‌ସ୍ପଟ୍‌ ସତ୍‌ସଙ୍ଗବିହାର ଛକରେ ପୁଣି ଏକ ଜୀବନ ଯାଇଛି। ଆଜି ସନ୍ଧ୍ୟାରେ ଏହି ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାଲିଆସାହି ଅଞ୍ଚଳରେ ରହୁଥିବା ସୂର୍ଯ୍ୟମଣି ବେହେରା(୫୦)। ବସ୍‌ ମାଡ଼ିଯିବା ପରେ ସୂର୍ଯ୍ୟମଣି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ପଡ଼ିରହିଥିଲେ। ଆମ୍ବୁଲାନ୍‌ସ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ଜୀବନଦୀପ ଲିଭିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଘଟଣାଟି ଆଜି ରାଜଧାନୀର ଟ୍ରାଫିକ୍‌ କୁପରିଚାଳନାର ନଗ୍ନ ଚିତ୍ର ବଖାଣିଛି ଏବଂ ଏନେଇ ଘୋର୍‌ ଉଦ୍‌ବେଗ ପ୍ରକାଶ ପାଇଛି। ସବୁଦିନ ଭଳି ଏହି ଛକରେ ଆଜି ଟ୍ରାଫିକ୍‌ ଜାମ୍‌ ହୋଇଥିଲା ଏବଂ କେବଳ ଏହି କାରଣରୁ ହିଁ ସୂର୍ଯ୍ୟମଣିଙ୍କ ମୃତ୍ୟୁ ହେଲା ବୋଲି କୁହାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ସୂର୍ଯ୍ୟମଣି ରସୁଲଗଡ଼ରୁ ତାଙ୍କ ବାଇକ୍‌ ଯୋଗେ ବାଣୀବିହାର ଆଡ଼କୁ ଆସୁଥିଲେ। ସେତେବେଳେ ‌ସତ୍‌ସଙ୍ଗବିହାର ସର୍ଭିସ୍‌ ରୋଡ୍‌ରେ ଟ୍ରାଫିକ୍‌ ଜାମ୍‌ ରହିଥିଲା। ଫଳରେ ସର୍ଭିସ୍‌ ରୋଡ୍‌ର ଭିଡ଼ ମୁଖ୍ୟ ରାସ୍ତାକୁ ମାଡ଼ି ଆସିଥିଲା। ତେଣୁ ସୂର୍ଯ୍ୟମଣି ତାଙ୍କ ବାଇକ୍‌ର ଗତି କମାଇଥିଲେ। ଏତିକିବେଳେ ପଛରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। କାର୍‌ ଧକ୍କାରେ ସୂର୍ଯ୍ୟମଣି ବାଇକ୍‌ରୁ ଛିଟିକି ରାସ୍ତା ଉପରେ ପଡ଼ିଥିଲେ। ଏହି ସମୟରେ ମୁଖ୍ୟ ରାସ୍ତ‌ାରେ ଯାଉଥିବା ଏକ ବସ୍‌ ତାଙ୍କୁ ଉପରେ ମାଡ଼ି ଯାଇଥିଲା। ବସ୍‌ଟି ତାଙ୍କ ଗୋଡ଼ରେ ଚଢ଼ିଯିବା ସହ ତାଙ୍କୁ କିଛି ଗଜ ଦୂରକୁ ଘୋଷାରି ନେଇ ଅଟକିଥିଲା। ଉପସ୍ଥିତ ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବସ୍‌ ଚକ ତଳୁ ଉଦ୍ଧାର କରିଥିଲେ। ଅନ୍ୟମାନେ ସହିଦନଗର ଥାନା ପୁଲିସ ଓ ଆମ୍ବୁଲାନ୍‌ସକୁ ଫୋନ୍‌ କରି ଜଣାଇଥିଲେ। ଉଭୟ ପୁଲିସ ଓ ଆମ୍ବୁଲାନ୍‌ସ ପହଞ୍ଚିବାରେ ବିଳମ୍ବ କରିଥିଲେ। ପରେ ପୁଲିସ ପହଞ୍ଚିଥିଲା, କିନ୍ତୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ଆମ୍ବୁଲାନ୍‌ସ ଆସିପାରିନଥିଲା। ପରେ ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍‌ସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ସେତେବେଳକୁ ପ୍ରଚୁର ରକ୍ତସ୍ରାବ ହୋଇ ସାରିଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜିର ଏଭଳି ଏକ ଅଭାବନୀୟ ଘଟଣା ପାଇଁ ଲୋକେ ଟ୍ରାଫିକ୍‌ ପରିଚାଳନା ଓ ଆମ୍ବୁଲାନ୍‌ସ ସେବାକୁ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe