ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ , ବାରଙ୍ଗ-ପିତାପଲ୍ଲୀ ରାସ୍ତା ଅବରୋଧ

ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ , ବାରଙ୍ଗ-ପିତାପଲ୍ଲୀ ରାସ୍ତା ଅବରୋଧ

ଭୁବନେଶ୍ବର/ବାରଙ୍ଗ: ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଦୁର୍ଘଟଣାରେ ଆହତ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ଶହଶହ ‌ସଂଖ୍ୟାରେ ଦାରୁଠେଙ୍ଗ ପଞ୍ଚାୟତ ବାସିନ୍ଦା ସ୍ବତଃପ୍ରବୃତ୍ତ ଭାବରେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଥିଲେ। ଟାୟାର ଜାଳି ଚନ୍ଦକା-ବାରଙ୍ଗ ରାସ୍ତା ଅବରୋଧ କରିବା ସହ ବିଏମ୍‌ସି ବିରୋଧରେ ନାରାବାଜି କରିଥିଲେ। ଏଠାରେ ଆଉ ଆବର୍ଜନା ପଡ଼ିବ ନାହିଁ ଓ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସେମାନେ ରାସ୍ତା ଉପରେ ବସି ରହିଥିଲେ। ଏଣିକି ବିଏମ୍‌ସି ଆବର୍ଜନା ଆଣିଲେ ପରିସ୍ଥିତି ଆହୁରି ଉଗ୍ରରୂପ ନେବ ବୋଲି ଅନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

ବହୁ ବିଳମ୍ବରେ ଉପଜିଲ୍ଲାପାଳ, ତହସିଲଦାର ଓ ପୁଲିସ୍‌ ଏସିପି ଆସି ଆଲୋଚନା କରିଥିଲେ ମଧ୍ୟ ବିଏମ୍‌ସିର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇନଥିଲେ। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମବାସୀମାନେ ଆଉ ବୁଝାମଣା ପରିସ୍ଥିତିରେ ନାହାନ୍ତି। ଡମ୍ପିଂୟାର୍ଡକୁ ଆଉ ଆବର୍ଜନା ନଯିବା ଥୟ ହୋଇଛି। ଏଣେ ଟିଟିଏସ୍‌ ଭର୍ତ୍ତି ହେବାକୁ ବସିଛି। ଆଗକୁ ସ୍ବାଧୀନତା ଦିବସ ଆସୁଛି। ଏଭଳି ଦିନରେ ସହରରୁ ଆବର୍ଜନା ନ ଉଠିଲେ ଉତ୍କଟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି।

ଗତ ୮ ତାରିଖ ଦିନ ଦାରୁଠେଙ୍ଗର ଭୁଆସୁଣି ଡମ୍ପିଂୟାର୍ଡକୁ ଆବର୍ଜନା ନେଇ ଯାଉଥିବା ଟ୍ରକ ଧକ୍କାରେ ସ୍ଥାନୀୟ ଅଞ୍ଚଳର ରେସମ ରାଉତରାୟ(୨୨) ଆହତ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଏକ ଘରୋଇ ହସ୍‌ପିଟାଲ୍‌ରେ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ସହ ଆବର୍ଜନା ପକାଇବା ବନ୍ଦ ଦାବିରେ ସକାଳୁ ସ୍ଥାନୀୟ ଲୋକ ଧାରଣାରେ ଦେଇଥିଲେ। ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ ପାହାଡ଼ସିଂହ, ତପନ କୁମାର ବଳିଆରସିଂହ ଓ ସଂଗ୍ରାମ ପ୍ରଧାନଙ୍କ ସମେତ ଶତାଧିକ ଲୋକ ଦାରୁଠେଙ୍ଗ ବସ୍‌ଷ୍ଟାଣ୍ଡ ଛକରେ ଅପରାହ୍ନ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ।

ସାମିଲ ହେଲେ ସବୁ ଦଳର ନେତା
ଲୁଚିଲେ ବିଏମ୍‌ସି ଅଧିକାରୀ, ଘଟଣାସ୍ଥଳକୁ ଗଲେନି
ବୁଝାମଣା ପରିସ୍ଥିତିରେ ନାହାନ୍ତି ଗ୍ରାମବାସୀ
ଏପଟେ ଟିଟିଏସ୍‌ ଭର୍ତ୍ତି, ଆଗକୁ ସ୍ଥିତି ସଙ୍ଗିନ ହେବ

ପରେ ଅପରାହ୍ନରେ ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାକୁ ଯାଇ ସେଠାରେ ଧାରଣାରେ ବସିଥିଲେ। ଧାରଣାରେ ସବୁ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଡାକ୍ତର ବେହେରା, ଲୁଲୁ ବଡଜେନାଙ୍କ ପ୍ରମୁଖ ଧାରଣାରେ ଯୋଗ ଦେଇ ଲୋକଙ୍କ ଦାବିକୁ ନୈତିକ ସମର୍ଥନ ଜଣାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ୧୦ ଜଣ ପୁଲିସ ଅଧିକାରୀଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ଅପରାହ୍ନ ସାଢ଼େ ୪ଟାରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭୁବନେଶ୍ବର ତହସିଲଦାର ପ୍ରଦୀପ ସାହୁ, ଭୁବନେଶ୍ବର ଏସିପି ରମେଶ ଚନ୍ଦ୍ର ବିଶୋଇ ଧାରଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଅଗଷ୍ଟ ୧୫ ପରେ ଗ୍ରାମକୁ ଆସି ଅଧିକାରୀମାନେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସ୍ଥାୟୀ ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବିଧାୟକ ଶ୍ରୀ ରାଉତରାୟଙ୍କ ଅଭିଯୋଗ ମୁତାବକ, ୧୪ ବର୍ଷ ହେଲା ଏଠାରେ ବିବାଦ ଲାଗି ରହିଛି। ବିଏମ୍‌ସି ଜୋରଜବରଦସ୍ତ ଏଠାରେ ଆବର୍ଜନା ଗଦା କରୁଛି। ଏଥିପାଇଁ ଏକାଧିକବାର ସ୍ଥାନୀୟ ଲୋକଙ୍କୁ ବାନ୍ଧି ଜେଲ୍‌ରେ ମଧ୍ୟ ପୂରାଇଛି। ଆବର୍ଜନା ପକାଯାଉଥିବା ଜାଗାର ସୀମାରେ ବିଏମ୍‌ସି ବୃକ୍ଷରୋପଣ କରିବାକୁ କହିଥିଲା। ଫଳରେ ପଲିଥିନ୍‌ ଓ ଅନ୍ୟାନ୍ୟ ବର୍ଜ୍ୟ ଉଡ଼ି ଜନବସତିରେ ପଶିନଥା’ନ୍ତା। ହେଲେ ତାହା କଲା ନାହିଁ। ନିକଟ ଅତୀତରେ ବିଏମ୍‌ସିରେ ବୈଠକ ହୋଇଥିଲା। ଆଉ ନୂଆ ଆବର୍ଜନା ନ ପକାଇ ବାୟୋମାଇନିଂ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ସମସ୍ତେ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ କ’ଣ ହେଲା କେଜାଣି ତାକୁ କଲେ ନାହିଁ। ପୁଣି ଯୋଉ କଥାକୁ ସେଇ କଥା ହେଲା। ବୁଲି ବୁଲି ଜାଗା ଖୋଜିଲେ। ଯଥେଷ୍ଟ ପରିମାଣରେ ଏମ୍‌ସିସି ବି କଲେନି। ଏବେ କୌଣସି ପରିସ୍ଥିତିରେ ଏଠାକୁ ଆ‌ଉ ଆବର୍ଜନା ଗାଡ଼ି ଛଡ଼ା ଯିବନି। ଏବେ ଯାହା ପରିସ୍ଥିତି ହେବ ସେଥିପାଇଁ ବିଏମ୍‌ସି ହିଁ ଦାୟୀ ବୋଲି ସେ କହିଛନ୍ତି।

publive-image

ଆବର୍ଜନା ବନ୍ଦ ହେବା ଚେତାବନୀ ପାଇବା ପରେ ବିଏମ୍‌ସି ଅକଲ ଗୁଡ଼ୁମ୍‌ ହୋଇଛି। ପୂର୍ବରୁ ଡମ୍ପିଂୟାର୍ଡ ପାଇଁ ଜାଗା ଖୋଜି ଖୋଜି ବିଏମ୍‌ସି ହତାଶ ହୋଇଛି। ଏ ଯାଏଁ ଯଥେଷ୍ଟ ପରିମାଣର ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରସ୍ତୁତ ହୋଇ ପାରିନାହିଁ। ଏଣୁ ସହରରୁ ବାହାରୁଥିବା ଆବର୍ଜନା ତୁରନ୍ତ ପରିଚାଳନା ହେବା ଭଳି ବିଏମ୍‌ସିର କୌଣସି ବ୍ୟବସ୍ଥା ନାହିଁ କିମ୍ବା ଆବର୍ଜନା ପାଇଁ ଡମ୍ପିଂୟାର୍ଡ ବି ନାହିଁ। ଏଣେ ଟିଟିଏସ୍‌ ଭର୍ତ୍ତି ହେବାକୁ ବସିଲାଣି। ବିଏମ୍‌ସି ହାତରେ ଯଥେଷ୍ଟ ସମୟ ଥିଲେ ମଧ୍ୟ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ ନ ନେବାରୁ ଏଭଳି ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଯେତେବେଳେ ସ୍ଥାନୀୟ ବାସିନ୍ଦା ଆଲୋଚନା ପାଇଁ ରାଜି ଥିଲେ ବିଏମ୍‌ସିର ବରିଷ୍ଠ ଅଧିକାରୀ ଗଲେ ନାହିଁ। ତଳତଳିଆ କର୍ମଚାରୀଙ୍କୁ ପଠାଇ ପରିସ୍ଥିତିକୁ ବିଗାଡ଼ି ଦେଲେ। ଗତ ରବିବାର ଦୁର୍ଘଟଣା ହେବା ପରେ ଏବେ ବାଟ ବନ୍ଦ ହୋଇ ଯାଇଛି। ଏ ନେଇ ବିଏମ୍‌ସିର ବରିଷ୍ଠ ଅଧିକାରୀ ମୁହଁ ଖୋଲୁ ନାହାନ୍ତି। ଘଟଣାସ୍ଥଳକୁ ନ ଯାଇ ଅଧିକାରୀମାନେ ଗୁପ୍ତ ବୈଠକ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe