ସ୍କର୍ପିଓ ଧକ୍କାରେ ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

Advertisment
ସ୍କର୍ପିଓ ଧକ୍କାରେ ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖଣ୍ଡଗିରି: ବୁଧବାର ଭୋର୍ ପ୍ରାୟ ୫ଟା ସମୟରେ ସ୍ଥାନୀୟ ନାକା ଗେଟ୍ ନିକଟରେ ଘଟିଥିବା ଦୁର୍ଘଟଣାରେ ସ୍ଥାନୀୟ ଚାଳବସ୍ତିର ଲାବଣ୍ୟ ସ୍ବାଇଁ(୪୫)ଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଖଣ୍ଡଗିରି ଚନ୍ଦକା ରାସ୍ତାକୁ ପ୍ରାୟ ୪ ଘଣ୍ଟା ଅବରୋଧ କରିବାରୁ ଲୋକେ ବଡ଼ ହିନସ୍ତା ହୋଇଥିଲେ। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ପାଇଁ ପୁଲିସ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ। ସୂଚନାନୁସାରେ ଚାଳବସ୍ତିରେ ରହୁଥିବା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ଗାଁର ଧନୁ ସ୍ବାଇଁଙ୍କ ସ୍ତ୍ରୀ ଲାବଣ୍ୟ ଆଜି ଭୋର୍ ପ୍ରାୟ ୫ଟାବେଳେ ଖଣ୍ଡଗିରି-ଚନ୍ଦକା ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏତିକିବେଳେ ଘାଟିକିଆ ଦିଗରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡ଼କୁ ଦ୍ରୁତବେଗରେ ଯାଉଥିବା ଏକ ସ୍କର୍ପିଓ(ଓଡି୦୨ ଡି-୫୫୮୮) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଲାବଣ୍ୟ ଛିଟିକି ପଡ଼ି ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର୍ ହେବା ପାଇଁ ଉଦ୍ୟମ କରୁକରୁ ଗାଡ଼ିଟି ପୁଣି ଡିଭାଇଡର୍ ଡେଇଁ ରାସ୍ତାର ଅପରପାର୍ଶ୍ବକୁ ଚାଲି ଯାଇଥିଲା। ଫଳରେ ଗାଡ଼ି ଚାଳକ ଗାଡ଼ି ଛାଡ଼ି ଥାନାରେ ଆତ୍ମସମର୍ପଣ କରିଥିଲା। ଡ୍ରାଇଭର୍‌କୁ ଗିରଫ କରିବା ଓ ଗାଡ଼ି ମାଲିକଙ୍କଠାରୁ କ୍ଷତିପୂରଣ ଦାବି କରି ଲୋକେ ରାସ୍ତା ବନ୍ଦ କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୁଲିସ ହସ୍ପିଟାଲକୁ ପଠାଇବାକୁ ନେବାବେଳକୁ ଲୋକେ ଛାଡ଼ିନଥିଲେ। ପୂର୍ବାହ୍ଣ ପ୍ରାୟ ୧୧ଟା ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଗଲା। ତେବେ ଶେଷରେ ଡ୍ରାଇଭର ଗିରଫ ହୋଇଥିବା ଓ ସରକାରୀ ସହାୟତା ସହ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ପୁଲିସ ବୁଝାଇବା ପରେ ଲୋକେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe