ବାଲି ବିଛାଇଛି ଦୁର୍ଘଟଣା ଜାଲ

Advertisment

ଓଭରବ୍ରିଜ୍‌ କଡ଼ରେ ପାଦେ ଉଚ୍ଚର ବାଲି

ଓଭରବ୍ରିଜ୍‌ କଡ଼ରେ ପାଦେ ଉଚ୍ଚର ବାଲି

ବାଲି ବିଛାଇଛି ଦୁର୍ଘଟଣା ଜାଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଭିଡ଼ କମାଇବା ପାଇଁ ୪ଟି ଓଭରବ୍ରିଜ୍‌ ନିର୍ମାଣ କରାଯାଇଛି। କିନ୍ତୁ ସଫେଇ ଅଭାବରୁ ଏବେ ଏହା ମରଣଯନ୍ତା ପାଲଟିଛି। ଏହି ୪ଟି ଯାକ ଓଭରବ୍ରିଜ୍‌ର ବିଭିନ୍ନ ସ୍ଥାନରେ ବାଲି ଜମି ରହୁଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷକରି ବରମୁଣ୍ଡା ଛକ ସାମ୍ନା ଓଭରବ୍ରିଜ୍‌, ଇସ୍କନ ମନ୍ଦିର ସାମ୍ନା ଓଭରବ୍ରିଜ୍‌, ଜୟଦେବ ବିହାର ଛକ ସାମ୍ନା ଓଭରବ୍ରିଜ୍‌ ଏବଂ ଫାୟାର ଷ୍ଟେସନ୍‌ ଓ ବରମୁଣ୍ଡା ଛକ ସାମ୍ନା ଓଭରବ୍ରିଜ୍‌ରେ ପାଦେ ଉଚ୍ଚର ବାଲି ଜମି ରହିଛି। ଏହି ସ୍ଥାନଗୁଡ଼ିକ ରାଜପଥର ଖାଲୁଆ ତଥା ଗଡ଼ାଣିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ଏହି ବାଟ ଦେଇ ପାଣି ନିଷ୍କାସନ ହୋଇଥାଏ। ତେଣୁ ଓଭରବ୍ରିଜ୍‌ ଉପରେ ଥିବା ପ୍ରାୟ ସବୁତକ ବାଲି ପାଣିରେ ଭାସି ଆସି ଏହିଠାରେ ଜମା ହୋଇଥାଏ। କିନ୍ତୁ ଏହାକୁ ସଫା କରାଯାଉନଥିବାରୁ ଏହି ସ୍ଥାନରେ ଅନେକ ସମୟରେ ଦୁର୍ଘଟଣା ଘଟିବାର ନଜିର ରହିଛି। ବିଶେଷକରି ଓଭରବ୍ରିଜ୍‌ ଉପର ଦେଇ ଦ୍ରୁତ ଗତିରେ ଯାଉଥିବା ବାଇକ୍‌ଗୁଡ଼ିକର ଚକା ଏହି ବାଲି ମଧ୍ୟରେ ଫସି ଯାଉଥିବାରୁ ଦୁର୍ଘଟଣା ଘଟୁଛି। ଏନେଇ ଜଣେ ବାଇକ୍‌ ଆରୋହୀ ସନ୍ତୋଷ ମଲ୍ଲିକଙ୍କୁ ପଚରାଯିବାରୁ ସେ କହିଲେ, ଖାଲି କଡ଼ରେ ନୁହେଁ, ଏହି ବାଲି ଏବେ ଓଭରବ୍ରିଜ୍‌ର ଅଧା ରାସ୍ତା ଯାଏଁ ଚାଲି ଆସିଲାଣି। ତେଣୁ ଟିକିଏ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏ ସଂପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଆଞ୍ଚଳିକ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କୁ ଯୋଗଯୋଗ କରିବାରୁ ସେ କହିଲେ, ବର୍ଷା ହୋଇଥିବାରୁ ରାଜପଥରେ ବାଲି ଜମା ହୋଇଯାଇଛି। ଲୋକ ଲଗାଇ ଏହାକୁ ଖୁବ୍‌ଶୀଘ୍ର ସଫା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe