ଚାର୍ଜସିଟ୍ ଦାଖଲ ନ ହେବାରୁ ଅଭିଯୁକ୍ତ ଜାମିନ ପାଇବା ଘଟଣା : ପୁଲିସ ସର୍କୁଲାରକୁ ଫୁ’..., ତଦନ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

Advertisment

ସନ୍ଦେହଘେରରେ କମିସନରେଟ ପୁଲିସର ଭୂମିକା

ସନ୍ଦେହଘେରରେ କମିସନରେଟ ପୁଲିସର ଭୂମିକା

ଅସଜଡ଼ା କମିସନରେଟ୍ ଭିତ୍ତିଭୂମି : ଭୁବନେଶ୍ୱରରେ ଦ୍ବିତୀୟ ଡିସିପି କେବେ?

ଭୁବନେଶ୍ବର : ଚାର୍ଜସିଟ୍ ଦାଖଲ ନ ହେବାରୁ ଖସିଗଲେ ୩ ଦୁର୍ଦାନ୍ତ ଅପରାଧୀ। କାର୍ଯ୍ୟାନୁଷ୍ଠାନ ଶୂନ୍। ଆଇନକୁ ମାଡ଼ି ମକଚି ଫିଙ୍ଗି ଦେଉଛନ୍ତି ବରିଷ୍ଠ ଅଧିକାରୀ। ପୁଲିସ ସର୍କୁଲାରକୁ ବି ଫୁ’ କରି ଦେଉଛନ୍ତି। ପୁଲିସର କାର୍ଯ୍ୟକଳାପ ଅପରାଧୀଙ୍କୁ ସୁହାଉଛି। କିନ୍ତୁ କମିସନରେଟ ପୁଲିସର ବଡ଼ବାବୁ ବେଫିକର। ଚାର୍ଜସିଟ୍ ଦାଖଲ ନ ହେବାରୁ ଅଭିଯୁକ୍ତ ଜାମିନ ପାଇବା ଘଟଣାରେ ପୁଲିସର ପାରିବାପଣିଆ ପଦାରେ ପଡ଼ିଛି। କିନ୍ତୁ ଚାର୍ଜସିଟ୍ ଦାଖଲ କରି ନ ଥିବା ତଦନ୍ତକାରୀ ଅଧିକାରୀ ସୁରକ୍ଷିତ। ହାତ ମାରିବାକୁ ସାହସ ପାଉନି।

ପୁଲିସ ସର୍କୁଲାର ନଂ-୨୪୮/୮୨ ଅନୁସାରେ ମାମଲାର ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାର କଡ଼ା ନିର୍ଦେଶ ରହିଛି। ଏହାକୁ ଉପରିସ୍ଥ ଅଧିକାରୀ ତଦାରଖ କରିବାର ନିୟମ ମଧ୍ୟ ରହିଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ନ କଲେ ତୁରନ୍ତ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବାର ସର୍କୁଲାରରେ ଉଲ୍ଲେଖ ରହିଛି। ଏହାକୁ ଗୁରୁତର ଅବହେଳା ବୋଲି ବିବେଚନା କରାଯିବ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି। କିନ୍ତୁ ଆଖି ବୁଜି ଦେଇଛି ପୁଲିସ।

ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୨୦ ତାରିଖରେ ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ନଦୀ ବନ୍ଧରେ ସନ୍ଦିଗ୍ଧ ଅବସ୍ଥାରେ ବସିଥିବା ୫ ଜଣ ଦୁର୍ବୃତ୍ତଙ୍କୁ ସହିଦନଗର ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ସେମାନେ ଥିଲେ ଖାରବେଳନଗର ଶାନ୍ତିନଗରର ଶେଖ୍ ଅମିନ ଓରଫ୍ ତିୱାରି, ରଘୁଆ ବିଶ୍ବାଳ, ଶିବ ଠାକୁର, ମୋତି ବିଲା ଓ ଖୋର୍ଧା ବେଗୁନିଆର ପବିତ୍ର ମୋହନ ଦାସ ଓରଫ୍ ସାହୁ। ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, କଟୁରି ଓ ବାଇକ୍ ଜବତ କରା ଯାଇଥିଲା। ପଚରାଉଚରା ବେଳେ ଡକାୟତି ଯୋଜନା କରୁଥିବା ପୁଲିସ ଆଗରେ କହିଥିଲେ। ଏମାନେ ଦୁର୍ଦାନ୍ତ ଅପରାଧୀ ରବି ରାଓର ସହଯୋଗୀ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏ ସଂକ୍ରାନ୍ତରେ ସହିଦନଗର ଥାନା ପୁଲିସ୍ କେସ୍ ନଂ ୬୦୫/୧୯ରେ ଆଇପିସି ଧାରା-୩୯୯, ୪୦୨ରେ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ-୨୫,୨୭ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ସବଇନ୍ସପେକ୍ଟର ସଞ୍ଜୟ କୁମାର ଜେନା ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ଆଇନ ଅନୁସାରେ ଏହି ଡକାୟତି ଯୋଜନା ଦଫାରେ ଅଭିଯୁକ୍ତ କୋର୍ଟଚାଲାଣର ୬୦ ଦିନ ଭିତରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ ଦାଖଲ କରିବା କଥା। କିନ୍ତୁ ଚାର୍ଜସିଟ୍ ଦାଖଲ ନ ହେବାରୁ ସିଆରପିସି ଧାରା-୧୬୭(୨) ଅନୁସାରେ ୩ ଜଣ ଅଭିଯୁକ୍ତ ଜାମିନ ପାଇ ଯାଇଥିଲେ। ସେମାନେ ହେଲେ ରଘୁ ବିଶ୍ବାଳ, ଶେଖ୍ ଅମିନ ଓ ପବିତ୍ର ମୋହନ ଦାସ।

୨୦୧୯ ନଭେମ୍ବର ୨୭ ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ମାମଲା ରୁଜୁ ସହ ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନାକୁ ପୁଲିସ ଗିରଫ କରିଥିଲା। ଏହି ସମ୍ବେଦନଶୀଳ ମାମଲାରେ ମଧ୍ୟ ପୁଲିସ ଚାର୍ଜସିଟ୍ ଦାଖଲ କରି ନ ଥିବାରୁ ଅଭିଯୁକ୍ତ ଜାମିନ ପାଇ ଯାଇଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ସୁବାସ ଚନ୍ଦ୍ର ଭଟ୍ଟ। ଏହା ଭିତରେ ସୁବାସ ଅବସର ଗ୍ରହଣ କରି ସାରିଲେଣି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ନ ହେଲେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଇନ ରହିଛି। ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ପୁଲିସ ଧାର୍ଯ୍ୟ ସମୟୟୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ବାଧ୍ୟ। ଦାଖଲ କରୁ ନ ଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଯେଉଁଥିପାଇଁ ଅନେକ ସମ୍ବେଦନଶୀଳ ମାମଲା ପରବର୍ତୀ ସମୟରେ ଦୁର୍ବଳ ହୋଇ ପଡ଼ୁଛି। ସେହିପରି ଅନେକ ମାମଲାରେ ପୁଲିସ ପ୍ରାଥମିକ ଚାର୍ଜସିଟ୍ ଦେଇ ବସି ପଡ଼ୁଛି। ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରୁ ନ ଥିବାରୁ ଅନେକ ମାମଲାରେ ଅଭିଯୁକ୍ତ ଖଲାସ ହୋଇ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe