ଅଭିଯୁକ୍ତଙ୍କ ଶୋଭାଯାତ୍ରା ପଛରେ ନେତା, ସମ୍ପୃକ୍ତି ନେଇ ପୁଲିସର ତନାଘନା

ହତ୍ୟା ଅଭିଯୁକ୍ତଙ୍କ ଶୋଭଯାତ୍ରା ମାମଲା : ଜାମିନ ବାତିଲ ପାଇଁ ହାଇକୋର୍ଟରେ କମିସନରେଟ୍‌ ପୁଲିସ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ଜାମିନ ପାଇଥିବା ୪ ଅଭିଯୁକ୍ତଙ୍କ ଖୋଲା ଜିପ୍‌ ଶୋଭାଯାତ୍ରା ଘଟଣାରେ ତନାଘନା ଜାରି ରହିଛି। ତଦନ୍ତ ବେଳେ ଏଥିରେ ଜଣେ ନେତାଙ୍କ ସମ୍ପୃକ୍ତି ଥିବା ପୁଲିସ ସୁରାକ ପାଇଛି। ଏହାକୁ ନେଇ ତଦନ୍ତର ଦିଗ ବଦଳିଛି।

ଗତ ୧୦ ତାରିଖ ଦିନ ହତ୍ୟା ଅଭିଯୁକ୍ତମାନଙ୍କୁ ଖୋଲା ଜିପ୍‌ ଶୋଭାଯାତ୍ରାରେ ଅଣାଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସର ତନାଘନା ଆରମ୍ଭ ହୋଇଥିଲା। ୪ ଜଣଙ୍କୁ ଗିରଫ କରିଥିଲା ଏୟାରଫିଲ୍ଡ ଥାନା ପୁଲିସ। ଗିରଫମାନଙ୍କ ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ହେଉଛି ଜ୍ଞାନରଞ୍ଜନ ବଡ଼ଜେନା। ଜ୍ଞାନର ସମ୍ପର୍କୀୟ ଜଣେ ରାଜନୈତିକ ନେତା। ସେ ଜଣେ ଆଇଏଏସ୍‌ ଅଫିସରଙ୍କ ଘରକୁ ଗୋବର ପାଣି ପକାଇ ଗିରଫ ହୋଇଥିଲେ। ଶୋଭାଯାତ୍ରା ପଛରେ ତାଙ୍କର ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରୁଛି। ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ପାଇଁ ପୁଲିସ ଲାଗିପଡ଼ିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଶୋଭାଯାତ୍ରାରେ ସାମିଲ ଥିବା କେତେକ ଦାଗିଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଛି। ଖୁବ୍‌ଶୀଘ୍ର ଏମାନଙ୍କ ଉପରେ ଏନ୍‌ଏସ୍‌ଏ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଚିନ୍ତା କରିଛି। ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ସଂଘବଦ୍ଧ ହତ୍ୟା ମାମଲାରେ ଗିରଫ ୪ଜଣ ଅଭିଯୁକ୍ତ ହାଇକୋର୍ଟରୁ ଜାମିନ ପାଇବା ପରେ ଝାରପଡ଼ା ଜେଲ୍‌ ସମ୍ମୁଖରୁ ଶୋଭାଯାତ୍ରାରେ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe