ସେଣ୍ଟର ଅଫ୍‌ ଏଗ୍ରିବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟର ସଫଳତା

Advertisment
ସେଣ୍ଟର ଅଫ୍‌ ଏଗ୍ରିବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟର ସଫଳତା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସେଣ୍ଟର ଅଫ୍‌ ଏଗ୍ରିବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ(ସିଏଏମ୍‌)କୁ ସଫଳତା ମିଳିଛି। କୃଷକ, ଉଦ୍ୟୋଗୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଲାଗି କାମ କରିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ ସମ୍ପୃକ୍ତ ବିଭାଗକୁ କୃଷି ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି। ଭୁବନେଶ୍ବରରେ ଚାଲିଥିବା ତିନି ଦିନିଆ କୃଷି ମେଳାର ଉଦ୍‌ଯାପନୀ ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସିଏଏମ୍‌କୁ ପୁରସ୍କୃତ କରିଛନ୍ତି। ଉତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସଫଳତା ନେଇ ଏଗ୍ରିବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ମୁଖ୍ୟ ଦୀପକ ରାମ୍‌ କହିଛନ୍ତି ଯେ ବିଭାଗ ଏବେ କେବଳ ପାଠପଢ଼ା ଭିତରେ ସୀମିତ ହୋଇ ରହିନାହିଁ।

ଏଗ୍ରିବିଜନେସ୍‌ ମ୍ୟାନେଜମେଣ୍ଟ ଶିକ୍ଷାକୁ ସମାଜର ପ୍ରତି ବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରହିଛି। ଏଠାକାର ପିଲାମାନେ ତୃଣମୂଳସ୍ତରରେ ପହଞ୍ଚି ଚାଷୀଙ୍କୁ ନୂତନ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଦେଉଛନ୍ତି। ନୂଆ ନୂଆ ଉଦ୍ୟୋଗ କିଭଳି ପ୍ରତିଷ୍ଠା ହୋଇପାରିବ ସେଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମହିଳାମ‌ାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଏହି ସେଣ୍ଟର କାର୍ଯ୍ୟ କରୁଛି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ସେ ମତପ୍ରକାଶ କରିବା ସହ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି। ସିଏଏମ୍‌କୁ ପୁରସ୍କାର ମିଳିଥିବାରୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe