ଏଏସ୍ ବିଏମ୍‌‌ରେ ଆଚିଭର୍ସ ଡେ’ ‘ମୂର୍ଚ୍ଛନା’

Advertisment
ଏଏସ୍ ବିଏମ୍‌‌ରେ ଆଚିଭର୍ସ ଡେ’ ‘ମୂର୍ଚ୍ଛନା’

ଖଣ୍ଡଗିରି: ସବୁବେଳେ ନିଜକୁ ଠିକ୍‌ ମାର୍ଗରେ ପ୍ରସ୍ତୁତ କରି ରଖି ପାରୁଥିବା ବ୍ୟକ୍ତିକୁ ଭାଗ୍ୟର ସହଯୋଗ ମିଳେ। ନିଜକୁ ପ୍ରସ୍ତୁତ କରିପାରିଲେ ସୁଯୋଗ ଆପେ ଆପେ ହାତପାହାନ୍ତା‌ରେ ପହଞ୍ଚିଯାଏ। ଏଥିପାଇଁ ଆବଶ୍ୟକ ପରିଶ୍ରମ ଲୋଡ଼ା। ଏଭଳି ବ୍ୟକ୍ତି ଚାକିରି ପଛରେ ଧାଏଁ ନାହିଁ, ବରଂ ଚାକିରି ତାଙ୍କ ପଛରେ ଗୋଡ଼ାଉଥାଏ। ତେଣୁ ବସ୍ତୁ ଭଳି କେଉଁଠି ଗୋଟେ ରଖି ହେବା ପାଇଁ ଇଚ୍ଛା ନ କରି ନିଜେ ନିଜ ପସନ୍ଦର କର୍ମସଂସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟିତ ହେବା ଉଚିତ। ସେହିଭଳି ମିଳିଥିବା କର୍ମ ସଂସ୍ଥାନରେ ନିଯୁକ୍ତିଦାତା ଓ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ପ୍ରତିଷ୍ଠା କରି ନିଜକୁ ଜଣେ କର୍ତ୍ତବ୍ୟପରାୟଣ କର୍ମଚାରୀ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ କଲେ, ସବୁ କାମରେ ସଫଳତା ହିଁ ମିଳିବ। ଶନିବାର ଚନ୍ଦକା ଭୋଳାସ୍ଥିତ ଏସିଆନ୍‌ ସ୍କୁଲ୍‌ ଅଫ୍ ବିଜିନେସ୍ ମ୍ୟାନେଜ୍‌ମେଣ୍ଟ(ଏଏସ୍‌ବିଏମ୍‌)ର ଦ୍ବାଦଶତମ ଆଚିଭର୍ସ ଡେ’ ‘ମୂର୍ଚ୍ଛନା’ ପାଳନ ଅବସରରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି। ଏହି ଅବସରରେ ସାଂସଦ ଶ୍ରୀ ପଟ୍ଟନାୟକ କହିଲେ ଯେ ପ୍ରଥମେ ସମସ୍ତେ ବାପା ମା’ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟିତ ହେବା ଉଚିତ୍। କାରଣ ବାପା ମା’ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି। ତେଣୁ ସେମାନଙ୍କ ମନ ଜାଣି ନିଜକୁ ପ୍ରସ୍ତୁତ କରି ରଖିବା ଜରୁରି।

ଏହି ଅବସରରେ ସମ୍ମାନିତ ଅତିଥି ରେଭେନ୍‌ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଇଶାନ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ସଫଳତାର ସରଳ ପାଠ ପଢ଼ାଇଥିଲେ। ଜୀବନ ଆହ୍ୱାନପୂର୍ଣ୍ଣ ଅଟେ। ତେଣୁ ନିଜକୁ ସହଜ କରି ସମସ୍ତ ଆହ୍ବାନକୁ ମୁକାବିଲା କରିହେବ ବୋଲି ସେ କହିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦେଶକ ବିଶ୍ବଜିତ ପଟ୍ଟନାୟକ ନିଜ ବକ୍ତବ୍ୟ ଛଳରେ ଖୁବ୍‌ ଶୀଘ୍ର ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଡ. ମୃତ୍ୟୁଞ୍ଜୟ ଦାଶ ସ୍ବାଗତ ଭାଷଣ ଓ ଡ. ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe