ଆଦିବାସୀ ସୁନ୍ଦରୀ ପ୍ରତିଯୋଗିତା: ‘ଆଦିରାଣୀ-୨୦୧୮’

ଆଦିବାସୀ ସୁନ୍ଦରୀ ପ୍ରତିଯୋଗିତା: ‘ଆଦିରାଣୀ-୨୦୧୮’

ଭୁବନେଶ୍ୱର: ମଞ୍ଚ ଥିଲା ସହରର। କିନ୍ତୁ ସାଜସଜ୍ଜା ଥିଲା ଗାଁର। ପାରମ୍ପରିକ ଝାଟିମାଟିର ଚାଳଘରର କାନ୍ଥରେ ଝୁଲୁଥିଲା କୁଲାଠୁ ପାଛିଆ ଯାଏଁ। ମାଟି କାନ୍ଥରେ ଝଟକୁ ଥିଲା ଝୋଟି ଚିତା। ଏସବୁ ରାଜଧାନୀରେ ଆଦିବାସୀ ପରିବେଶର ଭ୍ରମ ସୃଷ୍ଟି କରୁଥିଲା। ଏହା ମଧ୍ୟରେ ମଞ୍ଚର ଶୋଭା ବଢ଼ାଉଥିଲେ ଆଦିବାସୀ ସୁନ୍ଦରୀମାନେ। ଅବସର ଥିଲା ‘କଳିଙ୍ଗ ଗୌରବ ସମ୍ମାନ ଅନୁଷ୍ଠାନ’ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପରେ ଆୟୋଜିତ ‘ଆଦିରାଣୀ-୨୦୧୮’ ସମ୍ମାନ ପ୍ରଦାନ ଉତ୍ସବ। ଆଦିବାସୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କ ସୌନ୍ଦର୍ଯ୍ୟକୁ ଏକ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ଏଭଳି ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ଓ ମଣିପୁରରୁ ୧୦୦ରୁ ଊର୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ପାରମ୍ପରିକ ବେଶଭୂଷା, ଅଳଙ୍କାର ସହ ସଂସ୍କୃତି ଓ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। ଏଥିମଧ୍ୟରୁ ମନୋନୀତ ୨୦ ଜଣ ପ୍ରତିଯୋଗୀ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ‘ଆଦିରାଣୀ-୨୦୧୮’ ହୋଇଥିବା ବେଳେ ଦୁଇ ଜଣ ରନର୍ସ ଅପ୍‌ ହୋଇଥିଲେ। ଏଥିସହ ୭ଟି ବିଭାଗରେ ୭ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ପୁଲିସି ଡିଜି ଆର୍‌ପି ଶର୍ମା, ପ୍ରଶାସକ ରାଜେଶ ପ୍ରଭାକର ପଟେଲ ଓ ବାର୍ଲିର ଅଗସ୍ତ ଇନ୍ଦ୍ରା ଉଦୟାନ୍‌ଙ୍କୁ ‘କଳିଙ୍ଗ ଆଇକନିକ୍‌ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଥିଲେ। ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ରାକେଶ ପଟ୍ଟନାୟକ, ରିଙ୍କି ପଟ୍ଟନାୟକ, ସୁରେଶ କୁମାର ରାଉତ ଓ ପ୍ରତାପ କୁମାର ପଣ୍ଡା ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ। ପୁପିନ୍ଦର ଓ ରିୟା ମଞ୍ଚ ସଂଯୋଜନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଭାଗବତ ତ୍ରିପାଠୀ ଓ କିଶୋର ଦ୍ୱିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe