ଅତିରିକ୍ତ ଡିସିପିଙ୍କ ତଦନ୍ତ ଆରମ୍ଭ

Advertisment

ହସ୍ପିଟାଲ୍‌ରେ ତାଳବଣିଆ ଥାନା ଇନ୍ସପେକ୍ଟରଙ୍କ ଦାଦାଗିରି ଘଟଣା

ହସ୍ପିଟାଲ୍‌ରେ ତାଳବଣିଆ ଥାନା ଇନ୍ସପେକ୍ଟରଙ୍କ ଦାଦାଗିରି ଘଟଣା

ପୁଲିସ ବୋଲି ଖସାଇ ଦେବେ!

ଭୁବନେଶ୍ୱର: ରବିବାର ସଂଧ୍ୟାରେ ପୁରୀ ତାଳବଣିଆ ଥାନା ଇନ୍ସପେକ୍ଟର ରମାକାନ୍ତ ପାତ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ଘଟାଇଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କମିସନରେଟ୍‌ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ଡିଜିଙ୍କ ଶ୍ରୀ ଶର୍ମାଙ୍କ ଏଭଳି ନିର୍ଦେଶ ପରେ କମିସନରେଟ ପୁଲିସ ପକ୍ଷରୁ ଅତିରିକ୍ତ ଡିସିପି ତପନ ପଟ୍ଟନାୟକ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ପାଇବା ପରେ ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି।

ଆଜି ସହିଦନଗର ଟ୍ରିନିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇନ୍ସପେକ୍ଟର ରମାକାନ୍ତ ପାତ୍ରଙ୍କୁ ପଚରା ଉଚରା କରିଛନ୍ତି ଅତିରିକ୍ତ ଡିସିପି ଶ୍ରୀ ପଟ୍ଟନାୟକ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ ଶ୍ରୀ ପଟ୍ଟନାୟକ ତଥ୍ୟ ସଂଗ୍ରହ କରିଛନ୍ତି। ଏହାଛଡ଼ା ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କ ଇଞ୍ଜୁରି ରିପୋର୍ଟ ଓ ମେଡିକାଲ କାଗଜପତ୍ରର ନକଲ ସଂଗ୍ରହ କରାଯାଇଛି।ସେହିପରି ଘଟଣା ଦିନ ଇନ୍ସପେକ୍ଟର ଶ୍ରୀ ପାତ୍ର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଶୁଭକାନ୍ତ ପଢ଼ିଆରୀଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ମାଡ଼ ମାରିବା ଓ କ୍ୟାମେରା ଭିଡିବା ଘଟଣା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ସେହିପରି ଇନ୍ସପେକ୍ଟର ଶ୍ରୀ ପାତ୍ର ହସ୍ପିଟାଲରେ ଘଟାଇଥିବା କାଣ୍ଡ କାରଖାନାର ସିସିଟିଭି ଫୁଟେଜ, ମୋବାଇଲ୍‌ ଫୋନ୍‌ ଭିଡିଓ ରେକର୍ଡିଂ ଆଦି ସଂଗ୍ରହ କରାଯାଇଛି। ସମ୍ଭବତଃ ଆସନ୍ତାକାଲି ଅତିରିକ୍ତ ଡିସିପି ଶ୍ରୀ ପଟ୍ଟନାୟକ ତାଙ୍କ ରିପୋର୍ଟ ପ୍ରଦାନ କରିବେ ଏବଂ ଶୁକ୍ରବାର ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏ ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କ ବିରୋଧରେ ପୁଲିସ ବିଭାଗ ପକ୍ଷରୁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହା ଫଳରେ ପୁଲିସ ବିଭାଗକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଯାହା ଶୁଣିବାକୁ ମିଳୁଛି ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କର ସମ୍ପର୍କୀୟ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଶ୍ରୀ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ପଛଘୁଞ୍ଚା ଦେଉଛି। ପୂର୍ବରୁ ସେ ଅନେକ ଥର ଏଭଳି କାଣ୍ଡ ଭିଆଇଥିଲେ ମଧ୍ୟ ପୁଲିସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କେବେ ବି କୌଣସି କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୁଲିସ ବିଭାଗର କିଛି ବଡ଼ ଅଫିସର ବିଭିନ୍ନ ମହଲରୁ ଚାପ ପକାଇବା ଆରମ୍ଭ କରିଛନ୍ତି। ଯାହା ଫଳରେ ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ହେଉଛି ବୋଲି ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe