ଅଜଣା ଶବର ଠିକଣା କୁଆଖାଇ ବାଲିଯାତ୍ରା ପଠା: ଏଥର ଶିଶୁର ଗଳିତ ଶବ ଠାବ

Advertisment
ଅଜଣା ଶବର ଠିକଣା କୁଆଖାଇ ବାଲିଯାତ୍ରା ପଠା: ଏଥର ଶିଶୁର ଗଳିତ ଶବ ଠାବ

ଚନ୍ଦ୍ରଶେଖରପୁର/ବାରଙ୍ଗ : ରାଜଧାନୀରେ ଅଜଣା ଶବର ଠିକଣା ପାଲଟିଥିବା କୁଆଖାଇ ବାଲିଯାତ୍ରା ପଡ଼ିଆରୁ ରବିବାର ପୁଣି ଏକ ଗଳିତ ଶବ ଜବତ କରାଯାଇଛି। ମୃତଦେହଟି ଏକ ନବଜାତ ଶିଶୁପୁତ୍ରର ବୋଲି ଅନୁମାନ କରାଯାଉଛି। କିନ୍ତୁ ଗଳିତ ମୃତଦେହଟି ପ୍ରାୟ ୭/୮ ଦିନର ହୋଇଥିବାରୁ ମଞ୍ଚେଶ୍ବର ଥାନା ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହିଁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ପରିଚୟ ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସୂଚନାନୁସାରେ, ରବିବାର ସକାଳେ ସ୍ଥାନୀୟ ବରମୁଣ୍ଡା ଗାଁର କିଛି ଲୋକ ବାଲି ଭିତରେ ଅଧା ପୋତି ହୋଇ ରହିଥିବା ଶବକୁ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ବନ୍ୟା ଜଳରେ ଶବଟି ଭାସି ଆସିଛି କି କେହି ବାଲିପଠାରେ ପୋତିଥିଲା, ତାହା ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ଶିଶୁର ମୃତ୍ୟୁ ବାବଦରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ମାତ୍ର ଶିଶୁଟିର ପରିଚୟ କିଭଳି ଜଣାପଡ଼ିବ, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୧ ତାରିଖରେ ଏହି ବାଲିଯାତ୍ରା ପଡ଼ିଆରୁ ପୁଲିସ ଏକ ଗଳିତ ଶବକୁ ବାଲି ଭିତରୁ ଜବତ କରିଥିଲା। ଜଣେ ଯୁବକଙ୍କୁ କେହି ହତ୍ୟା କରି ବାଲିରେ ପୋତି ଦେଇଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ପରିଚୟ ପାଇବା ପାଇଁ ପୁଲିସ ବହୁ ଉଦ୍ୟମ କରି ବି ଆଜି ପର୍ଯ୍ୟନ୍ତ ବିଫଳ ରହିଛି। ତେଣୁ ଉକ୍ତ ରହସ୍ୟମୟ ହତ୍ୟାକାଣ୍ଡ ଆଜି ବି ଅସମାହିତ ହୋଇ ରହିଛି। ଆଜି ମିଳିଥିବା ଶିଶୁର ମୃତଦେହ ମାମଲା ବି ସେମିତି ଅସମାହିତ ହୋଇରହିଯିବା ସମ୍ଭାବନା ଅଧିକ ‌‌ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe