ଅଧପନ୍ତରିଆ ରହିଲା ଐତିହ୍ୟ ତୋରଣ: ୨୦୧୮ରେ ଆରମ୍ଭ ହୋଇଥିଲା, ୬ ବର୍ଷ ପରେ ବି ଶେଷ ହେଉନି

Advertisment
ଅଧପନ୍ତରିଆ ରହିଲା ଐତିହ୍ୟ ତୋରଣ: ୨୦୧୮ରେ ଆରମ୍ଭ ହୋଇଥିଲା, ୬ ବର୍ଷ ପରେ ବି ଶେଷ ହେଉନି

ଭୁବନେଶ୍ବର: ମନ୍ଦିରମାଳିନୀ ଭୁବନେଶ୍ବରର ଗୌରବ ବଢ଼ାଇବାକୁ ଐତିହ୍ୟ ତୋରଣର ପରିକଳ୍ପନା ହୋଇଥିଲା। ରାଜଧାନୀର କିଛି ପ୍ରମୁଖ ଦର୍ଶନୀୟ ସ୍ଥାନ ଓ ପୁରାତନ ଗାଁର ପ୍ରବେଶ ପଥରେ ଐତିହ୍ୟ ତୋରଣ ପାଇଁ ଯୋଜନା ହୋଇଥିଲା। ହେଲେ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧାପନ୍ତରିଆ ହୋଇପଡ଼ିଛି। କେଉଁଠି ଅଧାଗଢ଼ା ହୋଇ ଅଟକିଛି ତ କେଉଁଠି ମାଟି ଟୋକେଇଏ ବି ପଡ଼ିନାହିଁ। ନିର୍ମାଣ ଦାୟିତ୍ବରେ ଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଭୁବନେଶ୍ବର ମହାନଗରନିଗମ (ବିଏମ୍‌ସି) ସବୁ ଭୁଲିଯିବା ଭଳି ବସିଛନ୍ତି।

୨୦୧୮ରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ଏହି ଐତିହ୍ୟ ତୋରଣ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଶ୍ରୀ ପଣ୍ଡାଙ୍କର ବିଭାଗ ବଦଳିଯିବାପରେ ତାହା ପରେ ପ୍ରକଳ୍ପର ଭାଗ୍ୟ ପଛକୁ ରହିଗଲା। ୨୦୧୮ ମସିହାରେ ଲକ୍ଷ୍ମୀସାଗର, ବଡ଼ଗଡ଼, ବ୍ରହ୍ମେଶ୍ବର ପାଟଣା ସମେତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପ୍ରବେଶ ଦ୍ବାର ଗ୍ୟାରେଜ ଛକରେ ଐତିହ୍ୟ ତୋରଣ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହିସବୁ ତୋରଣର ଦାୟିତ୍ବ ନେଇଥିଲା ଓଟିଡିସି। ଅନ୍ୟପଟେ ସାମନ୍ତରାପୁରରେ କପିଳେଶ୍ବରଙ୍କ ତୋରଣ ଓ ସାମନ୍ତରାପୁରରେ ଲିଙ୍ଗରାଜଙ୍କ ତୋରଣ ବିଏମ୍‌ସି କରୁଥିଲା। ଏଠାରେ କପିଳେଶ୍ବରଙ୍କ ତୋରଣ ତିଆରି ସରିଥିବା ବେଳେ ଲିଙ୍ଗରାଜଙ୍କ ପ୍ରବେଶ ପଥରେ ନିର୍ମାଣ ହେଉଥିବା ତୋରଣ ଅଧାରେ ପଡ଼ିଛି। ରାସ୍ତା ପାର୍ଶ୍ବରେ କେବଳ ଛିଡ଼ା ହୋଇଛି ସିମେଣ୍ଟ ଖୁମ୍ବ, ଯାହାର କିଛି ଅଂଶରେ ଶିଉଳି ଲାଗିଥିବା ବେଳେ ଆଉ କିଛି ଅଂଶରେ ଏଣୁତେଣୁ ବିଜ୍ଞାପନ ଲଗାଯାଇଛି। ବାହାରକୁ ବାହାରିଥିବା ଲୁହାରଡ୍‌ କଳଙ୍କି ଲାଗି ଗଲାଣି। ଗ୍ୟାରେଜ୍‌ ଛକରେ ଓଟିଡିସି ନିର୍ମାଣ କରୁଥିବା ଐତିହ୍ୟ ତୋରଣର ଅବସ୍ଥା ପ୍ରାୟ ସମାନ। ଗ୍ୟାରେଜ ଛକ ତୋରଣକୁ ପ୍ରଭୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିଲା। ଏହାର ଭିତର ପାର୍ଶ୍ବର ଉଚ୍ଚତା ୬ ମିଟର ଓ ଚଉଡ଼ା ସାଢ଼େ ୯ ମିଟର ଏବଂ ପୂରା ତୋରଣର ଉଚ୍ଚତା ୮ ମିଟର ଓ ଚଉଡ଼ା ୧୨ ମିଟର ରହିବାକୁ ସ୍ଥିର ହେଇଥିଲା। ନିର୍ମାଣ ପାଇଁ ୨୪ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଏବେ ଏଠା‌ରେ ୪ଟି ଖମ୍ବ କରାଯାଇ ସେଥିରେ ଖଣ୍ଡୋଲାଇଟ୍‌ ପଥର ଲଗାଯାଇଛି। ‌

ହେଲେ ଉପର ଛାତ ନପକାଇ ଅଧାରେ ଛାଡ଼ି ଦିଆଯାଇଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସୁଥିବା ବେଳେ ଅଧାଗଢ଼ା ତୋରଣ କିପରି ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି କରିବ ତାହା ବିଭାଗକୁ ଜଣା। ଅନ୍ୟପଟେ ବିଳମ୍ବରେ ହେଲେ ମଧ୍ୟ ବ୍ରହ୍ମେଶ୍ବର ପାଟଣାରେ ୪୧ ଫୁଟ ଚଡଡ଼ା ଓ ୩୫ ଫୁଟ ଉଚ୍ଚତାର ତୋରଣ ନିର୍ମାଣ ସରିଛି। ଆଶ୍ଚର୍ଯ୍ୟର କଥା, ୨୦୧୮ ନଭେମ୍ବର ୯ ତାରିଖରେ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଗାଁର ଐତିହ୍ୟ ତୋରଣର ଶିଳାନ୍ୟାସ ହୋଇଥିଲେ ହେଁ ପର୍ଯ୍ୟଟନ ବିଭାଗ ୨୦୨୧ ମସିହା ପର୍ଯ୍ୟନ୍ତ ତୋରଣର ଡିଜାଇନ୍‌ ପ୍ରସ୍ତୁତ କରି ପାରିନଥିଲା। ଗଡ଼ଗଡ଼ରେ ସ୍ଥାନୀୟ ଲୋକ ଓ କର୍ପୋରେଟରଙ୍କ ଘନ ଘନ ଦାବି ପରେ ୨୦୨୩ ମସିହା ଶେଷରେ ଐତିହ୍ୟ ତୋରଣ ନିର୍ମାଣ ସରିଛି। କିନ୍ତୁ ଅନ୍ୟ ତୋରଣ ଭାଗ୍ୟ ଏବେ ବି ଫାଇଲ୍‌ ତଳେ ଚାପି ହୋଇ ରହିଛି। ଲକ୍ଷ୍ମୀସାଗର ଐତିହ୍ୟ ତୋରଣ କାମ ଏଯାଏ ଆରମ୍ଭ ହୋଇନାହିଁ। ଏମିତିକି ଲକ୍ଷ୍ମୀସାଗର ତୋରଣର ରୂପରେଖ ବି ଚୂଡ଼ାନ୍ତ ହୋଇଛି କି ନାହିଁ, ସେ ଉତ୍ତର କାହା ପାଖରେ ନାହିଁ। ଏନେଇ ଓଟିଡିସିର ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା କହିଛନ୍ତି, ଗ୍ୟାରେଜ ଛକ ତୋରଣ ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ବନ୍ଦ କରାଯାଇଛି। କାମ ଅଧା ହୋଇଥିବା ବେଳେ ଓବିସିସି କାମ କରିବାକୁ ବାରଣ କରିଥିଲେ। ଏକାମ୍ର ଐତିହ୍ୟ ପ୍ରକଳ୍ପରେ ଗ୍ୟାରେଜ ଛକ ରାସ୍ତା ଚଉଡ଼ା ହେବ ଏବଂ ତୋରଣ ନିର୍ମାଣ ହେଲେ ଏହାକୁ ଭଙ୍ଗାଯିବ ବୋଲି ଓବିସିସି ଅଧିକାରୀ କହିଥିଲେ। ଲକ୍ଷ୍ମୀସାଗର ତୋରଣ ପାଇଁ ସ୍ଥାନ ନିରୂପଣ ହୋଇପାରୁନାହିଁ। ଜବରଦଖଲ ହୋଇଥିବା ସ୍ଥାନକୁ ବିଏମ୍‌ସିକୁ ଖାଲି କରିଦେବା ପରେ ନିର୍ମାଣ ହେବ ବୋଲି କହିଛନ୍ତି ଶ୍ରୀ ଜେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe