ଆଦିତ୍ୟ ମୃତ୍ୟୁ ମାମଲା : କମିସନରେଟ୍‌ ପୁଲିସ ତଦନ୍ତ କରୁ: କେନ୍ଦ୍ରମନ୍ତ୍ରୀ

Advertisment

ଲାଇ ଡିଟେକ୍ସନ ଟେଷ୍ଟ ହେବ

ଲାଇ ଡିଟେକ୍ସନ ଟେଷ୍ଟ ହେବ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ବିଦ୍ୟାଶ୍ରୀ ସମେତ ୪ଜଣଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦ‌ାଶଙ୍କ ମୃତ୍ୟୁ ମାମଲାକୁ ୧୫ ଦିନ ବିତିଥିଲେ ମଧ୍ୟ ରେଳବାଇ ପୁଲିସକୁ କୌଣସି ସଫଳତା ମିଳିପାରି ନାହିଁ। ବରଂ ଯେତିକି ସମୟ ଗଡ଼ୁଛି ମାମଲା ସେତିକି ରହସ୍ୟମୟ ହେଉଛି। ଆତ୍ମହତ୍ୟା ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମେୟ ହେଉଛି। ଯଦିଓ ରେଳବାଇ ପୁଲିସ ତଦନ୍ତ କରୁଛି ତଥାପି ତଦନ୍ତର ବେଗ ଉତ୍ସାହଜନକ ନୁହେଁ। ଏଣୁ ମାମଲାର ତଦନ୍ତଭାର କମିସନରେଟ୍‌ ପୁଲିସକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ତଦନ୍ତ ପ୍ରକ୍ରିୟା ବିଳମ୍ବ ହେଲେ ପ୍ରମାଣ ନଷ୍ଟ ହେବା ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ଏହି ବ୍ୟବସ୍ଥା କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଉଭୟ କମିସନରେଟ୍‌ ପୁଲିସ ଓ ରେଳବାଇ ପୁଲିସ ମାମଲାର ଯୁଗ୍ମ ତଦନ୍ତ କରନ୍ତୁ। ଫଳରେ ତଦନ୍ତ ନିରପେକ୍ଷ ହେବା ସମ୍ଭାବନା ରହିଛି। ମୃତ୍ୟୁର ଉଚିତ୍‌ କାରଣ ସହ ଅଭିଯୁକ୍ତମାନଙ୍କୁ ଧରିପାରିଲେ ହିଁ ପୁଲିସ ପ୍ରତି ଜନସାଧାରଣଙ୍କର ବିଶ୍ବସନୀୟତା ବୃଦ୍ଧି ପାଇବ ବୋଲି ସେ ଲେଖିଛନ୍ତି।

ସୂଚନାଯୋଗ୍ୟ, ଜିଆରପି ଥାନା ପୁଲିସ ଏ ଯାବତ୍‌ ୨୦ ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ ଜେରା କରି ସାରିଲାଣି। ସମସ୍ତଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ୍‌ ଓ ଡାଏରି ଭଳି ଅନେକ ପ୍ରମାଣ ଯୋଗାଡ଼ କରି ସାରିଲାଣି। କିନ୍ତୁ ଜଣକ ପରେ ଜଣେ ଗଣମାଧ୍ୟମରେ ଭିନ୍ନ ମତ ଦେଉଥିବା ବେଳେ ରେଳବାଇ ପୁଲିସ ଚିନ୍ତାରେ ପଡ଼ିଛି। ଟ୍ରେନ୍‌ ଲୋକୋ ପାଇଲଟ୍‌ ମଧ୍ୟ ବୟାନ ବଦଳାଇଥିବାରୁ ରେଳବାଇ ପୁଲିସ ପାଇଁ ଅଡୁଆ ବଢ଼ିଛି। ‘ମଦ ବିରୋଧରେ ଆନ୍ଦୋଳନ କଲେ ସରକାର ଜିନା ହାରାମ୍‌ କରିଦେବେ’ ବୋଲି ସେ ଡାଏରିରେ ଲେଖିଥିବାରୁ ଏହା ଏକ ଭିନ୍ନ ଦିଗକୁ ଇସାରା କରୁଛି। ଏଣୁ ଏହାର ନିରପେକ୍ଷ ତଦନ୍ତ ଜରୁରୀ ହୋଇଛି।

ତେବେ କେବଳ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନୁହନ୍ତି, ବରଂ ପୂର୍ବରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଦୁଇଦିନ ତଳେ ଆଦିତ୍ୟଙ୍କ ସାଙ୍ଗ ଶୁଭାଶିଷ ଷଡ଼ଙ୍ଗୀ ଫେସ୍‌ବୁକ୍‌ରେ ନୂଆ ଅଭିଯୋଗ ଆଣିଛନ୍ତି। ସିଧା ସଳଖ ସେ ପତ୍ନୀ ବିଦ୍ୟାଶ୍ରୀଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି। ପ୍ରଥମେ ଆଦିତ୍ୟଙ୍କୁ କାର୍‌ ଯୋଗେ ନିଆଯାଇଛି ବୋଲି କହିଛନ୍ତି। ଏଣେ ପୁଲିସ ସଂଗ୍ରହ କରିଥିବା ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଚାଲି ଚାଲି ଆସୁଥିବା ପ୍ରମାଣ ରହିଛି। ପୁରୁଣା ସିସିଟିଭି ଫୁଟେଜ୍‌କୁ ଦେଖାଇ ଜିଆରପି ତଦନ୍ତକୁ ବାଟବଣା କରିବାକୁ ବସିଥିବା ସେ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ନା ତାଙ୍କୁ ଜେରା କରାଯାଇଛି ନା ଏ ଦିଗ‌ରେ ପୁଲିସ ଆଗେଇଛି। ତେ‌ବେ କେନ୍ଦ୍ରମନ୍ତ୍ରୀଙ୍କ ଚିଠିକୁ ଯଦି ରାଜ୍ୟ ସରକାର ଗୁରୁତ୍ବର ସହ ନିଅନ୍ତି ତେବେ ମାମଲାରେ ନୂଆ ମୋଡ଼ ଆସିପାରେ ବୋଲି ଆଶା କରାଯାଉଛି।

ଲାଇ ଡିଟେକ୍ସନ ଟେଷ୍ଟ ହେବ
ଆଦିତ୍ୟଙ୍କ ସାଙ୍ଗ ଜିଆରପି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସିଧା ସଳଖ ବିଦ୍ୟାଶ୍ରୀଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି। ଏଭଳି ଏକ ବିଚିତ୍ର ସ୍ଥିତିରେ ଜିଆରପି ଆଉ ଏକ ପଦକ୍ଷେପ ନେଇଛି। ବନ୍ଧୁ ବିକାଶ, କଲେଜ ସାଙ୍ଗ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ ପ୍ରସ୍ତୁତ ହେଉଛି ଜିଆରପି। ଏନେଇ ସମୟ ନିର୍ଘଣ୍ଟ ପାଇଁ ନେଇ ଫରେନସିକ ଲ୍ୟାବ୍‌କୁ ଅନୁମତି ମାଗିଛି। ଏହା ସହିତ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଥିବା ଡାଏରିର ରିପୋର୍ଟ ଶୀଘ୍ର ଦେବାକୁ ଜିଆରପି ଏସପି ଷ୍ଟେଟ୍‌ ଫରେନସିକ ଲ୍ୟାବକୁ ଚିଠି ଲେଖିଛନ୍ତି।

ଅନ୍ୟପଟେ ଶିବାଶିଷ ଅଭିଯୋଗକୁ ଗୁରୁତ୍ବର ସହ ନେଇଛି ଜିଆରପି। ଆଦିତ୍ୟଙ୍କୁ ଗାଡ଼ିରେ ନିଆଯାଇ ମାରି ଦିଆଯାଇଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ ବୋଲି ସ୍ପଷ୍ଟ କରିଛି। ମୃତ୍ୟୁ ପୁର୍ବରୁ ଘରୁ ଚାଲି ଚାଲି ଯାଉଥିବା ସିସିଟିଭି ଫୁଟେଜ୍‌ ରହିଛି ବୋଲି କହିଛି ଜିଆରପି। ମୃତ୍ୟୁ ଦିନ ସନ୍ଧ୍ୟା‌ରେ ନିଜ ଘରୁ ୭ଟା ୧୫ ମିନିଟରେ ଚାଲି ଚାଲି ବାହାରିଥିଲେ। ୭ଟା୩୪ ମିନିଟରେ ସେ ଚାଲି ଚାଲି ଯାଉଥିବା ସିସିଟିଭିରେ କଏଦ ହୋଇଛି। ଲିଙ୍ଗରାଜ ଷ୍ଟେସନକୁ ଏକାକି ଯାଉଥିବାର ଦୃଶ୍ୟ ଏଥିରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe