ଆଦିବାସୀ ମେଳା ଉଦ୍‌ଘାଟିତ: ଆଦିବାସୀ ମେଳାର ଲୋକପ୍ରିୟତା ରହିଛି

Advertisment
ଆଦିବାସୀ ମେଳା ଉଦ୍‌ଘାଟିତ: ଆଦିବାସୀ ମେଳାର ଲୋକପ୍ରିୟତା ରହିଛି

ଭୁବନେଶ୍ବର: ଓଡ଼ିଶା ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଂଗୀତର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ଆଦିବାସୀ ସଂସ୍କୃତିରେ ବିବିଧତା ବହୁତ ଅଧିକ। ଏହା ହିଁ ଆମ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିଛି। ସେଥିପାଇଁ ରାଜଧାନୀରେ ଆଦିବାସୀ ମେଳା ବେଶ୍ ଲୋକପ୍ରିୟ ହୋଇ ପାରିଛି। ମେଳାରେ ମିଳୁଥିବା ଜିନିଷଗୁଡ଼ିକ ବିଶେଷକରି ଜୈବ ଉତ୍ପାଦର ଯଥେଷ୍ଟ ଚାହିଦା ରହିଛି। ଏ ବର୍ଷ ଷ୍ଟଲଗୁଡ଼ିକ ଖୁବ୍‌ ଆକର୍ଷଣୀୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଚଳିତବର୍ଷର ଆଦିବାସୀ ମେଳାକୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜନଜାତିଙ୍କ ବିକାଶରକୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନ ଜୀବିକାର ଉନ୍ନତି ଉପରେ ସରକାର ଫୋକସ ଦେଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଆଦିବାସୀ ଓ ବନଜା’ ପୁସ୍ତିକା ଉନ୍ମୋଚନ କରିଥିଲେ। ପରେ ଜନଜାତି ବର୍ଗର ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗର ଦୁଇ ଉପଦେଷ୍ଟା ସୁଜିତ କୁମାର ଓ ମୁନା ଖାଁ, ବିଭାଗୀୟ ପ୍ରମୁଖ ସଚିବ ରଂଜନା ଚୋପ୍ରା, ଅନୁସୂଚିତ ଜନଜାତି ବିଭାଗ ନିର୍ଦେଶକ ଏସ୍‌.ଆର ଯାଦବ, ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତବର୍ଷ ଆଦିବାସୀ ମେଳାରେ ୨୬୨ଟି ଷ୍ଟଲ ଖୋଲିଛି। ଏଠାରେ ଖୋଲିଥିବା ଆଦିବାସୀ ଗ୍ରାମରେ ୨୧ଟି ଆଇଟିଡିଏ, ୩ଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ବାରା ନିର୍ମିତ ବିଭିନ୍ନ ଜନଜାତିଙ୍କ ୨୪ଟି ପାରମ୍ପରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହେଉଛି। ଆଦିବାସୀ ଚିତ୍ରକଳା, କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ୪୨ଟି ଷ୍ଟଲ ରହିଛି। ଆଦିବାସୀ କାରିଗରମାନେ ତାଙ୍କର କଳା ପ୍ରସ୍ତୁତି ପ୍ରଦର୍ଶନ ପାଇଁ କଳା ଗ୍ରାମରେ ୨୭ଟି ଷ୍ଟଲ ପ୍ରସ୍ତୁତ କରାଯାଇଛି। ଏହାସହ ଚଳିତମାସ ୩୧, ଫ୍ରେବୁଆରି ୧ ଓ ୨ତାରିଖ ଦିନ ନାଗାଲାଣ୍ଡ, ମି ଜୋରାମ, ଆସାମ, ସିକ୍କିମ୍, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳ ପ୍ରଦେଶର ଆଦିବାସୀ ନୃତ୍ୟ ପ୍ରଦର୍ଶନ ପାଇଁ ଏକ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜନର ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ମେଳାର ସୁପରିଚାଳନା ପାଇଁ ମୁଖ୍ୟ କଣ୍ଟ୍ରୋଲ ରୁମ୍, ଆଶୁ ଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ଦମ‌କଳ କେନ୍ଦ୍ର, ଅସ୍ଥାୟୀ ଜନସ୍ବାସ୍ଥ୍ୟ ଓ ବିଦ୍ୟୁତ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଲୋକମାନଙ୍କ ସୁବିଧା ପାଇଁ ଅସ୍ଥାୟୀ ଏଟିଏମ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe