ଓଏଲ୍‌ଏକ୍ସରେ ସରକାରୀ ଜମି ବିକ୍ରି ବିଜ୍ଞାପନ : ଗୁଣ୍ଠ ଲକ୍ଷେ ଦଶ, ବର୍ଗଫୁଟ ହଜାରେ

ଓଏଲ୍‌ଏକ୍ସରେ ସରକାରୀ ଜମି ବିକ୍ରି ବିଜ୍ଞାପନ : ଗୁଣ୍ଠ ଲକ୍ଷେ ଦଶ, ବର୍ଗଫୁଟ ହଜାରେ

ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ବସ୍ତିରେ ବାହୁବଳୀମାନେ ସରକାରୀ ଜମି ଜବରଦଖଲ କରିବା ପରେ ପ୍ଲଟିଂ କରି ବିକ୍ରି କରୁଥିବା କଥା କାହାକୁ ଅଛପା ନାହିଁ। ବହୁ ଛଦ୍ମବେଶୀ ସମାଜସେବୀ ମଧ୍ୟ ବସ୍ତିମାନଙ୍କରେ ସରକାରୀ ଜମି ଜବରଦଖଲ କରିବା ସହ ସେଥିରେ ଘର କରି ଭଡ଼ାରେ ଲଗାଇଛନ୍ତି। ବସ୍ତି ନେତା ଭାବେ ନିଜକୁ ଦାବି କରୁଥିବା ଏମିତି ବହୁ ବେପାରୀ ରାଜଧାନୀର ବିଭିନ୍ନ ବସ୍ତିରେ ଆସ୍ଥାନ ଜମାଇ ବସିଛନ୍ତି। କିନ୍ତୁ ଏବେ ଏହି କିଣାବିକା ପୂରା ଅତ୍ୟାଧୁନିକ ବ୍ୟବସ୍ଥାକୁ ଚାଲି ଗଲାଣି। ଜବରଦଖଲକାରୀମାନେ ଓଏଲ୍‌ଏକ୍ସ ମାଧ୍ୟମରେ ବିଜ୍ଞାପନ ଦେଲେଣି। ଏହି ନୂଆ ତରିକା ଜରିଆରେ ଭଲ ପଇସାବାଲା ଗ୍ରାହକ ଖୋଜିବା ଲକ୍ଷ୍ୟରେ ଜବରଦଖଲକାରୀମାନେ ଏଭଳି କୌଶଳ ଅବଲମ୍ବନ କରୁଥିବା ଜଣାପଡ଼ିଛି। ଖୁଲମ୍‌ଖୁଲା ସରକାରୀ ଜମି ବୋଲି ବିଜ୍ଞାପନରେ ଜଣାଇ ଦିଆଯାଉଛି ଓ ଦାମ ମଧ୍ୟ ଉଲ୍ଲେଖ ରହୁଛି। ଭୁବନେଶ୍ବର ଗୁଣ୍ଠ ମାପ ଅନୁସାରେ ଏକ ଲକ୍ଷ ୧୦ ହଜାର ଟଙ୍କା ଓ ବର୍ଗଫୁଟ ହିସାବରେ ଏକ ହଜାର ଟଙ୍କା ବୋଲି ବିଜ୍ଞାପନରେ ଜଣାଇ ଦିଆଯାଉଛି। କିଛି ଲୁଚାଛପା ନାହିଁ ଏହି କାରବାରରେ।

ଓଏଲ୍‌ଏକ୍ସରେ ଏମିତି ଏକ ବିଜ୍ଞାପନ ଦେଇଛନ୍ତି ସାଲିଆସାହି ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ଦୁଇଜଣ ଯୁବକ। ଲୟଲା ସ୍କୁଲ୍ ନିକଟ ଖେଳ ପଡ଼ିଆ ପାଖରେ ଥିବା ସାଲିଆସାହିର ଏକ ସରକାରୀ ଜମି ବିକ୍ରି ପାଇଁ ବିଜ୍ଞାପନ ବାହାରିଛି। ଏହି ଜମିରେ ଥିବା ଘର ଫଟୋକୁ ଅପ୍‌ଲୋଡ୍‌ କରାଯାଇଛି। ଯୋଗାଯୋଗ ପାଇଁ ଏକ ମୋବାଇଲ୍ ନମ୍ବର ଦିଆଯାଇଛି। ଫୋନ୍ କରିବାରୁ ଯୁବକଜଣଙ୍କ ନିଜର ନାମ ପ୍ରକାଶ ନକରି ଘଟଣାସ୍ଥଳକୁ ଆସି ଜମି ଦେଖିଯିବାକୁ ଡାକୁଛନ୍ତି। ପସନ୍ଦ ହେଲେ ଅଗ୍ରୀମ ଅର୍ଥ ଦେଇ କୋର୍ଟ ପେପରରେ ଜମି ମଡ଼ାଣ ଦେବେ ବୋଲି କହୁଛନ୍ତି। ଜମି ମଡ଼ାଣ ଓ ସେଥିରେ ଗୃହ ନିର୍ମାଣ ପର୍ଯ୍ୟନ୍ତ କ୍ରେତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହୁଛନ୍ତି। ଦର ରହିଛି ଗୁଣ୍ଠକୁ ଲକ୍ଷେ ଦଶ ହଜାର ଟଙ୍କା। ସେହିଭଳି ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର କନ୍ୟାଶ୍ରମ ନିକଟରେ ଥିବା ଏକ ସରକାରୀ ଜମିକୁ ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦିଆଯାଇଛି। ଉକ୍ତ ଜମିର ଫଟୋ ଅପ୍‌ଲୋଡ୍‌ କରାଯାଇଛି। ବିଜ୍ଞାପନଦାତା ନିଜକୁ ଜଣେ ବାହୁବଳୀଙ୍କ ବନ୍ଧୁ ବୋଲି ପରିଚୟ ଦେଉଛନ୍ତି। ଦର ରହିଛି ବର୍ଗଫୁଟ୍ ପିଛା ହଜାରେ ଟଙ୍କା। କ୍ରେତାଙ୍କୁ ଜମି ମଡ଼ାଣଠାରୁ ଗୃହ ନିର୍ମାଣ କରି ରହିବା ପର୍ଯ୍ୟନ୍ତ ସବୁ ସହଯୋଗ କରାଯିବ ବୋଲି ଯୋଗାଯୋଗ କଲେ କହୁଛନ୍ତି। ଉପରୋକ୍ତ ଦୁଇଟିଯାକ ଘଟଣାରେ ଜବରଦଖଲକାରୀମାନେ କ୍ରେତାଙ୍କୁ ୩ ମାସ ମଧ୍ୟରେ ଘର କରି ହସ୍ତାନ୍ତର କରିବେ ବୋଲି କହିଛନ୍ତି।

publive-image

ବଡ଼ କଥା ହେଉଛି, ଏହି ବିଜ୍ଞାପନ ଦେଖିବା ପରେ ବହୁ ଗ୍ରାହକ ସେମାନଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। ଏମିତିକି ଧାର୍ଯ୍ୟ ଦରଠାରୁ କିଛି ଅଧିକ ଦାମ୍ ଦେବାକୁ ମଧ୍ୟ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି। ଜଣେ ଜମି ଦଲାଲଙ୍କ କହିବା କଥା, ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାଟି ବେଶ୍ ଭଲ। ଜବରଦଖଲକାରୀଙ୍କୁ କ୍ରେତା ଖୋଜିବା କଷ୍ଟ ହେଉନାହିଁ। ପୁଣି ଭଲ ଦାମ୍‌ ଦେବା ଭଳି ଗ୍ରାହକ ମିଳୁଛନ୍ତି। ପୂର୍ବରୁ ଯେଉଁ ବସ୍ତିର ଜମି ସେହି ବସ୍ତିବାସିନ୍ଦାଙ୍କ ପରିଚିତ ଲୋକ କିଣୁଥିଲେ। ଫଳରେ ଭଲ ଦାମ୍‌ ମିଳୁ ନଥିଲା। କିନ୍ତୁ ଏବେ ବାହାର ଗ୍ରାହକ ଯୋଗାଡ଼ ହୋଇପାରୁଛି ଓ ଭଲ ଦରରେ ଜମି ବିକ୍ରି ହୋଇପାରୁଛି। ସେହିଭଳି ଜଣେ କ୍ରେତାଙ୍କ କହିବା କଥା, ପୂର୍ବରୁ କେଉଁ ବସ୍ତିରେ ଜମି ମିଳୁଛି, ତାହା ଜାଣିବା ସହଜ ହେଉ ନଥିଲା। କିନ୍ତୁ ଏବେ ଏଭଳି ବିଜ୍ଞାପନ ଜମି ବାବଦରେ ସଠିକ୍‌ ସୂଚନା ଦେଇ ପାରୁଛି ଓ ଜମି କିଣାବିକାରେ ବି ଠକାମି ସମ୍ଭାବନା କମ୍ ରହୁଛି।

ସୂଚନାଯୋଗ୍ୟ, ସାଲିଆସାହି, ବିର୍ସା ମୁଣ୍ଡା ବସ୍ତି, ମୈତ୍ରୀବିହାର ବସ୍ତି, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାର ବସ୍ତି, କନ୍ୟାଶ୍ରମ ବସ୍ତି, ଚୁନୁକୋଳି ଓ ଚିରଗାଲଟୋଲା ବସ୍ତି ସମେତ ପଟିଆ କଳାରାହାଙ୍ଗ ଅଞ୍ଚଳରେ ମାଫିଆମାନେ ବସ୍ତି ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରି ଗ୍ରାହକମାନଙ୍କୁ ମୋଟା ଅଙ୍କରେ ବିକ୍ରି କରୁଛନ୍ତି। ଏ ବାବଦରେ ଗରିବ ବସ୍ତିବାସିନ୍ଦାମାନଙ୍କ ପକ୍ଷରୁ ଅଭିଯୋଗ କରିବାର କିଛି କାରଣ ନଥିବାରୁ ମାଫିଆମାନେ ବିନା ବାଧାରେ ଏହି କାରବାର ଚଳାଇଛନ୍ତି। ସେହିଭଳି ବିଡିଏ ବା ବିଏମ୍‌ସି ପକ୍ଷରୁ ସରକାରୀ ଜମି ଚିହ୍ନଟ କରି ତାରବାଡ଼ ଘେରାଇବା ବ୍ୟବସ୍ଥା ନଥିବାରୁ ଏହି ବେପାର ବେଧଡ଼କ ଚାଲିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe