କାନ୍ସ ପରେ ୫ ଦେଶର ଚଳଚ୍ଚିତ୍ର ଉତ୍ସବରେ ପହଞ୍ଚିବ ସମ୍ବଲପୁରୀ ମାସ୍କ

Advertisment

ଅନ୍ତର୍ଜାତୀୟ ବଜାରରେ ସମ୍ବଲପୁରୀ ହସ୍ତତନ୍ତ

ଅନ୍ତର୍ଜାତୀୟ ବଜାରରେ ସମ୍ବଲପୁରୀ ହସ୍ତତନ୍ତ

କାନ୍ସ ପରେ ୫ ଦେଶର ଚଳଚ୍ଚିତ୍ର ଉତ୍ସବରେ ପହଞ୍ଚିବ ସମ୍ବଲପୁରୀ ମାସ୍କ

ଭୁବନେଶ୍ବର: ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସମ୍ବଲପୁରୀ ହସ୍ତତନ୍ତ। କରୋନା ଦୃଷ୍ଟିରୁ ସମ୍ବଲପୁରୀ ହସ୍ତତନ୍ତର ପ୍ରତିନିଧି ସ୍ବରୂପ ସମ୍ବଲପୁରୀ ମାସ୍କର ବଣ୍ଟନ କରି ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ଚଳଚ୍ଚିତ୍ର ପ୍ରମୋଟର ତଥା ‘ଆଇ ଆମ କଲାମ’ର ସହକାରୀ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର। ନିକଟରେ ସେ ୫୦୦ ସମ୍ବଲପୁରୀ ମାସ୍କ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ବାଣ୍ଟିବା ପରେ ଚେକୋସ୍ଲୋଭାକିଆ, ଅଷ୍ଟ୍ରିଆ, କୋରିଆରେ ଆୟୋଜିତ ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ସମ୍ବଲପୁରୀ ମାସ୍କ ବଣ୍ଟନ କରି ଚର୍ଚ୍ଚିତ ହୋଇଛନ୍ତି। ଡିସେମ୍ବର ମାସ ସୁଦ୍ଧା ଆହୁରି ୫ ଦେଶ ଜର୍ମାନ, ସ୍ପେନ, ପୋଲାଣ୍ଡ, ଗ୍ରୀସ, ଜାପାନରେ ମଧ୍ୟ ସମ୍ବଲପୁରୀ ହସ୍ତତନ୍ତକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଜିତେନ୍ଦ୍ର।

ଜିତେନ୍ଦ୍ର କହନ୍ତି, ୨୦୨୦ ମସିହାରେ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପନା ଦେଶ, ଅପନା ମାସ୍କ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନର ଲକ୍ଷ୍ୟ ଥିଲା, କେବଳ ସର୍ଜିକାଲ କି ଏନ୯୫ ମାସ୍କ ନୁହେଁ ଘରେ ନିର୍ମିତ ମାସ୍କ ମଧ୍ୟ ଲୋକଙ୍କୁ କୋଭିଡ‌୍‌ରୁ ସୁରକ୍ଷିତ ରଖିବା। ଏହାର ଏକ ଅଂଶ ବିଶେଷ ଥିଲେ ଜିତେନ୍ଦ୍ର। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଶ୍ରୀତମ, ବରଗଡ଼ ଜିଲ୍ଲାର ପ୍ରୀତିଶ, ପ୍ରୀତି ସମ୍ବଲପୁରୀ ମାସ୍କ ତାଙ୍କୁ ଉପହାର ସ୍ବରୂପ ପ୍ରଥମେ କୋରିୟର ପଠାଇଥିଲେ। ଏହା ଦେଖିବାକୁ ଏତେ ସୁନ୍ଦର ଥିଲା ଯେ ନିଜେ ଜିତେନ୍ଦ୍ର ଏହାକୁ ବିକାଶ ଖନ୍ନା, ନିନା ଗୁପ୍ତାଙ୍କ ଭଳି ଅନେକ ସେଲିବ୍ରିଟିଙ୍କୁ ପଠାଇଥିଲେ।

୨୦୨୧ ଜୁଲାଇରେ ଜୀବନଯାତ୍ରା ସ୍ବାଭାବିକ ହେବା ପରେ କୋରିଆ ଚଳଚ୍ଚିତ୍ର ଉତ୍ସବରେ ସମ୍ବଲପୁରୀ ମାସ୍କ ଦେଇଥିଲେ। କାନ୍ସ ଚଳଚିତ୍ର ଉତ୍ସବରେ ପ୍ରଯୋଜକ, ପ୍ରମୋଟରଙ୍କୁ ଦେବା ଏକ ନିଆରା ଅନୁଭବ ଥିଲା। ସେମାନେ ସମ୍ବଲପୁରୀ ମାସ୍କକୁ କେବଳ ନିଜେ ବ୍ୟବହାର କରିନଥିଲେ। ନିଜ ସାମାଜିକ ଗଣମାଧ୍ୟମରେ ଅପଲୋଡ କରି ପ୍ରଚାର-ପ୍ରସାର କରିଛନ୍ତି। ଏହାକୁ ପିନ୍ଧି ଖୁସି ବ୍ୟକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଜିତେନ୍ଦ୍ର ମିଶ୍ର ଆଇ ଆମ କଲାମ ପରେ ଓଡ଼ିଶା ଏବଂ ଦେଶରେ ସ୍ବତନ୍ତ୍ର ପରିଚୟ ପାଇଛନ୍ତି। ୨୦୧୨ ମସିହାରୁ ଲଗାତାର କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାଗ ନେଉଛନ୍ତି। ଚଳିତ ବର୍ଷ ନିଜ ପତ୍ନୀଙ୍କ ସହିତ ସମ୍ବଲପୁରୀ ପୋଷାକ ପିନ୍ଧି ରେଡ କାର୍ପେଟରେ ଚାଲିଥିଲେ। ଜାତୀୟସ୍ତରରେ ସମ୍ବଲପୁରୀ ହସ୍ତତନ୍ତର ବଜାର ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରକୁ ପ୍ରବେଶ କଲେ ଏହା ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe