The Indian Express
ଚନ୍ଦ୍ରଶେଖରପୁର: ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଚଳଚ୍ଚିତ୍ର ରୋମିଓ ରାଜା ସଫଳ ହେବା ପରେ ଏବେ ଆଉ ୩ ପ୍ରଯୋଜନା ସଂସ୍ଥା ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଥିବା ସୂଚନା ମିଳିଛି। ଆର୍ଆର୍ ଇଭେଣ୍ଟସ୍, ସାଇନିଂ କି ଫିଲ୍ମସ୍ ଓ କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେଣୁ ବଲିଉଡ୍ ସହ ତାଳ ଦେଇ ଏଣିକି ଓଡ଼ିଆ ଚଳଚ୍ଚିତ୍ର ଜଗତ ଓଟିଟି ପ୍ଲାଟଫର୍ମରେ ନିଜର ଅସ୍ତିତ୍ବ ଜାହିର୍ କରିବ ବୋଲି ସିନେ ସମୀକ୍ଷକମାନେ ଆଶାପୋଷଣ କରିଛନ୍ତି। ଓଟିଟି ଫ୍ଲାଟଫର୍ମ ଆଗାମୀ ଦିନର ଭବିଷ୍ୟତ।
ମହାମାରୀ କରୋନା ପାଇଁ ପ୍ରେକ୍ଷାଳୟ ସବୁ ବନ୍ଦ ହେବା ପରେ ଚଳଚ୍ଚିତ୍ର ଜଗତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ତେବେ ଓଡ଼ିଆ ଚଳଚ୍ଚିତ୍ର ‘ରୋମିଓ ରାଜା’ ପ୍ରଥମଥର କରି ପରୀକ୍ଷାମୂଳକ ଭାବେ ଓଟିଟିରେ ରିଲିଜ୍ ହୋଇ ଭଲ ଆୟ କରିଛି ବୋଲି ଏସକେଏଫ୍ ନିର୍ଦେଶକ ରାକେଶ ସାମଲ ପ୍ରକାଶ କରିଛନ୍ତି। ତେଣୁ ଉପରୋକ୍ତ ୩ ପ୍ରଯୋଜନା ସଂସ୍ଥା ଏବେ ଓଟିଟିମୁହାଁ ହୋଇଛନ୍ତି। କରୋନା ସଂକଟ ସମୟରେ କିଛି ଘରୋଇ ଟିଭି ଚ୍ୟାନେଲ୍ ନିଜର ଚ୍ୟାନେଲ୍ ପାଇଁ ଟେଲିଫିଲ୍ମ ତିଆରି କରୁଛନ୍ତି। ମାତ୍ର ଅନ୍ୟ ସବୁ ପ୍ରଯୋଜନା ସଂସ୍ଥା ହାତବାନ୍ଧି ବସିଛନ୍ତି। ଫଳରେ ଶହଶହ କଳାକାର ଓ ଚଳଚ୍ଚିତ୍ର ଜଗତ ସହ ଯୋଡ଼ି ହୋଇଥିବା ବ୍ୟକ୍ତିମାନେ ରୋଜଗାର ହରାଇଛନ୍ତି। ତେଣୁ ଓଟିଟି ପ୍ଲାଟଫର୍ମ ଏହି ସବୁ ଲୋକଙ୍କ ପାଇଁ ଆଶା ସୃଷ୍ଟି କରିଛି ବୋଲି କୁହାଯାଉଛି। ବଡ଼ କଥା ହେଉଛି, ଓଟିଟି ପ୍ଲାଟଫର୍ମରେ କେବଳ ଭଲ କାହାଣୀ, ସଂଳାପ ଥିବା ଫିଲ୍ମ ଦେଖିବାକୁ ମିଳିବ। ତେଣୁ ଓଡ଼ିଆ ଚଳଚ୍ଚିତ୍ର ଏକ ନୂଆ ଯୁଗରେ ପାଦ ଦେବ ବୋଲି ଆଶା କରାଯାଉଛି।
Follow Us