ପୁଅର ମୃତ୍ୟୁ ପରେ ୮୫ ବର୍ଷୀୟା ବୃଦ୍ଧା ଅଲୋଡ଼ା, ୪ବର୍ଷ ହେଲା ଘରେ ପୂରାଇ ଦେଉନାହାନ୍ତି ବୋହୂ ଓ ନାତି

ପୁଅର ମୃତ୍ୟୁ ପରେ ୮୫ ବର୍ଷୀୟା ବୃଦ୍ଧା ଅଲୋଡ଼ା, ୪ବର୍ଷ ହେଲା ଘରେ ପୂରାଇ ଦେଉନାହାନ୍ତି ବୋହୂ ଓ ନାତି

ଭୁବନେଶ୍ବର : ପୁଅ ମରିଗଲା ବୋଲି ମାଆକୁ ୪ ବର୍ଷ ହେଲା ଘରୁ ତଡ଼ି ଦେଇଛନ୍ତି ବୋହୂ ଓ ନାତି। ଘରକୁ ଗଲେ ନାତି ମାଡ଼ ମାରିବ ବୋଲି ଧମକ ଦେଇ ଘରେ ପୂରାଇ ଦେଉନି। ଏଭଳି ଏକ ଅଭିଯୋଗ ନେଇ ଧଉଳି ଥାନା ଅନ୍ତର୍ଗତ ପଳାସପୁର ଶାସନ ଗ୍ରାମର ୮୫ ବର୍ଷୀୟା ବୃଦ୍ଧା ପ୍ରମିଳା ଦାସ ଭୁବନେଶ୍ବର ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପ୍ରମିଳାଙ୍କ କହିବାନୁଯାୟୀ ଗତ ୨୦୧୬ରେ ତାଙ୍କ ବଡ଼ ପୁଅ ଅକ୍ଷୟ ମରିଗଲା। ପର ବର୍ଷ ସାନପୁଅ ଅମୂଲ୍ୟ ମଧ୍ୟ ଚାଲିଗଲା। ଦୁଇପୁଅକୁ ବାହୁନି ବାହୁନି ପ୍ରମିଳା ଦିନ କାଟୁଥିବା ବେଳେ ବଡ଼ ବୋହୂ ଆରମ୍ଭ କରିଥିଲା ଅକଥନୀୟ ନିର୍ଯାତନା। ଶେଷରେ ବୋହୂ ନିଜ ବଡ଼ ପୁଅ ରଂଜନକୁ ଲଗାଇ ଘରୁ ତଡ଼ିଦେଲେ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘରେ ରହିବାକୁ ଜାଗା ନ ମିଳିବାରୁ ବାଧ୍ୟ ହୋଇ ପ୍ରମିଳା ଝିଅ ପାଖକୁ ଗଲେ। ଝିଅ ବି କିଛି ଦିନ ରଖିବା ପରେ ଏବେ ତା’ ଶାଶୂଘର ଲୋକେ ନାନା କଥା କହୁଛନ୍ତି। ଘରକୁ ଫେରିବାକୁ ଚାହୁଁଥିଲେ ହେଁ ଘରକୁ ଆସିପାରୁନଥିବାରୁ ସେ ପ୍ରଥମେ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଥାନା କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ (ଆଇଏଚ୍‌ଆର୍‌ସି) ସହଯୋଗରେ ସେ ଆଜି ଡିସିପିଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ଆଜି ତାଙ୍କ ସହିତ ଓଡ଼ିଶା ଆଇଏଚ୍‌ଆର୍‌ସି ମୁଖ୍ୟ ଶିବସୁନ୍ଦର ସ୍ବାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଧଉଳି ଥାନା କର୍ତ୍ତୃପକ୍ଷଙ୍କୁ ଘଟଣା ସଂପର୍କରେ ପଚରାଯାଇଥିଲେ ହେଁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe