ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ବିଷ ପିଇଦେଲେ ସ୍ବାମୀ

Advertisment

ଲକ୍ଷ୍ମୀସାଗର ହୁଲ୍‌ସ୍ତୁଲ

ଲକ୍ଷ୍ମୀସାଗର ହୁଲ୍‌ସ୍ତୁଲ

ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ବିଷ ପିଇଦେଲେ ସ୍ବାମୀ

ଭୁବନେଶ୍ବର: ସମ୍ପ୍ରତି ରାଜଧାନୀରେ ଘଟୁଥିବା ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ ଆଜି ପୁଣି ଏକ ପ୍ରତିଷ୍ଠିତ ବ୍ୟବସାୟୀ ଦମ୍ପତିଙ୍କ ଏଭଳି କାଣ୍ଡ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ତ୍ରୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିବା ପରେ ସ୍ବାମୀ ବିଷ ପିଇ ଦେଇଥିଲେ। ତେବେ ସୌଭାଗ୍ୟକୁ ଠିକଣା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ସେ ବର୍ତ୍ତି ଯାଇଛନ୍ତି। ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ନିକଟ ସିଦ୍ଧେଶ୍ବରୀ ଆପାର୍ଟମେଣ୍ଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତା ମହିଳା ହେଲେ ସଞ୍ଜନା ପେରିୱାଲ୍‌(୪୧) ଓ ଆତ୍ମହତ୍ୟା ଉଦ୍ୟମରୁ ବଞ୍ଚିଯାଇଥିବା ତାଙ୍କ ସ୍ବାମୀ ହେଲେ ସଞ୍ଜୟ ପେରିୱାଲ(୪୫)। ସଞ୍ଜୟ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତେବେ ବ୍ୟବସାୟୀ ଦମ୍ପତିଙ୍କ ଏଭଳି ଚରମ ପଦକ୍ଷେପ ପଛରେ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ଜାରି ରହିଛି।

ସୂଚନା ମୁତାବକ, ସିଦ୍ଧେଶ୍ବରୀ ଆପାର୍ଟମେଣ୍ଟର ୪୦୫ ନମ୍ବର ଫ୍ଲାଟ୍‌ରେ ରହୁଥିବା ଏହି ଦମ୍ପତିଙ୍କର ଚିନ୍ତାମଣିଶ୍ବର ଅଞ୍ଚଳରେ ଏକ ଶାଢ଼ି ହୋଲ୍‌ସେଲ୍‌ ପ୍ରତିଷ୍ଠାନ ରହିଛି। ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମନୋମାଳିନ୍ୟ ନଥିଲା ବୋଲି ପଡ଼ୋଶୀମାନେ କହିଛନ୍ତି। ସବୁଦିନ ଭଳି ଆଜି ସକାଳୁ ଝିଅ ଓ ପୁଅଙ୍କୁ ବସ୍‌ରେ ସ୍କୁଲ୍‌କୁ ପଠାଇଥିଲେ। ପରେ ସଞ୍ଜୟ ତାଙ୍କ ଗୋଦାମକୁ ଚାଲିଯାଇଥିଲେ। ପ୍ରତିଦିନ ସଞ୍ଜୟ ଓ ସଞ୍ଜନା ଏକାଠି ଗୋଦାମକୁ ଯାଉଥିବା ବେଳେ ଆଜି ସଞ୍ଜୟ ଆଗରେ ଯାଇଥିଲେ ଓ ସଞ୍ଜନା ପଛରେ ଯିବେ ବୋଲି କହିଥିଲେ। କିନ୍ତୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସଞ୍ଜନା ଗୋଦାମକୁ ନ ଆସିବାରୁ ସଞ୍ଜୟ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ନ ଉଠାଇବାରୁ ସଞ୍ଜୟଙ୍କର ସନ୍ଦେହ ହୋଇଥିଲା। ତେଣୁ ପାଖରେ କାମ କରୁଥିବା ପୁତୁରା ଶୁଭମ୍‌କୁ ସେ ଘରକୁ ପଠାଇଥିଲେ। ଶୁଭମ୍‌ ଘରେ ପହଞ୍ଚିବା ବେଳକୁ ସଞ୍ଜନାଙ୍କ ମୃତଦେହ‌ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସଞ୍ଜୟଙ୍କୁ ତୁରନ୍ତ ଆସିବାକୁ କହିଥିଲେ। ସଞ୍ଜୟ ଘରେ ପହଞ୍ଚିଥିଲେ ଓ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖି ହଠାତ୍ ବାଥୁରୁମ୍‌ରେ ପଶି ଭିତରକୁ ଡୋର୍ ବନ୍ଦ କରିଦେଇଥିଲେ। ଭିତରେ ସେ ବାଥ୍‌ରୁମ୍‌ କ୍ଲିନର ପିଇ ଦେଇଥିଲେ। ଶୁଭମ୍‌ଙ୍କ ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସି ତୁରନ୍ତ ଉଭୟଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା।

ବୁଧବାର ରାତିରେ ସଞ୍ଜୟ ସପରିବାର ‌ଏକ ଫ୍ୟାମିଲି ଗେଟ୍‌ ଟୁଗେଦର ପାର୍ଟିରେ ଯୋଗଦେବା ପାଇଁ କଟକ ଯାଇଥିଲେ। ପାର୍ଟି ସାରି ରାତିରେ ଘରକୁ ଫେରିଥିଲେ। ଆଜି ସନ୍ଧ୍ୟାରେ ସମସ୍ତେ ପୁରୀ ଯାଇଥାଆନ୍ତେ। ତେଣୁ ସବୁ କିଛି ଠିକଠାକ୍ ଥିବା ବେଳେ ହଠାତ୍ ଏସବୁ କ’ଣ ପାଇଁ ଘଟିଲା ବୋଲି ପଡ଼ୋଶୀମା‌ନେ ବିସ୍ମୟ ପ୍ରକାଶ କରିଛନ୍ତି। ଉପରକୁ ସବୁ କିଛି ଠିକ ଜଣାପଡ଼ୁଥିଲେ ହେଁ ଦମ୍ପତିଙ୍କ ମଧ୍ୟରେ କିଛି ବଡ଼ଧରଣର ବିବାଦ ଛପି ରହିଥିଲା ବୋଲି ଅନୁମାନ କରାଯାଉଛି। ସଞ୍ଜୟ ସୁସ୍ଥ ହେବା ପରେ ହିଁ ଘଟଣା ପଛର ରହସ୍ୟ ଉପରୁ ପର୍ଦ୍ଦା ହଟିପାରିବ ବୋଲି ପୁଲିସ କହିଛି। ତେବେ ପୁଲିସ ଉଭୟଙ୍କ ମୋବାଇଲ୍‌କୁ ଜବତ କରି ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ କିଛି ଦିନ ଭିତରେ ରାଜଧାନୀରେ ବହୁ ଚର୍ଚ୍ଚିତ ଆତ୍ମହତ୍ୟା ଦେଖିବାକୁ ମିଳିଛି। ବଲିଉଡ୍‌ର ବିଶିଷ୍ଟ ଖଳନାୟକ ରାଇମୋହନ, ଟେଲି ଅଭିନେତ୍ରୀ ରଶ୍ମିରେଖା ଓ ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଏବେ ବି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe