ରାଜମହଲରୁ ଏଜି ଛକ ଡିଭାଇଡର୍‌: ପାର୍କକୁ ପୋତି ଦେଲାଣି ଆବର୍ଜନା

ରାଜମହଲରୁ ଏଜି ଛକ ଡିଭାଇଡର୍‌: ପାର୍କକୁ ପୋତି ଦେଲାଣି ଆବର୍ଜନା

ଭୁବନେଶ୍ବର: ଦିନେ ଏହି ଡିଭାଇଡର୍‌ ପାର୍କ ସଦୃଶ ଥିଲା। ବିଭିନ୍ନ ବଡ଼ ଗଛ ସାଙ୍ଗକୁ ସୁନ୍ଦର ସୁନ୍ଦର ସୋ’ ଗଛ, ରଙ୍ଗିନ୍‌ ଲାଇଟ୍‌ ଓ ୱାଟର୍‌ ଫାଉଣ୍ଟେନ୍‌ ଏହି ଡିଭାଇଡର୍‌କୁ ବଡ଼ ଆକର୍ଷଣୀୟ ଭାବେ ସଜାଇଥିଲା। ରାଜଧାନୀର ବ୍ୟସ୍ତବହୁଳ ପ୍ରମୁଖ ରାସ୍ତାଟି ବେଶ୍ ସୁନ୍ଦର ଦେଖାଯାଉଥିଲା ଓ ରାଜଧାନୀର ସୌନ୍ଦର୍ଯ୍ୟ ବଢ଼ାଉଥିଲା। କିନ୍ତୁ ଆଜି ତାହା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇରହିଛି। ପୂରା ଶ୍ରୀହୀନ ହୋଇପଡ଼ିଛି ସ୍ଥାନଟି। ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମଧ୍ୟସ୍ଥ ଡିଭାଇଡର୍‌ ଏବେ ଏମିତି ଅଳିଆ ଗଦା ହୋଇରହିଛି। ସ୍ମାର୍ଟସିଟିର ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟୟ କରାଯାଇଥିବା ବିପୁଳ ଅର୍ଥ ପାଣିରେ ପଡ଼ିଛି ବୋଲି ଅଭିଯୋଗ ହେଉଛି।

ରାଜମହଲ ଛକ ଓଭରବ୍ରିଜରୁ ଏଜି ଛକ ପର୍ଯ୍ୟନ୍ତ ଅର୍ଥାତ୍ ୧ନମ୍ବର ମାର୍କେଟ୍‌(କ୍ୟାପିଟାଲ ହାଟ) ଓ ୨ ନମ୍ବର ମାର୍କେଟ ବିଲ୍ଡିଂ ମଝିରେ ଥିବା ଡିଭାଇଡର୍‌ର ଅବସ୍ଥା ଏବେ ବଡ଼ ଶୋଚନୀୟ। ଦିନ ଥିଲା, ଏଠାରେ ଥିବା ଗଛ, ୱାଟର୍‌ ଫାଉଣ୍ଟେନ୍‌, ରଙ୍ଗିନ୍‌ ଆଲୋକ ବଡ଼ ମନୋରମ ଦୃଶ୍ୟ ହୋଇଥିଲା। ଲୁହାଗ୍ରିଲ୍ ମଧ୍ୟରେ ଏସବୁ ପାର୍କ ଭଳି ଲାଗୁଥିଲା। ରାସ୍ତା ମଝିରେ ଏହା ଏକ ଛୋଟ ପାର୍କର ଭ୍ରମ ସୃଷ୍ଟି କରୁଥିଲା। ମାତ୍ର ରକ୍ଷାଣବେକ୍ଷଣ ଅଭାବରୁ ଏବେ ସବୁ ନଷ୍ଟ ହୋଇଗଲାଣି। ଛୋଟ ଛୋଟ ସୋ’ ଗଛ ସବୁ ନଷ୍ଟ ହୋଇଗଲାଣି। ୱାଟର୍‌ ଫାଉଣ୍ଟେନ୍‌ ଦୀର୍ଘ ସମୟ ଧରି ଅଚଳ ରହିବାରୁ ହୋଇ ସେଥିରେ କଳଙ୍କି ଲାଗି ଗଲାଣି। ଗ୍ରିଲ୍ ମଝିରେ ଥିବା ସିମେଣ୍ଟ କଂକ୍ରିଟ୍‌ ଖମ୍ବଗୁଡ଼ିକ ଭାଙ୍ଗିଗଲାଣି। ଗ୍ରିଲ୍‌ର କିଛି ଅଂଶକୁ ଦୁର୍ବୃତ୍ତମାନେ ଚୋରି କରି ନେଇଗଲେଣି। ଏବେ ଦୁଇ ହାଟର କିଛି ବ୍ୟବସାୟୀ ଓ ଏକ ଠିକାଦାର ସଂସ୍ଥା ଅଳିଆ ଆବର୍ଜନା ପକାଉଛନ୍ତି। ସେଠାରୁ ଅଳିଆ ଉଠାଯାଉନଥିବାରୁ ଡିଭାଇଡର୍‌ ଭିତରେ ଆବର୍ଜନା ଗଦା ହୋଇ ରହିଛି।

ସୂଚନାନୁଯାୟୀ, ୨୦୦୫ ଫେବ୍ରୁଆରି ୧୩ ତାରିଖରେ ୟୁନିଟ୍-୧ ହାଟ ଓ ୟୁନିଟ୍-୨ ବଜାରକୁ ଭୂତଳ ରାସ୍ତା ଦ୍ବାରା ସଂଯୋଗ କରିବାକୁ ଶିଳାନ୍ୟାସ କରାଯାଇଥିଲା। ପରେ ପରେ ଏହି ଡିଭାଇଡର୍‌ର ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। କିନ୍ତୁ କିଛି ଦିନ ପରେ କେହି ଏହାର ରକ୍ଷାଣବେକ୍ଷଣ ପ୍ରତି ଦୃଷ୍ଟି ଦେଲେ ନାହିଁ। ସ୍ଥାନୀୟ ବ୍ୟବସାୟୀ ରତ୍ନାକର ପରିଡ଼ାଙ୍କ କହିବା କଥା, ୨ ବର୍ଷରୁ ଅଧିକ ଦିନ ହେଲାଣି ଏହା ସେମିତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏନେଇ ବିଡିଏ ଅଧିକାରୀ ଅଶୋକାନନ୍ଦ ଧୀରଙ୍କ କହିବା କଥା, ଏହାର ନବୀକରଣ ପାଇଁ ନୂଆ ନକ୍ସା ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏହା ପୁଣି ସୌନ୍ଦର୍ଯ୍ୟର ଭଣ୍ଡାର ହୋଇ ମୁଣ୍ଡ ଟେକିବ। କିନ୍ତୁ ଏଠାରୁ ଅଳିଆ ହଟାଇବା ବା ଆବର୍ଜନ ନ ପକାଇବାକୁ ନିର୍ଦ୍ଦେଶ ଦେବା ନେଇ ସେ କିଛି କହିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe