ପୁଣି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ, ମଲ୍‌ସାରା ଧୂଆଁ, ଗ୍ରାହକ ଆତଙ୍କିତ

Advertisment
ପୁଣି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ, ମଲ୍‌ସାରା ଧୂଆଁ, ଗ୍ରାହକ ଆତଙ୍କିତ

ଭୁବନେଶ୍ବର: ବିଏମ୍‌ସି କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ। ରଜ ପାଇଁ ମାର୍କେଟିଂ କରିବାକୁ ଶହ ଶହ ଲୋକଙ୍କ ଭିଡ଼ ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ମଲ୍‌ ସାରା ଧୂଆଁ ଭର୍ତ୍ତି ହୋଇଯିବାରୁ ସେଠାରେ ଧାଁ ଧଉଡ଼ ଚାଲିଥିଲା। ଯିଏ ଯେଉଁଠି କିଣାକିଣି କରୁଥିଲେ ସେଠାରୁ ଉଠି ବାହାରକୁ ଦଉଡ଼ିବାକୁ ଆରମ୍ଭ କରିଥିଲେ। ଯିଏ ଉପର ମହଲାରେ ଥିଲେ ଗ୍ରାଉଣ୍ଡ ଫ୍ଲୋର୍‌କୁ ଦଉଡ଼ିଥିଲେ। ନିଆଁ ବ୍ୟାପିବା ଭୟରେ ମଲ୍‌କୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା। ଫଳରେ ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ନିଆଁ ସୌଭାଗ୍ୟବଶତଃ ଅନ୍ୟ ଦୋକାନକୁ ବ୍ୟାପିନଥିଲା। ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ଓ ବାଲି ପକାଇ ବ୍ୟବସାୟୀମାନେ ଦମ୍‌କଳ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ।

ମଲ୍‌ର ଦ୍ବିତୀୟ ମହଲାରେ ଥିବା ବ୍ୟାଟେରି ରୁମ୍‌ର ଫ୍ୟାନ୍‌ରେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଥିଲା। ମଲ୍‌ରେ ଥିବା ସିଟି ଫ୍ୟାସନ ଦୋକାନ ପାଖରେ ଥିବା ଏକ ମ୍ୟାଟ୍‌ ଜଳୁଥିବା ଜଣେ କର୍ମଚାରୀ ଦେଖିବା ପରେ ଆତଙ୍କ ଖେଳି ଯାଇଥିଲା। ମଲ୍ କର୍ମଚାରୀମାନେ ଲାଗିପଡ଼ି ନିଆଁ ଲିଭାଇଥିଲେ। ଗତ ଏପ୍ରିଲ୍‌ ୧୫ରେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୮ଟି ଦୋକାନରୁ ୧୦ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଜଳି ଯାଇଥିଲା। ସେତେବେଳେ ଗ୍ରାହକ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ।

ରବିବାର ଦିନ ପ୍ରବଳ ଭିଡ଼ ହୋଇଥିଲେ ମଧ୍ୟ ନିଆଁ ନ ବ୍ୟାପିବାରୁ କର୍ତ୍ତୃପକ୍ଷ ପୁଣି ଥରେ ବର୍ତ୍ତିଗଲେ। ମାତ୍ର ଦୁଇ ମାସର ବ୍ୟବଧାନରେ ଗୋଟିଏ ମଲ୍‌ରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଘଟିବା କର୍ତ୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି। ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ସେ ନେଇ ବିଏମ୍‌ସି କାହିଁକି ଚିନ୍ତା କରୁନାହିଁ, ଯେଉଁଥିପାଇଁ ଧନଜୀବନ ପ୍ରତି ବିପଦ ରହୁଛି। ଆଜି କୌଣସି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ବୋଲି କେତେକ ଗ୍ରାହକ ପ୍ରଶ୍ନ କରିଛନ୍ତି। ପ୍ରଥମ ଅଘଟଣ ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଦୁର୍ବଳ ୱେୟାରିଂ ଓ ଅନ୍ୟ ସମସ୍ତ ଅଗ୍ନିକାଣ୍ଡର ମୂଳକୁ ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ଘଟଣାର ପୁନରାବୃତ୍ତି ହୋଇନଥାନ୍ତା ବୋଲି ସେମାନେ କହିଛନ୍ତି। ଗୋଟିଏ ମଲ୍‌ରେ ଦୁଇ ଦୁଇଥର ଅଗ୍ନିକାଣ୍ଡ ଘଟିବା ପରେ ଅନ୍ୟ ମଲ୍‌ଗୁଡ଼ିକ ସୁରକ୍ଷିତ ଅଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପଟେ ଅଗ୍ନିକାଣ୍ଡ ଖବର ପାଇ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ। ମଲ୍‌ଗୁଡ଼ିକୁ କିଭଳି ଅଗ୍ନିକାଣ୍ଡରୁ ମୁକ୍ତ ରଖାଯାଇ ପାରିବ ସେ ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe