ପୁଣି ବାଲିପାଟଣାରେ ଢାଲିଙ୍କୁ ବିରୋଧ

Advertisment

କଳାପତାକା ଦେଖାଇଲେ, କୁଶପୁତ୍ତଳିକା ଦାହକଲେ

କଳାପତାକା ଦେଖାଇଲେ, କୁଶପୁତ୍ତଳିକା ଦାହକଲେ

ପୁଣି ବାଲିପାଟଣାରେ ଢାଲିଙ୍କୁ ବିରୋଧ

ବାଲିପାଟଣା: ଆଜି ପୁଣି ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କଳି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଅପରାହ୍ଣରେ ନରିଶୋଠାରେ ବିଜେଡିର ଏକ ଗୋଷ୍ଠୀ ବିଧାୟକ ଅରବିନ୍ଦ ଢାଲିଙ୍କୁ କଳାପତକା ଦେଖାଇବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଅବଶ୍ୟ ପୁଲିସର କଡ଼ା ସୁରକ୍ଷାରେ ଥିବା ବିଧାୟକ ଶ୍ରୀ ଢାଲି ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ସୁରୁଖୁରୁରେ ଫେରିଛନ୍ତି।

ସୂଚନାନୁସାରେ ନରିଶୋ ପଞ୍ଚାୟତରେ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ବିଧାୟକ ଶ୍ରୀ ଢାଲିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅପରାହ୍ଣରେ ସେ ନରିଶୋରେ ପହଞ୍ଚିବା ବେଳକୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲଙ୍କ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ। ‘ବିଜେଡି ଜିନ୍ଦାବାଦ’, ‘ଅରବିନ୍ଦ ଢାଲି ମୁର୍ଦାବାଦ’ ନାରା ଦେଇ ସେମାନେ କଳାପତାକା ପ୍ରଦର୍ଶନ କରିଥିଲେ।

ବିଧାୟକ ଗାଡ଼ି ସମ୍ମୁଖକୁ ବିରୋଧୀମାନେ ଆସିଯିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ତେବେ ପୁଲିସ ସୁରକ୍ଷିତ ଭାବେ ବିଧାୟକଙ୍କୁ ସଭାସ୍ଥଳରେ ପହଞ୍ଚାଇଥିଲା। ଇନ୍ଦ୍ରଭୁବନ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଢାଲି ଭାଷଣ ଦେଉଥିବା ବେଳେ ବାହାରେ ବିରୋଧୀ ଗୋଷ୍ଠୀ ତାଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି ଦେଇଥିଲେ। ପ୍ରକାଶ ଥାଉକି, ଗତବର୍ଷ ଡିସେମ୍ବରରେ ବିଧାୟକ ଶିଶୁ ଅନନ୍ତ ଆଶ୍ରମ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ବାଲିପାଟଣା ଛକରେ ତାଙ୍କୁ ବିଜେଡିର ଏକ ଗୋଷ୍ଠୀ ତାଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଥିଲେ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରଠୁ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି କଳି ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe