‌୪ ଦିନ ମଞ୍ଚସ୍ଥ ହେବା ପରେ ‘ଆହେ ନୀଳଶଇଳ’ ଉଦ୍‌ଯାପିତ: ଜୟ ଜଗନ୍ନାଥ ଧ୍ବନିରେ ଉଛୁଳିଲା ରବୀନ୍ଦ୍ର ମଣ୍ଡପ

‌୪ ଦିନ ମଞ୍ଚସ୍ଥ ହେବା ପରେ ‘ଆହେ ନୀଳଶଇଳ’ ଉଦ୍‌ଯାପିତ: ଜୟ ଜଗନ୍ନାଥ ଧ୍ବନିରେ ଉଛୁଳିଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର: ମଞ୍ଚ ଉପରେ ଭୁଜ ମେଲାଇ ବସିଥା’ନ୍ତି ମହାବାହୁ। ଅଭିନେତାଙ୍କ ସହ ତାଳରେ ତାଳ ମିଶାଇ ଦର୍ଶକେ ଡାକୁଥା’ନ୍ତି ଜୟ ଜଗନ୍ନାଥ। ପୂରା ପ୍ରେକ୍ଷାଳୟ ଜଗନ୍ନାଥଙ୍କ ଜୟ ଜୟକାର ଧ୍ବନିରେ ଉଛୁଳି ପଡ଼ୁଥାଏ; ସତେକି ଶ୍ରୀମନ୍ଦିର। ସେହିପରି ମୋଗଲ ନାଏବ ତକୀ ଖାଁର କ୍ରୂରତା ଦେଖି ଦର୍ଶକେ ତାତି ଉଠିଥିଲେ। ରାଜା ରାମଚନ୍ଦ୍ର‌ ଦେବଙ୍କ ଅସହାୟତା ଦର୍ଶକଙ୍କ ଆଖିରୁ ଦୁଇଧାର ଲୁହ ଝରାଇଥିଲା। ଗତ ୩ ଦିନ ଭଳି ଆଜି ଶେଷ ସଂଧ୍ୟାରେ ବି ନାଟକ ‘ଆହେ ନୀଳଶଇଳ’ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଭକ୍ତିଭାବରେ ମଞ୍ଚ ନିକଟରେ ବାନ୍ଧି ରଖିଥିଲା।

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ଖିମଜୀ ଜୁଏଲର୍ସ ସହଯୋଗିତାରେ ‘ଚକଲେଟ୍ ପ୍ରଡକ୍ସସନ୍ସ’ ଦ୍ବାରା ପ୍ରସ୍ତୁତ ହୋଇଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ଉଦ୍‌ଯାପିତ ହୋଇଯାଇଛି। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିରୋଧୀ ନାଏବ୍‌ ତକୀ ଖାଁର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ରଦେବ ବହୁ କଷ୍ଟ ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି, ତାହାକୁ କଳାକାରମାନେ ଅତି ନିଖୁଣ ଭାବେ ମଞ୍ଚସ୍ଥ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ।

publive-image

୪ଦିନ ହେଲା ରବୀନ୍ଦ୍ର ମଣ୍ଡପରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତାଙ୍କ ରଚିତ ଏବଂ ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଓଡ଼ିଆ ସିନେମା ଓ ଛୋଟ ପରଦାର ଅନେକ ଜଣାଶୁଣା କଳାକାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ସର୍ବୋପରି ଅଭିନେତାଙ୍କ ବଳିଷ୍ଠ ଅଭିନୟ, ମନଛୁଆଁ ସଂଳାପ, ତିନିଟି ସୁମଧୁର ଗୀତ, ମଞ୍ଚସଜ୍ଜା, ଆଲୋକ ସବୁ ଉଚ୍ଚକୋଟୀର ଥିଲା।

ଆଜିର ଉଦ୍‌ଯାପନୀ ସଭାରେ ନାଟକର ନାଟ୍ୟକାର, ନିର୍ଦ୍ଦେଶକଙ୍କ ସମେତ ବଲିଉଡ୍ ଗାୟକ ଋତୁରାଜ୍ ମହାନ୍ତି, କଣ୍ଠଶିଳ୍ପୀ ନାଜିଆ ଆଲମ୍, ସଂଗୀତ ନିର୍ଦ୍ଦେଶକ ସୌମିତ୍ରୀ ପଲାଇ, ଗୀତିକାର ଗୁରୁ ଶତପଥୀ, ଟିମ୍‌ ମ୍ୟାନେଜର୍‌ ପ୍ରଭାତ ପଣ୍ଡା, କଷ୍ଟ୍ୟୁମ୍ ଡିଜାଇନର୍‌ ରାମୁଲି କ୍ରିଏସନ୍, ସହ ନିର୍ଦ୍ଦେଶକ ଅନନ୍ତ, ସୁବାସ ଓ ଜିତୁ, ଆଲୋକସଜ୍ଜା କରିଥିବା ବିକାଶ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା।

publive-image

ନାଟକରେ ଗଜପତି ଚରିତ୍ରରେ ଲରେନ୍ସ ବେହେରା, ମହାରାଣୀ ଲଳିତା ଭୂମିକାରେ ସୋଫିଆ ଆଲମ୍‌, ତକୀ ଖାଁ ଭାବେ ପ୍ରକାଶ ଜେନା, ରଜିଆ ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ, ମନୀଷା ରଥ, ରାଜେନ୍ଦ୍ର ସ୍ବାଇଁ, ଶମ୍ଭୁ ହୋତା, ଆଶିଷ, ହାଡ଼ୁ, ଗୋବିନ୍ଦ ମହାପାତ୍ର, ଚିନ୍ମୟ, ଉମାକାନ୍ତ, ପାର୍ଥସାରଥୀ, ରଘୁନାଥ ବେହେରା, ଆର୍‌ଜେ କେପି, ସୁନୀଲ ପଢ଼ିହାରି, ସୁଜିତ୍‌ କୁମାର, ବିପ୍ରାଜ୍ଞ ନାୟକ, ପ୍ରଭାତ, କିଶୋର, ଚିତ୍ରସେନ ଓ ଆଲୋକ ଅଭିନୟ କରିଥିଲେ। ଗୀତିକାର ଗୁରୁ ଶତପଥୀଙ୍କ ଗୀତ ଓ ସୌମିତ୍ରୀ ପଲେଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଋତୁରାଜ୍‌, ଶ୍ରୀଚରଣ, ନାଜିଆ ଆଲମ୍‌, ଅଭିଜିତ୍‌ ଓ ଶଶାଙ୍କ କଣ୍ଠଦାନ କରିଥିଲେ। ବିଷୟବସ୍ତୁ ସଙ୍ଗୀତରେ ସୌମିତ୍ରୀ, ଶ୍ରୀକାନ୍ତ, ସତ୍ୟ ଓ ପ୍ରଚ୍ଛଦପଟରେ ଶକ୍ତି ପ୍ରସାଦ ମିଶ୍ର ସହଯୋଗ କରିଥିଲେ। ସହ ନିର୍ଦ୍ଦେଶକ ଅନନ୍ତ, ଜିତେନ୍ଦ୍ର, ସୁବାସ ସହଯୋଗ କରିଥିଲେ। ରେଡିଓ ଚକଲେଟ୍‌ ଆର୍‌.ଜେ ସଂଗ୍ରାମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe