ଏମ୍‌ସ ଆୟୁଷ ବିଭାଗ: ବନ୍ଦ ହୋଇଗଲା ପଞ୍ଚକର୍ମ ଚିକିତ୍ସା

Advertisment

ଅଢ଼େଇ ବର୍ଷ ପରେ ବି ହେଲାନି ସ୍ବତନ୍ତ୍ର କୋଭିଡ୍‌ ୱାର୍ଡ

ଅଢ଼େଇ ବର୍ଷ ପରେ ବି ହେଲାନି ସ୍ବତନ୍ତ୍ର କୋଭିଡ୍‌ ୱାର୍ଡ

ଏମ୍‌ସ ଆୟୁଷ ବିଭାଗ: ବନ୍ଦ ହୋଇଗଲା ପଞ୍ଚକର୍ମ ଚିକିତ୍ସା

ଭୁବନେଶ୍ବର: ଏମ୍‌ସ ଆୟୁଷ ବିଭାଗରେ ଆୟୁର୍ବେଦ ପଞ୍ଚକର୍ମ ଚିକିତ୍ସା ବନ୍ଦ ହୋଇଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ପୁଣିଥରେ ଆୟୁଷ ବ୍ଲକ୍‌‌ରେ ସ୍ବତନ୍ତ୍ର କୋଭିଡ୍‌ ୱାର୍ଡ ଖୋଲିବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଅଢ଼େଇ ବର୍ଷ ତଳେ ଏପରି କରାଯାଇଥିବାରୁ ହସ୍ପିଟାଲରେ ଆୟୁଷ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଏବେ ପୁଣିଥରେ ବିଭାଗକୁ ବନ୍ଦ କରାଯାଇଥିବାରୁ ରୋଗୀ ଓ ଅଭିଭାବକମହଲରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ଏମ୍‌ସ ଆୟୁଷ ବିଭାଗ ପକ୍ଷରୁ ପଞ୍ଚକର୍ମ ଚିକିତ୍ସା ଆରମ୍ଭ ହେବାର ଯୋଜନା ଥିଲା। ଏଥିପାଇଁ ବଶ୍ୟକ ଉପକରଣ ମଧ୍ୟ ପହଞ୍ଚି ଯାଇଥିଲା। ଏହି ଚିକିତ୍ସା ଜରିଆରେ ଚୁଟି ଝଡ଼ିବା, ଚର୍ମ ରୋଗଠାରୁ ଆରମ୍ଭ କରି ମାନସିକ ରୋଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ବିନା ପାର୍ଶ୍ବ ପ୍ରତିକ୍ରିୟାରେ ଚିକିତ୍ସା କରାଯାଇଥାଆନ୍ତା। ଅଟୋଇମ୍ୟୁନ୍‌ ଭଳି ଜଟିଳ ରୋଗର ଚିକିତ୍ସା ପାଇଁ ଷ୍ଟେରଏଡ୍‌ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବିନା ଷ୍ଟେରଏଡ୍‌ରେ ପଞ୍ଚକର୍ମ ଦ୍ବାରା ଏହାର ସଫଳ ଚିକିତ୍ସା ସମ୍ଭବ ବୋଲି ଆର୍ୟୁବେଦିକ ଡାକ୍ତରମାନେ ଦାବି କରନ୍ତି। ତେବେ ବହୁପ୍ରତୀକ୍ଷିତ ଏହି ଚିକିତ୍ସା ପାଇଁ ସବୁପ୍ରକାର ଚେଷ୍ଟା ସରିବା ବେଳକୁ କୋଭିଡ୍‌ ସେଥିରେ ପାଣି ପକାଇଦେଲା।

ରାଜ୍ୟରେ ହୁ’ହୁ’ ହୋଇ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ୨୦୨୦-୨୧ରେ ଏମ୍‌ସର ଏହି ଆୟୁଷ ବ୍ଲକକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇ ସେଠାରେ କୋଭିଡ୍‌ ଡାକ୍ତରଖାନା ଖୋଲିଲା। ସେତେବେଳେ ଏହି ବ୍ଲକରେ କୋଭିଡ୍‌ ଡାକ୍ତରଖାନା ନ ଖୋଲିବା ବ୍ୟତୀତ କର୍ତ୍ତୃପକ୍ଷଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ହିଁ ନଥିଲା। କିନ୍ତୁ ସମୟ ବଦଳିବା ସହ କୋଭିଡ୍‌ ପରିସ୍ଥିତିରେ ସୁଧାର ଆସିଲା। ଉକ୍ତ ବ୍ଲକ୍‌ରେ କୋଭିଡ୍‌ ଡାକ୍ତରଖାନା ବନ୍ଦ ହେବା (୨୦୨୨ ଫେବ୍ରୁଆରି) ପରେ ସେଠାରେ ଆୟୁଷ ଚିକିତ୍ସା ସ୍ବାଭାବିକ ହେବ ବୋଲି ଆଶା କରାଯାଉଥିଲା। ସେଇଆ ବି ହେଲା, ଗତ ଜୁଲାଇ ମାସରେ ପଞ୍ଚକର୍ମ ଚିକିତ୍ସା ଆରମ୍ଭ ହୋଇ ଜଣେ ଚର୍ମ ରୋଗୀଙ୍କ ଚିକିତ୍ସା ମଧ୍ୟ କରାଯାଇଥିଲା। ଯୋଗ ଚିକିତ୍ସା ନେଇ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ପୂର୍ବରୁ ସେଠାରେ ପୁଣି କୋଭିଡ୍‌ ୱାର୍ଡ ଖୋଲିଛି। ରାଜ୍ୟରେ ଏବେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ତାହାକୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ପୁଣିଥରେ ଏପରି ନିଷ୍ପତ୍ତି ନେଇଛନ୍ତି। ଫଳରେ ପୁଣିଥରେ ପଞ୍ଚକର୍ମ ଚିକିତ୍ସା ବନ୍ଦ କରାଯାଇଛି।

‌ତେବେ ଅଢ଼େଇ ବର୍ଷ ପରେ ମଧ୍ୟ କୋଭିଡ୍‌ ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ କରି ଆୟୁଷ ଚିକିତ୍ସାକୁ ସଂକୁଚିତ କରାଯିବା ଘଟଣାକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe