ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଏମ୍‌ସ: କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଆହ୍ବାନପୂର୍ଣ୍ଣ ହେବ

Advertisment

କିଣା ହେବ ଔଷଧ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ପାଇଁ ସଜବାଜ

କିଣା ହେବ ଔଷଧ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ପାଇଁ ସଜବାଜ

ଏସିଡ ମାଡ଼ରେ ବାପପୁଅ ଗୁରୁତର: ଏମ୍ସରେ ଭର୍ତ୍ତି, ଅଭିଯୁକ୍ତ ଅଟକ

Kalinga TV

ଭୁବନେଶ୍ବର : କୋଭିଡ୍‌ ତୃତୀୟ ଲହରରେ ସର୍ବାଧିକ ପ୍ରଭାବିତ ହେବେ ଶିଶୁ। ଏହାକୁ ନେଇ ସତର୍କ କରାଇ ସାରିଛନ୍ତି ଏମ୍‌ସ ଦିଲ୍ଲୀର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ତେଣୁ ତୃତୀୟ ଲହର ପାଇଁ ପ୍ରସ୍ତୁତି ଜାରି ରଖିଛି ଏମ୍‌ସ ଭୁବନେଶ୍ବର। ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ତିଆରି ସହିତ କମିଟି ଗଠନ କରାଯାଇଛି। ଆବଶ୍ୟକ ଔଷଧର ତାଲିକା ପ୍ରସ୍ତୁତ କରାଯାଇଛି। ସୀମିତ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ କୋଭିଡ୍‌ ଦ୍ବିତୀୟ ଲହର ମୁକାବିଲା ବେଳକୁ ଡାକ୍ତରଖାନା ନାକେଦମ୍‌ ହୋଇସାରିଛି। ତେଣୁ ତୃତୀୟ ଲହରର ମୁକାବିଲା ଆହ୍ବାନପୂର୍ଣ୍ଣ ହେବ ବୋଲି ଆଶଙ୍କା କରାଯାଉଛି। ଏହା ସତ୍ତ୍ବେ ତୃତୀୟ ଲହରରେ ରୋଗୀ ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହେବ ନାହିଁ ବୋଲି ଆଶା ରହିଛି। ତେବେ ଡାକ୍ତରଖାନାର ପ୍ରସ୍ତୁତି ନେଇ ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶକ ଡା. ଗୀତାଞ୍ଜଳି ବି. କିନ୍ତୁ କିଛି ସ୍ପଷ୍ଟ କରୁନାହାନ୍ତି।

ସୂଚନା ଅନୁଯାୟୀ, ପ୍ରଥମ ଲହରରେ ଏମ୍‌ସରେ ପାଖାପାଖି ଶହେ କୋଭିଡ୍‌ ଶିଶୁ ଚିକିତ୍ସିତ ହୋଇଥିଲେ। ଦ୍ବିତୀୟ ଲହରରେ ଏହି ସଂଖ୍ୟା ଅନେକ ବୃଦ୍ଧି ପାଇଛି। ଏଥିପାଇଁ ୩୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଶିଶୁ କୋଭିଡ୍‌ ୱାର୍ଡ ବ୍ୟବସ୍ଥା ରହିଛି। କର୍କଟ କିମ୍ବା ହୃଦରୋଗ ଭଳି ଅଣକୋଭିଡ୍‌ ରୋଗ ଚିକିତ୍ସା ପାଇଁ ଆସି ରୋଗୀ କୋଭିଡ୍‌ ଚିହ୍ନଟ ହେଉଛନ୍ତି। କୋଭିଡ ୱାର୍ଡରେ ସେମାନଙ୍କ ଚିକିତ୍ସା କରାଯାଉଛି। ଅଧିକାଂଶ ସମୟରେ ସବୁ ଶଯ୍ୟାରେ ରୋଗୀ ଭର୍ତ୍ତି ହୋଇ ରହୁଛନ୍ତି। ଏହାବାଦ ମଧ୍ୟ ଅନେକ ସଂଖ୍ୟାରେ ରୋଗୀ ଗୃହାବଦ୍ଧରେ ଚିକିତ୍ସିତ ହେଉଛନ୍ତି। ଏମ୍‌ସକୁ ସାଧାରଣତଃ ଗୁରୁତର ଅବସ୍ଥାରେ ରୋଗୀ ରେଫର ହୋଇ ଆସିଥାଆନ୍ତି। ବର୍ତ୍ତମାନ ସମୟରୁ ସ୍ଥିତି ଯଦି ଏଭଳି, ତୃତୀୟ ଲହର ବେଳକୁ ଅବସ୍ଥା କ’ଣ ହେବ ଅନୁମାନ କରାଯାଇପାରେ।

ତୃତୀୟ ଲହରର ଭୟାବହତା ଆଶଙ୍କା କରି ଏମ୍‌ସ ଭୁବନେଶ୍ବର ପ୍ରସ୍ତୁତି ଜାରି ରଖିଛି। ଯାହା ସୂଚନା ମିଳିଛି, କୋଭିଡ୍‌ ଶିଶୁ ରୋଗୀଙ୍କ ପାଇଁ ଆହୁରି ସ୍ବତନ୍ତ୍ର ୱାର୍ଡ, ଆଇସିୟୁ, ଭେଣ୍ଟିଲେଟର ସଂରକ୍ଷିତ କରାଯିବ। ସାଧାରଣ ରୋଗୀଙ୍କ ଭଳି ଶିଶୁ ରୋଗୀଙ୍କ ପାଇଁ ସମାନ ଭେଣ୍ଟିଲେଟର ବ୍ୟବହାର ହୁଏ। ତେବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପାଇପିଂ, ଫ୍ଲୋ ମିଟର ଭିନ୍ନ ଥାଏ। ଏସବୁ ଆଗୁଆ କ୍ରୟ କରାଯିବ। ଶିଶୁ ରୋଗ ବିଭାଗରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସଙ୍କ ସହିତ ଆବଶ୍ୟକ ସ୍ଥଳରେ ସେମାନଙ୍କୁ ସହଯୋଗ କରିବା ପାଇଁ ଅନ୍ୟ ବିଭାଗର ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀଙ୍କୁ ଶିଶୁ ରୋଗ ଚିକିତ୍ସା ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ବର୍ତ୍ତମାନ ଡାକ୍ତରଖାନାରେ ତୁହାକୁ ତୁହା ବୈଠକ ହେଉଛି। ଅଧିକ ୱାର୍ଡ ଖୋଲିଲେ ଅଧିକ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ମଧ୍ୟ ପଡ଼ିବ।

ଦ୍ବିତୀୟ ଲହରରେ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତ କେତେ ଶିଶୁଙ୍କ ମୃତ୍ୟୁ ହୋଇଛି, ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ବିଶେଷଜ୍ଞଙ୍କ ଅନୁସାରେ, କରୋନା ସମଗ୍ର ରାଜ୍ୟକୁ ସଂକ୍ରମିତ କରି ସାରିଛି। ତେଣୁ ଶିଶୁମାନେ ମଧ୍ୟ ଏଥିରେ ନିଶ୍ଚିତ ରହିବେ। କରୋନା ପଜିଟିଭ୍‌ ଅଭିଭାବକଙ୍କ ଠାରୁ ଶିଶୁ ସଂକ୍ରମିତ ହେଉଛନ୍ତି। ବଡ଼ମାନେ ଯେଉଁଭଳି ଭାବରେ ମାସ୍କ ପରିଧାନ, ସାମାଜିକ ଦୂରତ୍ବକୁ ନେଇ ଗୁରୁତ୍ବ ଦେଉଛନ୍ତି, ଶିଶୁମାନେ ଏହାକୁ ଦେଉ ନାହାନ୍ତି। ଅନେକ ସମୟରେ ବାହାରେ ଖେଳୁଛନ୍ତି। ୫ରୁ ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ବେଶି ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ କୋଭିଡ୍‌ ଚିକିତ୍ସା ନେଇ ମୁଖ୍ୟ ସମସ୍ୟା ହେଲା, ସାଧାରଣ କୋଭିଡ୍‌ ଆକ୍ରାନ୍ତଙ୍କୁ ଯେଉଁଭଳି ଭାବରେ ଶକ୍ତିଶାଳୀ ଔଷଧ(ଆଣ୍ଟି ଭାଇରାଲ) ଦିଆଯାଉଛି, ଶିଶୁମାନଙ୍କୁ ଏହା ଦେବା ସମ୍ଭବ ନୁହେଁ। ଷ୍ଟେରୋଏଡ ଦେବା ବେଳକୁ ମଧ୍ୟ ନିୟନ୍ତ୍ରିତ ଭାବରେ ଦେବାକୁ ପଡ଼ୁଛି। କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ତାପମାତ୍ରାକୁ ନିୟନ୍ତ୍ରଣ ଦିଗରେ ଗୁରୁତ୍ବ ଦିଆଯାଉଛି। ଏହାଛଡ଼ା ଏଯାଏ ଶିଶୁଙ୍କ ପାଇଁ ଟିକା ଆସିନଥିବାରୁ ସେମାନେ କୋଭିଡ୍‌ ଆକ୍ରାନ୍ତ ହେବା ନେଇ ସର୍ବାଧିକ ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe