ଭୁବନେଶ୍ୱର: ଚିକିତ୍ସା କ୍ଷେତ୍ରରେ ଉଦ୍ୟୋଗ ବିକାଶ ଦିଗରେ ଆଗ୍ରହୀ ନୂଆ ଷ୍ଟାର୍ଟଅପ୍ ସଂସ୍ଥାଙ୍କୁ ଯୋଡ଼ିବାକୁ ଏମ୍ସ ଭୁବନେଶ୍ବର ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ପ୍ରଥମ ଥର ଲାଗି ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟସେବାରେ ଗବେଷଣା, ଜୀବବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା ଲାଗି ଏକ କମ୍ପାକ୍ଟ ପ୍ଲାଟ୍ଫର୍ମ ପ୍ରତିଷ୍ଠା କରିଛି। ଏମ୍ସ ଭୁବନେଶ୍ୱର ପକ୍ଷରୁ ତୃତୀୟ ବାର୍ଷିକ ଅନୁସନ୍ଧାନ ଦିବସ ତଥା ଦ୍ୱିତୀୟ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ୨୦୨୫ ପାଳନ ଅବସରରେ ୩୩ଟି ଷ୍ଟାର୍ଟଅପ୍ ଓ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ମଡେଲ ପ୍ରଦର୍ଶିତ ହୋଇଥିଲା।
ସମ୍ମିଳନୀରେ ଅନୁଷ୍ଠିତ ‘ଚିକିତ୍ସା ନବସୃଜନ: ଆତ୍ମନିର୍ଭର ଭାରତ, ବିକଶିତ ଭାରତ ପାଇଁ ସମୟର ଆବଶ୍ୟକତା’ କର୍ମଶାଳାରେ ମୁଖ୍ୟଅତିଥି କେନ୍ଦ୍ର ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଓ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ରାଜୀବ ବହଲ କହିଛନ୍ତି, ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗକୁ ଏକତ୍ର କରି ଏହି ପ୍ରକ୍ରିୟା ବିକଶିତ ଭାରତ ଗଠନ ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ, ଆଇଆଇଟି ଭୁବନେଶ୍ୱର, ବିସିକେଆଇସି ଓ ଆଇଏଲ୍ଏସ୍ ଭଳି ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନଗୁଡ଼ିକର ସହଯୋଗରେ ଏମ୍ସ ଭୁବନେଶ୍ବର ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରତିଷ୍ଠାନ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସମନ୍ୱିତ ନବସୃଜନ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର ଯୁବ ଗବେଷକଙ୍କ ପାଇଁ ସମନ୍ୱିତ ପିଏଚ୍ଡି ପ୍ରଚଳନ କରିବା ପାଇଁ ଅଷ୍ଟ୍ରେଲିଆର ପଶ୍ଚିମ ସିଡ୍ନି ବିଶ୍ୱବିଦ୍ୟାଳୟ ସମେତ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବିକେସିକେଆଇସି ଅଧ୍ୟକ୍ଷ ଓ କିଟ୍-ଟିବିଆଇ ସିଇଓ ମୃତ୍ୟୁଞ୍ଜୟ ସୁଆର, ଏମ୍ସ ଡିନ୍(ଗବେଷଣା) ସତ୍ୟଜିତ ମିଶ୍ର ଓ ଆସୋସିଏଟ୍ ଡିନ୍(ଗବେଷଣା) ଭାଗୀରଥି ଦ୍ୱିବେଦୀ ଉପସ୍ଥିତ ଥିଲେ। ଆଇଆଇଟି ଖଡ଼ଗପୁର, ଆଇଆଇଟି ଭୁବନେଶ୍ୱର, ଭିସୁଟ୍ ବୁର୍ଲା, ନାଇଜର୍ ଭୁବନେଶ୍ୱର, ଆଇଜର୍ ବ୍ରହ୍ମପୁର, ଆଇଏଲ୍ଏସ୍ ଭୁବନେଶ୍ୱର, କିମ୍ସ ଭୁବନେଶ୍ୱର, ଏଆଇଜି ହସ୍ପିଟାଲ ହାଇଦ୍ରାବାଦ୍ ଓ ଟିଏମ୍ସିଏଚ୍ ବାରାଣସୀ ଭଳି ପ୍ରତିଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିସହିତ ୧୪ଟି ଷ୍ଟାର୍ଟଅପ୍ ଫାର୍ମ ମଧ୍ୟ ଏହି ସମ୍ମିଳନୀରେ ଭାଗ ନେଇଥିଲେ।
Follow Us