ଭୁବନେଶ୍ବର: ତିନି ସପ୍ତାହ ବିତିଲାଣି। ତଥାପି କମୁନି ବାୟୁ ପ୍ରଦୂଷଣ। ଯୁଆଡ଼େ ଗଲେ କେବଳ ଧୂଆଁ ଧୂଆଁ ପରିବେଶ। ରାତି ତ ଦୂରରେ ଥାଉ। ଦିନ ଦିପହରରେ ବାୟୁମଣ୍ଡଳରେ ଧୂଳିକଣା ଖେଳିଯାଉଛି। ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଠିକ୍ ଭାବେ ଦୃଶ୍ୟମାନ ହେଉ ନାହିଁ। ସାରା ସହରରେ ଖେଳିଯାଇଥିବା ଧୂଳିକଣା ଏବେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି। ତା’ସତ୍ତ୍ବେ କାହାର ନିଦ ଭାଙ୍ଗୁନି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକପ୍ରକାର ନିରବଦ୍ରଷ୍ଟ ପାଲଟିଛି। ବୋର୍ଡର ଅଧିକାରୀମାନେ କାଚ ଘରେ ବସି ପରିସ୍ଥିତି ଉପରେ ନଜର ରଖାଯାଇଥିବା କହୁଛନ୍ତି। ବିଭାଗୀୟ ମନ୍ତ୍ରୀ ଏସମ୍ପର୍କରେ ଜାଣିଥିବା ବିଧାନସଭାରେ ଉତ୍ତର ରଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମୀକ୍ଷା କରିନାହାନ୍ତି। ବିଏମ୍ସି, ବିଡିଏ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ଏଦିଗରେ କିଛି ବି ପଦକ୍ଷେପ ନେଉନାହାନ୍ତି କି ସମୀକ୍ଷା କରିନାହାନ୍ତି। ବରଂ ସମସ୍ତେ ନିଜ ନିଜ ବାଟରେ ରହି ରାଜଧାନୀବାସୀଙ୍କୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି।
କୋମାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
କାଚ ଘରୁ ବାହାରୁ ନାହାନ୍ତି ଅଧିକାରୀ
ତିନି ସପ୍ତାହ ହେଲା ସ୍ଥିତି ଖରାପ
ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ଥିବା ଦୁଇଟି ଅନ୍ଲାଇନ୍ ମନିଟରିଂ କେନ୍ଦ୍ରରୁ ମିଳିଥିବା ତଥ୍ୟ ଉପରେ ନଜର ପକାଇଲେ ଦେଖାଯାଏ ଯେ ପୁରୁଣା ଭୁବନେଶ୍ବରର ବାୟୁ ବହୁତ ଖରାପ ଓ ଖରାପ ସ୍ତରରେ ରହିଥିଲା। ଏହି ଅଞ୍ଚଳରେ ପିଏମ୍୨.୫ର ମାତ୍ରା ହାରାହାରି ୨୬୮ ଅର୍ଥାତ୍ ଖରାପ ସ୍ତରରେ ଥିଲା। ଗତକାଲି ରାତି ୧୦ଟାରେ ଏକ୍ୟୁଆଇ ୩୫୪ରେ ପହଞ୍ଚିଥିଲା। ଯେତେବେଳେ କି ପିଏମ୍୧୦ ଅତ୍ୟନ୍ତ ଖରାପ ଓ ମଧ୍ୟମଧରଣ ଦେଇ ଗତି କରିଥିଲା। ପଟିଆ ଅଞ୍ଚଳରେ ଗତକାଲି ସନ୍ଧ୍ୟା ୮ଟାରୁ ଭୋର ୩ଟା ପର୍ଯ୍ୟନ୍ତ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ଥିଲା। ଗତକାଲି ତୁଳନାରେ ଆଜି ସହରର ବିଭିନ୍ନ ସ୍ଥାନରେ ବାୟୁର ମାନରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଖରାପ ଓ ଖରାପ ସ୍ତର ଦେଇ ଗତି କରୁଛି।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ଶିଳ୍ପ ତଥା ଖଣିଗୁଡ଼ିକରୁ ପର୍ଯ୍ୟାପ୍ତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଆବଶ୍ୟକ ସର୍ତ୍ତ ସହ ସମ୍ମତିପତ୍ର ପ୍ରଦାନ କରାଯାଇଛି। ଶିଳ୍ପମାନେ ବାୟୁ ପ୍ରଦୂଷଣ କରୁଛନ୍ତି କି ନାହିଁ ତାହାର ନିରନ୍ତର ଯାଞ୍ଚ କରିବାକୁ ନିୟମିତ ଭାବେ ପରିଚାଳନା ଓ ଆଇପି କ୍ୟାମେରା ସ୍ଥାପନ ହୋଇଛି। ଯାଞ୍ଚ ସମୟରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ବୋର୍ଡ ପକ୍ଷରୁ ଏହାକୁ ସୁଧାରିବା ପାଇଁ କାରଖାନାଙ୍କୁ ନିର୍ଦ୍ଦେଶନାମା ଦିଆଯାଇଥାଏ। ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମରେ ଭୁବନେଶ୍ବରକୁ ସାମିଲ କରାଯାଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ପୁରୁଣା ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ ହେଉ
ବର୍ତ୍ତମାନ ସହରରେ ବାୟୁ ଚଳାଚଳ ଏକପ୍ରକାର ବନ୍ଦ ରହିଛି। ତାପମାତ୍ରା ବହୁତ କମ୍ ରହିଥିବାରୁ ବାୟୁ ଉପରକୁ ଯାଇପାରୁ ନାହିଁ। ଯାନବାହାନ ସଂଖ୍ୟା ବୃଦ୍ଧି, ଟ୍ରାଫିକ୍ ସମସ୍ୟା, କଳକାରଖାନା, ନିର୍ମାଣ କାର୍ଯ୍ୟ, ରାସ୍ତା ମରାମତି ସମୟରେ ଉଡ଼ୁଥିବା ମାଟି, ଧୂଳି ପରି ଛୋଟ କଣିକା ପଦାର୍ଥ ବାୟୁମଣ୍ଡଳରେ ମିଶୁଛି, ଯାହାକି ଶ୍ବାସକ୍ରିୟା, ହୃଦରୋଗ, ବ୍ରେନ୍ ଷ୍ଟ୍ରୋକ୍ ପରି ରୋଗକୁ ନିମନ୍ତ୍ରଣ କରୁଛି। ନିକଟରେ ଆମେରିକାର ଲ୍ୟାନସେଟ୍ କମିସନ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ପ୍ରତିବର୍ଷ ବାୟୁ ପ୍ରଦୂଷଣରେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ବିଶେଷକରି ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ୁଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଯେଉଁ ମାନ ଧାର୍ଯ୍ୟ କରିଛି ତାହାଠାରୁ ଭୁବନେଶ୍ବରର ପ୍ରଦୂଷଣ ମାତ୍ରା ଅଧିକ ରହିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ। ବୃକ୍ଷରୋପଣ ସହ ବାହାରେ ବର୍ଜ୍ୟ ପଦାର୍ଥ ପକାଇବା ବନ୍ଦ, ପ୍ରଦୂଷଣ କରୁଥିବା ପୁରୁଣା ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇବାର ଆବଶ୍ୟକତା ରହିଛି।
ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍
ସ୍ବତନ୍ତ୍ର ଆଇନ ଆଣିବାର ଆବଶ୍ୟକତା ରହିଛି
ଆମକୁ ଗଛ ଲଗାଇବାକୁ ପଡ଼ିବ। ରୋଡ୍ ଡିଭାଇଡର, ରାସ୍ତା ମଝି, ସବୁ କଲୋନିରେ ଗଛ ଲଗାଇବାର ଆବଶ୍ୟକତା ରହିଛି। ଏଥିସହ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲଗାଇବା ଦରକାର। ଏବେଠାରୁ ଅଡ୍ ଇଭେନ୍ ନିୟମ ଲାଗୁ କରା ନ ଗଲେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବ। କରୋନା ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯିବାରୁ ବାୟୁର ଗୁଣବତ୍ତା ଭଲ ରହିଥିଲା। ପୂର୍ବରୁ ୟୁନିଟ୍-୪ ଅଞ୍ଚଳରେ ପ୍ରବଳ ଗଛ ଥିବାରୁ କେନ୍ଦ୍ରୀୟ ଭୁବନେଶ୍ବରେ ବାୟୁର ମାନ ଭଲ ଥିଲା। ତେବେ ବିଧାୟକଙ୍କ କ୍ବାର୍ଟର ନିର୍ମାଣ କରିବାକୁ ଶହ ଶହ ଗଛ କଟାଯିବା ସହ କୋଠା ନିର୍ମାଣ ହେବାରୁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ବାୟୁ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଆଇନ ଆଣିବାର ଆବଶ୍ୟକତା ରହିଛି। ଏଥିସହ ସାଧାରଣ ଜନତା ମଧ୍ୟ ସଚେତନ ହେବା ଦରକାର।
ଦ୍ବାରିକାନାଥ ସେନାପତି, ପରିବେଶବିତ୍
Follow Us