ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ୍ ଲଗାଯାଇଛି। ବିମାନବନ୍ଦରର ଦୁଇଟି ଯାକ ଟର୍ମିନାଲ ଟି-୧ ଓ ଟି-୨ରେ ଗୋଟିଏ ଲେଖାଏଁ ଭେଣ୍ଡିଂ ମେସିନ୍ ଲାଗିଛି। ଏହି ଦୁଇଟି ମେସିନ୍ ମହିଳା ଶୌଚାଳୟ ନିକଟରେ ଲାଗିଛି। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଆଜି ଏହି ଭେଣ୍ଡିଂ ମେସିନ୍କୁ ଉଦ୍ଘାଟନ କରିଛନ୍ତି। ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଋତୁସ୍ରାବ ସମୟରେ ମହିଳା ଯାତ୍ରୀମାନେ ଯାତାୟାତ କରିବାରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ଏବଂ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏହି ଭେଣ୍ଡିଂ ମେସିନ୍ ଲାଗିଛି। ଗୋଟିଏ ନାପକିନ୍ ପାଇଁ ଯାତ୍ରୀଙ୍କୁ ୧୦ଟଙ୍କା ଦେବାକୁ ପଡ଼ିବ। ଜଣେ ଚାହିଁଲେ ୧୦ଟଙ୍କ କଏନ୍ ଗଳାଇ ଏହି ନାପକିନ୍ ପାଇପାରିବେ। ନଚେତ୍ ଦୁଇଟି ୫ଟଙ୍କିଆ କଏନ୍ ବା ୧୦ଟି ଟଙ୍କିକିଆ କଏନ୍ ଗଳାଇ ନାପକିନ୍ ପାଇପାରିବେ। ସେହିପରି ଆଜିଠାରୁ ବିମାନବନ୍ଦରର ଟି-୧ ଟର୍ମିନାଲରେ ବେବି ଷ୍ଟ୍ରୋଲର ସେବା ଆରମ୍ଭ ହୋଇଛି। ଏଥିରେ ଅଭିଭାବକମାନେ ସେମାନଙ୍କ କୁନି କୁନି ପିଲାଙ୍କୁ ବସାଇ ନେଇପାରିବେ। ଯାତ୍ରୀଙ୍କୁ ଭିଡ଼ ସମୟରେ ଲଗେଜ୍ ସହ ପିଲାଙ୍କୁ କାଖେଇ ନେବାରେ ଯେପରି ସମସ୍ୟା ନହୁଏ ଏବଂ ବିମାନବନ୍ଦର ଭିତରେ ବି ଶିଶୁ ସୁରକ୍ଷିତ ଭାବେ ରହିବେ ସେଥିପାଇଁ ବେବି ଷ୍ଟ୍ରୋଲର ସେବା ଆରମ୍ଭ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଏହି ସେବା ପାଇଁ ଯାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି।
ବିମାନବନ୍ଦରରେ ଲାଗିଲା ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ୍
Advertisment
Follow Us