ଜଗଦୀଶଙ୍କ ଗଳ୍ପ ଅଦ୍ବିତୀୟ, ଅଜୟ ସ୍ବାଇଁଙ୍କୁ ଜଗଦୀଶ କଥା ସମ୍ମାନ

Advertisment
ଜଗଦୀଶଙ୍କ ଗଳ୍ପ ଅଦ୍ବିତୀୟ, ଅଜୟ ସ୍ବାଇଁଙ୍କୁ ଜଗଦୀଶ କଥା ସମ୍ମାନ

ଭୁବନେଶ୍ବର: ସତୁରି ଦଶକରେ ଯେଉଁ କେତେଜଣ ଗାଳ୍ପିକ ଚମତ୍କାର କରି ଦେଖାଉଥ‌ିଲେ ସେମା‌ନଙ୍କ ମଧ୍ୟରେ ଜଗଦୀଶ ମହାନ୍ତି ଥିଲେ ଅନ୍ୟତମ। ସେ ଗଳ୍ପର ଧାରା ପ୍ରବର୍ତନ କରିଥିଲେ। ଭାଷା, ଶୈଳୀ ଓ ଚରିତ୍ର ଚୟନ ସବୁଥିରେ ଅଭିନବ ପ୍ରୟାସ କରୁଥିଲେ। ଏ ଦୃଷ୍ଟିରୁ ଜଗଦୀଶ ମହାନ୍ତି ଥିଲେ ଓଡ଼ିଆ କଥା ସାହିତ୍ୟର ଜଣେ ଟ୍ରେଣ୍ଡ ସେଟର (ପଥ ପ୍ରଦର୍ଶକ)। ତାଙ୍କର ଗଳ୍ପ ଥିଲା ଅଦ୍ବିତୀୟ। ଏପର୍ଯ୍ୟନ୍ତ ତାଙ୍କୁ ଗଳ୍ପରେ କେହି ଅତିକ୍ରମ କରିଯାଇ ନାହାନ୍ତି। ବିଶିଷ୍ଟ ଗାଳ୍ପିକ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆଜି ହୋଟେଲ କେଶରୀରେ ଅନୁଷ୍ଠିତ ‘ଜଗଦୀଶ ଜୟନ୍ତୀ’ରେ ଅତିଥିମାନେ ଏହା କହିଛନ୍ତି।

ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗଦୀଶଙ୍କ ଗଳ୍ପକୁ ଅଦ୍ବିତୀୟ ବୋଲି ବର୍ଣ୍ଣନା କରିବା ସହ କହିଲେ, ସାହିତ୍ୟରେ ଏବେ ଅସ୍ବସ୍ତିକର ପରିବର୍ତନ ଘଟୁଛି। କେବଳ ଘରୋଇ କଥାକୁ କଳ୍ପନା କରି ଲେଖିଲେ ଆମେ ପାଠକଙ୍କୁ ଧରି ରଖି ପାରିବା ନାହିଁ। ତେଣୁ ଲେଖାରେ କିଛି ଭିନ୍ନତା ଭରିବାକୁ ହେବ ବୋଲି ସେ କହିଥିଲେ।

ବିଶିଷ୍ଟ ଲେଖକ ତଥା ଅନୁବାଦକ ଅସିତ ମହାନ୍ତି କହିଲେ, ୧୮୯୮ରେ ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରେବତୀ’ ପ୍ରଥମ ଓଡ଼ିଆ ଗଳ୍ପ ଭାବେ ପ୍ରକାଶ ପାଇଥିବା ବେଳେ ଏହାର ୮୦ ବର୍ଷ ପରେ ୧୯୭୮ରେ ଜଗଦୀଶ ମହାନ୍ତିଙ୍କର ସେଇ ଭାବଧାରାକୁ ନେଇ ‘ରେବତୀ’ ଶୀର୍ଷକ ଗଳ୍ପ ‘ଝଙ୍କାର’ ପତ୍ରିକା‌ରେ ପ୍ରକାଶ ପାଇଥିଲା। ତେଣୁ ୮୦ ବର୍ଷ କାଳଖଣ୍ଡ ମଧ୍ୟରେ ଫକୀର ମୋହନଙ୍କ ରେବତୀ ଯଦି ବୀଜ ହୁଏ, ଜଗଦୀଶ ମହାନ୍ତିଙ୍କ ରେବତୀ ହେଉଛି ବୃକ୍ଷ। ଜଗଦୀଶଙ୍କୁ ପଥ ପ୍ରଦର୍ଶକ ବୋଲି କୁହାଯାଉ ଥିଲେ ହେଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରଟିଏ ଦିଆଗଲା ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଏହି ଅବସରରେ ବିଶିଷ୍ଟ କଥାକାର ଅଜୟ ସ୍ବାଇଁଙ୍କୁ ‘ଜଗଦୀଶ କଥା ସମ୍ମାନ’ ଓ ଗାଳ୍ପିକ ରାଜେନ୍ଦ୍ର କୁମାର ରାଉଳଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷା ଡ.ସରୋଜିନୀ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଟ୍ରଷ୍ଟର ସମ୍ପାଦକ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଜଗଦୀଶ ମହାନ୍ତିଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ନିର୍ବାସନରେ ଗୋଟେ କବି’ର ନାଟକୀୟ ଉପସ୍ଥାପନା କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର, ବେଦପ୍ରକାଶ ନାୟକ ଓ ଲୋପାମୁଦ୍ରା ବାରିକ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe