ଆକାଶବାଣୀ ସଂଗୀତ ସମ୍ମେଳନ : ସଂଗୀତ ସାଧକଙ୍କ ପାଇଁ ଏଣିକି ଅନ୍‌ଲାଇନ୍‌ ଅଡିସନ୍‌

ଆକାଶବାଣୀ ସଂଗୀତ ସମ୍ମେଳନ : ସଂଗୀତ ସାଧକଙ୍କ ପାଇଁ ଏଣିକି ଅନ୍‌ଲାଇନ୍‌ ଅଡିସନ୍‌

ଭୁବନେଶ୍ୱର : ସ୍ୱର ଓ ସଂଗୀତର ମଧୁମୟ ମୂର୍ଚ୍ଛନାକୁ ନେଇ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା ‘ଆକାଶବାଣୀ ସଂଗୀତ ସମ୍ମେଳନ’। ଆକାଣବାଣୀ କଟକ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ସନ୍ଧ୍ୟାରେ ସୀତାର ବାଦନ ସାଙ୍ଗକୁ ଶାସ୍ତ୍ରୀୟ ସଂଗୀତ ରସଗ୍ରାହୀ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା।

ପଣ୍ଡିତ ରବିଶଙ୍କରଙ୍କ ପଟ୍ଟଶିଷ୍ୟ ବେଙ୍ଗାଲୁରର ଖ୍ୟାତନାମା ସୀତାରବାଦକ ଶୁଭେନ୍ଦ୍ର ରାଓ ସୀତାର ବାଦନ କରିଥିଲେ। ପ୍ରଥମେ ମାଲଗୁଞ୍ଜି ଓ ପରେ ମାଞ୍ଜ୍‌ ଖମାଜ ରାଗରେ ପରିବେଷିତ ସୀତାର ହୃଦୟଗ୍ରାହୀ ହୋଇଥିଲା। ତାଙ୍କୁ ତବଲାରେ ସହଯୋଗ କରିଥିଲେ ପ୍ରସିଦ୍ଧ ତବଲା ବାଦକ ପଣ୍ଡିତ ଶୁଭଙ୍କର ବାନାର୍ଜୀ। ତାଙ୍କ ପରେ କୋଲକାତାର ଜଣାଶୁଣା କଣ୍ଠଶିଳ୍ପୀ ପଣ୍ଡିତ ମନୋଜିତ୍‌ ମଲ୍ଲିକ ରାଗ ‘ଛାୟାନଟ’, ‘ନାୟକୀ କାନାଡ଼ା’ ଏବଂ ‘ମିଶ୍ର ତିଲଙ୍ଗ’ରେ କଣ୍ଠ ସଂଗୀତ ପରିବେଷଣ କରି ଶ୍ରୋତାଙ୍କୁ ମଜାଇ ରଖିଥିଲେ। ତାଙ୍କ ସହ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଅଶୋକ ମୁଖାର୍ଜୀ, ରୋଶନ ଅଲ୍ଲୀ ଏବଂ ଜାକିର ଢୋଲପୁରୀ। ଏହି ଅବସରରେ ବିଶିଷ୍ଟ ବଂଶୀବାଦକ ତଥା ସଂଗୀତଜ୍ଞ ପ୍ରଫେସର ମୋହିନୀମୋହନ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା।

ପ୍ରାରମ୍ଭରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦେଶକ ସୁହାସ ମହାନ୍ତି, ସହକାରୀ ନିର୍ଦେଶକ ତରୁଣକାନ୍ତି ରାଉତ ଏବଂ କାର୍ଯ୍ୟକ୍ରମ ନିଷ୍ପାଦକ ଡ.ତପନ ଦତ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଆକାଶବାଣୀ ଡିଜିଙ୍କ ବାର୍ତା ପାଠ କରିବା ସହ ଅନ୍‌ଲାଇନ୍‌ ସଂଗୀତ ଅଡିସନ୍‌ ପାଇଁ ଆପ୍ଲିକେସନ୍‌ର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇଥିଲେ। ସଂଗୀତ ସାଧକମାନେ www.akashvani.in_music auditionକୁ ଯାଇ ଅଡିସନ୍‌ରେ ଅଂଶଗ୍ରହଣ କରିପାରିବେ ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe