ବାଲିଅନ୍ତା: ବାତ୍ୟା ‘ଫନି’ ମାଡ଼ରେ ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ପ୍ରଭୁ ଆଖଣ୍ଡଳେଶ୍ବରଙ୍କ ଭୋଗ ମଣ୍ଡପ ଓ ଉକ୍ତ ମନ୍ଦିର ପରିସରରରେ ଥିବା ବାଲୁଙ୍କେଶ୍ବର ଦେବଙ୍କ ମଣ୍ଡପ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୭୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ସମ୍ମୁଖରେ ଥିବା ୫୦ ଫୁଟ୍ ଲମ୍ବ ଓ ୪୦ ଫୁଟ ଚଉଡ଼ାର ଭୋଗମଣ୍ଡପ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୩ ଫୁଟ୍ ଗୋଲେଇର ୧୦ କଂକ୍ରିଟ୍ ଖୁଣ୍ଟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି। ଉପର ଲୁହା ଆଙ୍ଗେଲ ଓ ଟିଣ ଚାଦର ମଧ୍ୟ ଉଡ଼ିଯାଇଛି। ସେଠାରେ ଥିବା ଠାକୁରଙ୍କ ବିମାନ ଭାଙ୍ଗିଯାଇଛି। ଛତ୍ରି, ପୂଜା ସାମଗ୍ରୀ ଓ ଅନ୍ୟନ୍ୟ ଆସବାବପତ୍ର ନଷ୍ଟ ହୋଇଯାଇଛି। ଗଛ ପଡ଼ି ରୋଷଘର ନଷ୍ଟ ହୋଇଯାଇଛି। ସେହିପରି ଏହି ମନ୍ଦିର ପରିସରରେ ଥିବା ୨୦ ଫୁଟ ଚଉଡ଼ା ଓ ୧୫ ଫୁଟ ଓସାରରେ ନିର୍ମିତ ବାଲୁଙ୍କେଶ୍ବର ଦେବଙ୍କ ମଣ୍ଡପ ଘର ଟିଣ ଚାଦର ଓ ଲୁହା ଅାଙ୍ଗେଲ ମଧ୍ୟ ଉଡ଼ିଯାଇଛି। ସବୁଠାରୁ ବଡ଼ କଥା ହେଉଛି ବାତ୍ୟାର ୧୮ ଦିନ ପରେ ଆଜି ପୂର୍ବାହ୍ନରେ ପ୍ରତ୍ନତତ୍ତ୍ବ ବିଭାଗର ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ନନ୍ଦ, ସହକାରୀ ଯନ୍ତ୍ରୀ ସୁବାଶିଷ ପୃଷ୍ଟି ଓ ଫଟୋଗ୍ରାଫର ଦେବାଶିଷ ଚାଟାର୍ଜୀ ପ୍ରମୁଖ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। କ୍ଷୟକ୍ଷତିର ପରିମାଣ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅଧିକାରୀମାନେ ରିପୋର୍ଟରେ ଦର୍ଶାଇଥିବା ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି। ଏହାଛଡ଼ା ପ୍ରତାପରୁଦ୍ରପୁର ପଞ୍ଚାୟତର ପାରିବାସୁଦେଇପୁର ଗ୍ରାମରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ନୃସିଂହନାଥ ମନ୍ଦିରରେ ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।
‘ଫନି’ରେ ଭାଙ୍ଗିଗଲା ଆଖଣ୍ଡଳେଶ୍ବରଙ୍କ ଭୋଗ ମଣ୍ଡପ
Advertisment
Follow Us