ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେଲା ଅଖିମୁଠି

Advertisment
ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେଲା ଅଖିମୁଠି

ବାଲିପାଟଣା/ମେଣ୍ଢାଶାଳ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲିପାଟଣାର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ ହୋଇଛି। ସକାଳୁ ଚାଷୀମାନେ ନୂଆ ଲୁଗା ପିନ୍ଧି କ୍ଷେତରେ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ପାଣିପାଗ ଭଲ ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ଆଗମନ ଠିକ୍‌ ସମୟରେ ହେବ। ଏଥିପାଇଁ ଚଳିତବର୍ଷ ଭଲ ଫସଲ ହେବ ବୋଲି ସରାଟ ଗ୍ରାମର ଚାଷୀ ଉମାକାନ୍ତ ସାହାଣୀ, କେଦାର ସାହାଣୀ କହିଛନ୍ତି। ମାତ୍ର ଏଯାଏ ବ୍ଲକ କୃଷି ବିଭାଗ ତରଫରୁ ବିହନ ନ ମିଳିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ବ୍ଲକରେ ୯ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥାଏ। ୧୭ ସୋସାଇଟି ଏବଂ ୩ ଜଣ ଡିଲର ବିହନ ବିକ୍ରି ଦାୟିତ୍ୱ ତୁଲାଉ ଥିବା ବ୍ଲକ କୃଷି ଅଧିକାରୀ ତରୁଣ ଛୋଟରାୟ ସୂଚନା ଦେଇଛନ୍ତି। ସେମାନେ ୧୪ ଶହ କୁଇଣ୍ଟାଲ ବିହନ ଚାଷୀଙ୍କୁ ଯୋଗାଇନ୍ତି। ଖୁବ ଶୀଘ୍ର କର୍ପୋରେସନ୍‌ରୁ ବିହନ ଆଣିବା ପାଇଁ କୁହାଯାଇଥିବା ଶ୍ରୀ ଛୋଟରାୟ ସୂଚନ ଦେଇଛନ୍ତି। ସୂଚନାଯୋଗ୍ୟ ଏହି ସବୁ ଅଞ୍ଚଳରେ ସାରଳା, ହଜାରେ ୯ ଓ ୧୮, ବର୍ଷା, ନାଲି ସ୍ବର୍ଣ୍ଣ, ଧଳା ସ୍ବର୍ଣ୍ଣ, ବୀଣ , ପାଖୁଡ଼ା ଛଡ଼ା, ପଦ୍ମିନୀ, କଳାଜିରା, ବାସୁମତୀ, ଆରଜିଆଇଏଲ, ପୂଜା, କୁତ ପ୍ରଭୃତି ଧାନ ଚାଷ ହୋଇଥାଏ।

‌ସେହିପରି ଜଟଣୀ ବ୍ଲକ୍‌ ଅଙ୍ଗାରପଡ଼ା ପଞ୍ଚାୟତର ପାଣିଓରାଠାରେ କିଛି କଂଗ୍ରେସ କର୍ମୀଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସ୍ଥାନୀୟ ଚାଷୀମାନଙ୍କ ଗ୍ରହଣରେ ଅଖିମୁଠି ଅନୁକୂଳ କରିବା ସହ କ୍ଷେତ୍ରରେ ହଳ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ରାଉତ କହିଥିଲେ ଯେ ବର୍ତ୍ତମାନ ମହାମାରୀ ପରିପ୍ରେକ୍ଷୀରେ ଚାଷୀ ଭାଇମାନଙ୍କ ଗୁରୁତ୍ବ ଆହୁରି ବଢ଼ି ଯାଇଛି। ସେମାନେ ଏ ବର୍ଷ ଭଲ ଫସଲ ଅମଳ କରି ଦେଶର ବିକାଶରେ ସହାୟ ହୁଅନ୍ତି। ଜଣେ ବି ଦେଶବାସୀ ଯେମିତି ଭୋକରେ ନ ରହୁ, ତାହା ସେମାନଙ୍କ ମୂଳ ଲକ୍ଷ୍ୟ ହେଉ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବ୍ଲକ୍‌ କଂଗ୍ରେସ ସଭାପତି ଧନେଶ୍ବର ରାଉତରାୟ, ଅଙ୍ଗାରପଡ଼ା ସରପଞ୍ଚ ଅମିୟ ରଞ୍ଜନ ସ୍ୱାଇଁ, ଗଙ୍ଗପଡ଼ା ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ଶେଖର ମହାରଣା ଏବଂ ଦିବାକର ବେହେରା, ଶରତଚନ୍ଦ୍ର ସାମନ୍ତରାୟ, ରବି ଭୋଇ, ଉମାକାନ୍ତ ଡାକୁଆ, ପ୍ରଭାକର ସ୍ୱାଇଁ, ବାବାଜୀ ମଙ୍ଗରାଜ, କରୁଣାକର ସାହୁ, ଯୁଗଳ ବେହେରା ପ୍ରମୁଖ ସ୍ଥାନୀୟ ଚାଷୀ ଭାଇମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe