People Matters
ଭୁବନେଶ୍ବର: ବେସିକ୍ ସାଇନ୍ସ କଲେଜରେ ଛାତ୍ରୀ ନିର୍ଯାତନା ଘଟଣା ଏପର୍ଯ୍ୟନ୍ତ ଥମିନି। ଏବେ ପୁଣି ଗୋଟିଏ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ନୂଆବଜାରସ୍ଥିତ କଟକ କଲେଜ ଅଧ୍ୟକ୍ଷଙ୍କ ନାମରେ ଯୁକ୍ତ ୩ ଦ୍ବିତୀୟ ବର୍ଷର ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଛାତ୍ରୀଜଣକ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପତ୍ର ଲେଖିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ), ପୁଲିସ ମହାନିର୍ଦେଶକ, ମହିଳା କମିସନର, ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି। ସେପଟେ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ତଦନ୍ତ ନିର୍ଦେଶ ଦିଆଯାଇଛି। ଯେତେଶୀଘ୍ର ସମ୍ଭବ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବିଭାଗ ପକ୍ଷରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି।
ନ୍ୟାୟ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ଛାତ୍ରୀଙ୍କ ନିବେଦନ
ସିଏମ୍ଓ, ଡିଜିପି, ମହିଳା କମିସନଙ୍କ ହସ୍ତକ୍ଷେପ ଲୋଡ଼ିଲେ
ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ତଦନ୍ତ ନିର୍ଦେଶ
ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ: ଅଧ୍ୟକ୍ଷ
ଯୁକ୍ତ୩ ଦ୍ବିତୀୟ ବର୍ଷ ଉକ୍ତ ଛାତ୍ରୀ ଜଣକ ଉଚ୍ଚଶିକ୍ଷା ସଚିବଙ୍କୁ ଲେଖିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ କଲେଜ ଅଧ୍ୟକ୍ଷ ମୋତେ ବିଭିନ୍ନ ଆଳରେ ତାଙ୍କ ଚାମ୍ବରକୁ ଡାକି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ନ ଗଲେ ଫେଲ୍ କରାଇ ଦେବାର ଧମକ ମଧ୍ୟ ଦିଅନ୍ତି। ତେଣୁ ଉପାୟ ନ ପାଇ ଫେଲ୍ ହୋଇଯିବା ଭୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି। ଏପରିକି ମୁଁ ଅନ୍ତସ୍ବତ୍ତା ମଧ୍ୟ ହୋଇଥିଲି। ଏହା ଜାଣିବା ପରେ ଅଧ୍ୟକ୍ଷ ଗର୍ଭ ନଷ୍ଟ କରିବାକୁ ମୋତେ ବାଧ୍ୟ କରାଇଥିଲେ। ଗର୍ଭ ନଷ୍ଟ ନ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ କୌଣସି ଉପାୟ ନ ପାଇ ଗର୍ଭ ନଷ୍ଟ କରାଇଥିଲି। ଏବେ ପୁଣି ନିର୍ଯାତନା ଦେବା ଆରମ୍ଭ କରିଛନ୍ତି। ତାଙ୍କ ସାଙ୍ଗରେ ମୁମ୍ବାଇ ବୁଲି ଯିବାକୁ ଡାକୁଛନ୍ତି। ଅରାଜି ହେବାରୁ ମୋ ଉଲଗ୍ନ ଫଟୋ ଭାଇରାଲ୍ କରାଇଦେବାର ଧମକ ଦେଉଛନ୍ତି। ଲଜ୍ଜାରେ ଏସମ୍ପର୍କରେ ପରିବାର ଲୋକଙ୍କୁ ମଧ୍ୟ ଜଣାଇପାରୁନାହିଁ। ଏବେ ଅନେକ ସାହସ ଜୁଟାଇ ଆପଣଙ୍କ ପାଖକୁ ପତ୍ର ଲେଖୁଛି। ମୋ ଉପରେ ହୋଇଥିବା ନିର୍ଯାତନାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରହିଛି। ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପ୍ରଦାନ ସହ ନ୍ୟାୟ ପ୍ରଦାନ କରିବାକୁ ଛାତ୍ରୀଜଣକ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ କଲେଜ ଅଧ୍ୟକ୍ଷ କେଶବ ଚନ୍ଦ୍ର ସାହୁ ଘଟଣାକୁ ଖଣ୍ଡନ କରିଛନ୍ତି। ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି ଯେ ଯେଉଁ ଛାତ୍ରୀ ଅଭିଯୋଗ କରିଥିବା କୁହାଯାଉଛି କଲେଜରେ ସେହି ନାଁରେ କେହି ନାହାନ୍ତି। ଛଦ୍ମ ନାମରେ ମୋତେ ବଦନାମ କରିବାକୁ ଚକ୍ରାନ୍ତ ହୋଇଛି। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ। କଲେଜରେ ସେଭଳି କୌଣସି ଘଟଣା ମଧ୍ୟ ହୋଇନାହିଁ। ବରଂ କଲେଜର ଜଣେ ଅଧିକାରୀ ମୋତେ ଓ ଶିକ୍ଷାନୁଷ୍ଠାନକୁ ବଦନାମ କରିବାକୁ ଏଭଳି ଚିଠି ଲେଖିଥାଇ ପାରନ୍ତି। ସମସ୍ତ ପ୍ରକାର ତଦନ୍ତର ସମ୍ନା କରିବାକୁ ମୁଁ ପ୍ରସ୍ତୁତ ରହିଛି।
Follow Us