Telegraph India
ଭୁବନେଶ୍ୱର : ପୁଲିସ ନାଁରେ ରୁଜୁ ହୋଇଛି ମାମଲା। ଅନୁସୂଚିତ ଜାତି ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସ୍ବତନ୍ତ୍ର ଏସ୍ସି/ଏସ୍ଟି ତଥା ଦୌରାଜଜ୍ଙ୍କ ଆଦେଶ ବଳରେ ସହିଦନଗର ଥାନାରେ ବଡ଼ଗଡ଼ ଥାନାର ତତ୍କାଳୀନ ଇନ୍ସ୍ପେକ୍ଟର ଦିଲ୍ଲୀପ ସ୍ବାଇଁଙ୍କ ସହ ଅନ୍ୟମାନଙ୍କ ନାମରେ ସହିଦନଗର ଥାନା ପୁଲିସ ମାମଲା ରୁଜୁ କରିଛି। ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନର ବିଭିନ୍ନ ଦଫା ବଳରେ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ଇନ୍ସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀମାନେ ରାତି ଅଧରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ବାଙ୍କୁଆଳ ଦୀପମାଳାର କୈଳାସ ଭୋଇଙ୍କ ପତ୍ନୀ ପାକନ ଭୋଇ ସହିଦନଗର ଥାନା ଓ ଡିସିପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶକ୍ରମେ ଏହି ମାମଲା ରୁଜୁ ହୋଇଛି।
ଅଭିଯୋଗ ମୁତାବକ, ଗତ ଫେବୃଆରି ୧୧ ତାରିଖରେ ଇନ୍ସ୍ପେକ୍ଟର ଦିଲ୍ଲୀପ ସ୍ବାଇଁ ଓ ତାଙ୍କର ୩ ଜଣ କର୍ମଚାରୀ ରାତିରେ ପାକନଙ୍କ ଘରେ ପଶି ପୁଅକୁ ଖୋଜିଥିଲେ। କିଛି କହିବା ପୂର୍ବରୁ ପାକନଙ୍କୁ ମାଡ଼ ମାରିଥିଲେ। କେଉଁଠି ଅଭିଯୋଗ କଲେ ବଡ଼ ଦଫା ଲଗେଇ ଜେଲ୍ରେ ପୂରାଇଦେବି ବୋଲି ଧମକ ଦେଇଥିଲେ। ଧମକ ଦେଇ ସାଦା କାଗଜରେ ଟିପ ଚିହ୍ନ ନେଇ ଯାଇଛନ୍ତି ବୋଲି ପାକନ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପଟେ ଥାନାର ତତ୍କାଳୀନ ଇନ୍ସ୍ପେକ୍ଟର ଦିଲ୍ଲୀପ ସ୍ବାଇଁ କହିଛନ୍ତି, ପୁଲିସକୁ ବଦନାମ କରିବା ପାଇଁ ଏହା ଏକ ବିଧିବଦ୍ଧ ଷଡ଼୍ଯନ୍ତ୍ର। ଅଭିଯୋଗକାରିଣୀଙ୍କ ପୁଅ ନାଁରେ ନାବାଳିକା ଅପହରଣ ଅଭିଯୋଗ ରହିଛି। ସେ ଫେରାର ଅଛି। ଅଭିଯୁକ୍ତ ଘରେ ଥିବା ଖବର ପାଇ ଗତ ଫେବୃଆରି ୧୧ ତାରିଖ ଦିନ ପୁଲିସ ତାଙ୍କ ଘରକୁ ଯାଇଥିଲା। ତେବେ ଅଭିଯୁକ୍ତ ମିଳିନଥିଲା। ସାଦା କାଗଜ ଦସ୍ତଖତ, ମାଡ଼ ମାରିବା ପ୍ରଭୃତି ଅଭିଯୋଗ ମିଛ ବୋଲି ସେ କହିଛନ୍ତି।
Follow Us