ପୁରୁଣା ଭୁବନେଶ୍ୱର: କାର୍ତ୍ତିକ ମାସରେ ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ତେବେ ଏକାମ୍ର କ୍ଷେତ୍ରରେ ଥିବା ହବିଷ୍ୟାଳି ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଦୁଇଟିର ଅଧା ଅଂଶ ନଷ୍ଟ ହୋଇଯିବା ସହ ଗୁଳ୍ମଲତା ଓ ବିଦ୍ୟୁତ୍ ଟ୍ରାନ୍ସଫରମର୍ ଦ୍ୱାରା ତାହା ଲୁଚିଯାଇଛି। ଏବେ କେବଳ ପୁରୁଣା ମନ୍ଦିର ଆଗରେ ତୁଳସୀ ଚଉରାରେ ଲୋକେ ଦୀପ ଜାଳୁଛନ୍ତି। ଏହି ମନ୍ଦିର ଉପରେ ଅବର୍ଜନା ପଡ଼ିରହିଛି। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିର ସଂପର୍କରେ ଅଜ୍ଞ। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ଶହେ ମିଟର ଦୂରରେ ରାସ୍ତା ପାର୍ଶ୍ବରେ ରହିଛି ଏହି ହବିଷ୍ୟାଳି ମନ୍ଦିର।
ସ୍ଥାନୀୟ ହାଟ ସାହି ମଧ୍ୟ ଦେଇ କପିଳେଶ୍ୱର ଆଡ଼କୁ ଯିବା ବେଳେ ଦକ୍ଷିଣ ପାର୍ଶ୍ବରେ ପଡ଼େ ଏହି ମନ୍ଦିର । ଏହାର କାରୁକାର୍ଯ୍ୟ ସହସ୍ର ବର୍ଷ ପୁରୁଣା ପରି ଜଣାଯାଏ। ଏହି ମନ୍ଦିରରେ ରହିଛି ଦୁଇଟି ଶିବଲିଙ୍ଗ। ମନ୍ଦିର ଇତିହାସ ସଂପର୍କରେ ଅଧିକ କିଛି ଜଣାପଡ଼ି ନଥିଲେ ହେଁ ସ୍ଥାନୀୟ ବ୍ୟକ୍ତି ଏହାକୁ ହବିଷ୍ୟାଳି ମନ୍ଦିର ବୋଲି କୁହନ୍ତି। ପୂର୍ବେ ଆଖପାଖ ଅଞ୍ଚଳର ବୃଦ୍ଧାମାନେ ଏଠାରେ କାର୍ତ୍ତିକ ମାସରେ ପୂଜା କରିଥିଲେ ବୋଲି ସ୍ଥାନୀୟ ଅଞ୍ଚଳର ବୟସ୍କ ବ୍ୟକ୍ତି ଅରକ୍ଷିତ ସାହୁ କହିଛନ୍ତି। ଶ୍ରୀ ସାହୁଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ଶତାଧିକ ହବିଷ୍ୟାଳିମାନେ ସକାଳୁ ଆସି ପୂଜା କରିଥାନ୍ତି। ଏଠାରେ ଥିବା ଚଉରା ମୂଳେ ମୁରୁଜରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ଆଙ୍କି ପୂଜା କରିବା ଓ ଏହି ମନ୍ଦିରରେ ଥିବା ଶିବଲିଙ୍ଗକୁ ପୂଜା କରୁଥିବା ସେ ପିଲାବେଳେ ଦେଖିଛନ୍ତି। ୧୯୭୬ମସିହାରେ ରାସ୍ତା ଚଉଡ଼ା କରିବା ପାଇଁ ଯୋଜନା କରାଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହା ସମ୍ଭବ ହୋଇପାରି ନଥିଲା ବୋଲି ଶ୍ରୀ ସାହୁ କହିଛନ୍ତି । ଏବେ ଏହି ମନ୍ଦିରଟି ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ପୁରାତନ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2025/10/31/untitled-6-2025-10-31-08-12-31.jpg)