ଲୋକାର୍ପିତ ହେଲା ‘ଆମ ଭୀମଭୋଇ’ : ‘ଆମେ’କୁ ପ୍ରାଧାନ୍ୟ ଦେବା ପଛର ଜୀବନ ଦର୍ଶନ ହିଁ ମାନବବାଦ

Advertisment
ଲୋକାର୍ପିତ ହେଲା ‘ଆମ ଭୀମଭୋଇ’ : ‘ଆମେ’କୁ ପ୍ରାଧାନ୍ୟ ଦେବା ପଛର ଜୀବନ ଦର୍ଶନ ହିଁ ମାନବବାଦ

ଭୁବନେଶ୍ବର: ସନ୍ଥକବି ଭୀମଭୋଇଙ୍କୁ ଜାଣି ନଥିବା ପିଲାମାନେ ତାଙ୍କର ଛବିଟି ଦେଖିଲେ, ତାଙ୍କୁ ୨/୪ଶହ ବର୍ଷ ତଳର ଜଣେ ମୁନି ଋଷି ବୋଲି ଭାବୁଥିବେ। ଭୀମଭୋଇ ନିହାତି ଜଣେ ପୁରୁଣା କାଳିଆ ଲୋକ ହୋଇଥିବେ ବୋଲି ସେମାନଙ୍କ ମନରେ ଧାରଣା ଆସୁଥିବ। କିନ୍ତୁ ବାସ୍ତବ କଥା ହେଲା, ଯେଉଁ ସାହିତ୍ୟିକଙ୍କୁ ନେଇ ଆମେ ଗର୍ବ କରୁଛେ, ଭୀମଭୋଇ ସେମାନଙ୍କ ସମସାମୟିକ। ଭୀମଭୋଇଙ୍କ ଭଳି ଜଣେ କବିଙ୍କୁ ସାରା ବିଶ୍ବ ସ୍ବୀକାର କରିଛି। କିନ୍ତୁ ଆମେ ଓଡ଼ିଆମାନେ ତାଙ୍କୁ ସେତିକି ସ୍ବୀକୃତି ଦେଇପାରିନେ। ସେ ଦୃଷ୍ଟିରୁ ଏବେ ଭୀମଭୋଇଙ୍କ ସମ୍ପର୍କିତ ପୁସ୍ତକ ସୁଲଭ ମୂଲ୍ୟରେ ପାଠକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ନିହାତି ଭାବେ ସ୍ବାଗତଯୋଗ୍ୟ। ସମ୍ବାଦ ଭବନରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ତଥା ଉଦ୍ଧବ ଚରଣ ନାୟକଙ୍କ ଲିଖିତ ‘ଆମ ଭୀମଭୋଇ’ ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସାମ୍ୟବାଦ ହେଉ କି ପୁଞ୍ଜିବାଦ ବ୍ୟବସ୍ଥା; ‘ମୁଁ’ ଏବଂ ‘ଆମେ’ ଭିତରେ ସବୁ କିଛି ଅଛି। ‘ମୁଁ’ କୁ ଗୌଣ କରି ‘ଆମେ’କୁ ପ୍ରାଧାନ୍ୟ ଦେବା ପଛରେ ଥିବା ଜୀବନ ଦର୍ଶନ ହିଁ ମାନବବାଦ। ଏହା ମଣିଷକୁ ସୁଖ ଦେଇପାରିବ।ପୁସ୍ତକର ଲେଖକ ଶ୍ରୀ ନାୟକ କହିଲେ, ଏହି ପୁସ୍ତକରେ ଭୀମଭୋଇଙ୍କ ବିଷୟରେ ବିଭିନ୍ନ ଉପଯୋଗୀ ତଥ୍ୟ ରହିଛି। ଭୀମଭୋଇଙ୍କ ସମୟର ଓଡ଼ିଶା, ମହିମା ଧର୍ମ, ସନ୍ଥକବି ଭୀମଭୋଇ, ଭୀମଭୋଇଙ୍କ ରହସ୍ୟମୟ ଜନ୍ମବୃତ୍ତାନ୍ତ, ବାଲ୍ୟଜୀବନ ଆଦି ବିଭିନ୍ନ ପ୍ରସଙ୍ଗ ପୁସ୍ତକରେ ସ୍ଥାନ ପାଇଛି।

‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବହୁ ସମୟରେ ଆମେ ଅଭିମାନ କରୁ ଯେ ଭୀମଭୋଇଙ୍କୁ ସେତେବେଳେ ଫକୀରମୋହନ ଜାଣି ନ ଥିଲେ। ତେବେ ଆମେ ଜାଣି ରଖିବା ଉଚିତ ଯେ ଫକୀର ମୋହନଙ୍କ ସମ୍ପର୍କରେ ଆଲୋଚନା ମଧ୍ୟ ଓଡ଼ିଆ ସାହିତ୍ୟରେ ବହୁ ବର୍ଷ ପରେ ହୋଇଛି। ଆମ ଓଡ଼ିଶାରେ ସମକାଳର ସାହିତ୍ୟିକମାନଙ୍କ ସମ୍ପର୍କରେ ଆଲୋଚନା ହୁଏନି, ମରଣୋତ୍ତରରେ ହୁଏ। କିନ୍ତୁ ଭୀମଭୋଇଙ୍କ ଦର୍ଶନ ସତରେ ଗ୍ରହଣୀୟ। ସବୁ ଚିରନ୍ତନ ମୂଲ୍ୟବୋଧ ଓ ଦର୍ଶନ ବିଳମ୍ବରେ ହେଉ ପଛେ ବିଶ୍ବବାସୀଙ୍କ ନିକଟରେ ପହଞ୍ଚିବ ବୋଲି ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ମହିମା ଧର୍ମ ଓ ଭୀମଭୋଇଙ୍କ ପ୍ରସାରପ୍ରଚାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସମ୍ବାଦ’ ସମ୍ପାଦକ ଶ୍ରୀ ପଟ୍ଟନାୟକଙ୍କୁ କଳାରାହଙ୍ଗ ଭୀମଭୋଇ ଦାତବ୍ୟ ନ୍ୟାସର ଅଧ୍ୟକ୍ଷ ରମେଶ ବାବା ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ସନାତନ ମଲ୍ଲିକ, ଢେଙ୍କାନାଳ ବିକାଶ ପରିଷଦର ଆବାହକ ରାଜାନାରାୟଣ ତ୍ରିପାଠୀ, ମନୋରଞ୍ଜନ ସାହୁ, ସୁକାନ୍ତ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe