ଭୁବନେଶ୍ବର: ରାଜଧାନୀ ରାସ୍ତାରେ ‘ଆମ ବସ୍‌’ର ରକ୍ତ ପିଇବା ଘଟଣା ଥମୁନାହିଁ। ଦୁର୍ଘଟଣାରେ ମଣିଷ ମାରିବା ଯେମିତି ନିତିଦିନିଆ ଘଟଣା ହୋଇଗଲାଣି। ନିୟମିତ ବ୍ୟବଧାନରେ ଆମ ବସ୍‌ ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ନୂଆବର୍ଷ ଆରମ୍ଭରୁ ଆଜି ରାଜଧାନୀ ଛାତି ଉପରେ ରକ୍ତମୁଖା ‘ଆମ ବସ୍‌’ ଘଟାଇଥିବା ଲୋମଟାଙ୍କୁରା ଦୁର୍ଘଟଣା ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସ୍ମାର୍ଟ ଜନପଥରେ ଦ୍ରୁତବେଗରେ ପୁଣି ବେପରୁଆ ଭାବେ ଯାଉଥିବା ‘ଆମ ବସ୍‌’ ରୂପାଲି ଛକରେ ଏକ ଅଟୋ ସମେତ ଚାଳକଙ୍କୁ ଚାପିଦେଇଛି। ମୃତ ଅଟୋଚାଳକ ହେଲେ ବାଲିପାଟଣା ଅଞ୍ଚଳର ବିଷ୍ଣୁ ପାତ୍ର(୬୦)। ସେହିଭଳି ଅଟୋରେ ଜଣେ ଯୁବତୀଙ୍କ ସମେତ ୨ଯାତ୍ରୀ ଗୁରୁତର ହୋଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀ ହେଲେ ନମିତା ପ୍ରଧାନ। ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବେଶ୍‌ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଆମ ବସ୍‌ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଦେଖି ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ରାସ୍ତାରୋକ୍‌ କରିଥିଲେ।

Advertisment

Vande Bharat Sleeper Train: ଦିଲ୍ଲୀ ରେଳ ଷ୍ଟେସନରେ 'ବନ୍ଦେ ଭାରତ ସ୍ଲିପର ଟ୍ରେନ'ର ନିରୀକ୍ଷଣ କଲେ କେନ୍ଦ୍ର ରେଳମନ୍ତ୍ରୀ

ରେଡ୍‌ ସିଗ୍‌ନାଲ୍‌ ନ ମାନି ଅରଣା ମଇଁଷି ଭଳି ମାଡ଼ିଆସିଲା
ରୁପାଲି ଛକ ପାଲଟିଲା ରଣକ୍ଷେତ୍ର
ଉତ୍ତ୍ୟକ୍ତ ଲୋକେ ବସ୍‌ ଭାଙ୍ଗିଲେ, ରାସ୍ତାରୋକ କଲେ

ଶନିବାର ଅପରାହ୍ଣ ପାଖାପାଖି ସାଢ଼େ ୧୨ଟା ହେବ। ସ୍ମାର୍ଟ ଜନପଥର ଜନଗହଳିପୂର୍ଣ୍ଣ ରୂପାଲି ଛକରେ ଟ୍ରାଫିକ୍‌ ରେଡ୍‌ ସିଗନାଲ୍‌ ଦେଖାଇଥାଏ। ଏଥିଯୋଗୁ ଗାଡ଼ି ସବୁ ଅଟକିଥାଆନ୍ତି। ଏହି ସମୟରେ ଖାରବେଳନଗର ପଟୁ ଦ୍ରୁତଗତିରେ ଆସୁଥିବା ଏକ ‘ଆମ ବସ୍‌’ ଟ୍ରାଫିକ୍‌ ଛକରେ ଅଟକିଥିବା ଅଟୋ ପଛକୁ ପିଟି ଦେଇଥିଲା। ଆମ ବସ୍‌, ଠିଆ ହୋଇଥିବା ଅଟୋକୁ ଏତେ ଜୋର୍‌ରେ ଧକ୍କା ଦେଇଥିଲା ଯେ ଅଟୋଟି ଆଗରେ ଥିବା ଏକ ସ୍କୁଲ୍‌ ବସ୍‌ ପଛରେ ପିଟି ହୋଇ ଚେପା ହୋଇଯାଇଥିଲା ଏବଂ ସ୍କୁଲ୍‌ ବସ୍‌ ପଛରେ ପଶିଯାଇଥିଲା। କେବଳ ସେତିକି ନୁହେଁ, ଧକ୍କା ଯୋଗୁ ସ୍କୁଲ ବସ୍‌ କିଛି ଦୂର ଗଡ଼ିଗଲା ଏବଂ ତା’ ପଛରେ ଚେପା ହୋଇ ଲାଗିଥିବା ଅଟୋ ଘୋଷାରି ହୋଇଯାଇଥିଲା। ଫଳରେ ଅଟୋଚାଳକ ଓ ୨ ଯାତ୍ରୀ ଚେପା ଅଟୋ ଭିତରେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କଲାବେଳକୁ ଅଟୋଚାଳକ ବିଷ୍ଣୁଙ୍କ ଶରୀର ପୂରା ଦଳିଚକଟି ହୋଇଯାଇଥିଲା। ଦୁର୍ଘଟଣା ଶବ୍ଦରେ ଭୟଭୀତ ଲୋକେ ଏଣେ‌ତେଣେ ଧାଁ ଧଉଡ଼ କରିବା ଭିତରେ ଆମ ବସ୍‌ର ଚାଳକ ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିଛି କ୍ଷଣ ଭିତରେ ଆଖପାଖ ଲୋକେ ଧାଇଁ ଆସିଥିଲେ ଏବଂ ଚେପା ଅଟୋରେ ଚାଳକ ଓ ୨ଯାତ୍ରୀଙ୍କ ଅବସ୍ଥା ଦେଖି ହତବାକ୍‌ ହୋଇଯାଇଥିଲେ। କିଛି ଲୋକ ଗୁରୁତରମାନଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ ଓ ଆଉ କିଛି ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ।

Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ

ଜନପଥର ଉଭୟ ପାର୍ଶ୍ବରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍‌ଗୁଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ। ମାତ୍ର ୫ମିନିଟ୍‌ ଭିତରେ ରୂପାଲି ଛକ ଏକପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ଖବର ପାଇ ଡିସିପି ଜଗମୋହନ ମୀନା, ୫ରୁ ଅଧିକ ଏସିପି ଓ ୬ରୁ ଅଧିକ ଇନ୍‌ସ୍ପେକ୍ଟର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ପ୍ରଶ୍ନବାଣରେ ଘାଇଲା କରି ପକାଇଥିଲେ। ସ୍ମାର୍ଟ ଜନପଥର ଏକ ଜନଗହଳିପୂର୍ଣ୍ଣ ଟ୍ରାଫିକ୍‌ ଛକରେ ଘଟିଥିବା ଏହି ଦୁର୍ଘଟଣା କେବଳ ବସ୍‌ ଚାଳକଙ୍କ ବେପରୁଆ ଚାଳନା ପାଇଁ ଘଟିଛି ବୋଲି ଲୋକେ ଅଭିଯୋଗ କରିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଟ୍ରାଫିକ୍‌ ଛକରେ ରେଡ୍‌ ସିଗ୍‌ନାଲ୍‌ ଥିବାରୁ ସବୁ ଗାଡ଼ି ଅଟକିଥିଲେ। ଅଥଚ ଆମ ବସ୍‌ଟି ପଛରୁ ବାଘ ଭଳି ମାଡ଼ିଆସିଥିଲା ଏବଂ ଅଟୋ ପଛରେ ଜୋର୍‌ ଧକ୍କା ଦେଇଥିଲା। ଟ୍ରାଫିକ୍‌ ଛକରେ ଆମ ବସ୍‌ଟି କିଭଳି ଏତେ ଦ୍ରୁତବେଗରେ ମାଡ଼ିଆସିଲା ବୋଲି ଲୋକେ ପୁଲିସକୁ ପ୍ରଶ୍ନ କରିଥିଲେ। ଏଭଳି ଦୁର୍ଘଟଣା କେବଳ ଜଣେ ମଦ୍ୟପ ଚାଳକ ଘଟାଇପାରେ। ତେଣୁ ତା’ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଲୋକେ ପୁଲିସ ସମ୍ମୁଖରେ ଦାବି କରିଥିଲେ।ଏହା ଭିତରେ ପୁଲିସ ମୃତଦେହକୁ ଜବତ କରିବା ସହ ଗୁରୁତର ୨ ଯାତ୍ରୀଙ୍କୁ କ୍ୟାପିଟାଲ୍‌ ହସ୍ପଟାଲ୍‌ ପଠାଇଥିଲା। ଏତିକିବେଳେ ଖବର ପ୍ରଚାରିତ ହେଲା ଯେ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ପୁଣି ଉତ୍ତେଜନା ବଢ଼ିଥିଲା। ମାତ୍ର ଯୁବତୀଙ୍କ ମୃତ୍ୟୁ ହୋଇନାହିଁ ବୋଲି ପୁଲିସ ନିଶ୍ଚିତ କରିବା ପରେ ଉତ୍ତେଜନା ଥମି ଥିଲା। ଏମିତିରେ ପାଖପାଖି ଘଣ୍ଟାଏ କାଳ କସରତ କରିବା ପରେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲା।