ଇଏ କି ଟ୍ରାଫିକ୍‌ ଚେକିଂ ! ଜରିମାନା ଆଗ, ଜୀବନ ପଛ

Advertisment
ଇଏ କି ଟ୍ରାଫିକ୍‌ ଚେକିଂ ! ଜରିମାନା ଆଗ, ଜୀବନ ପଛ

ଭୁବନେଶ୍ବର: ପଟିଆ ବିଗ୍‌ବଜାର ଛକ। ବେଶ୍ ଗହଳି ଥାଏ। ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇ ଯାଉଥିଲେ ସନ୍ତୋଷ ବେହେରା। ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କୁ ବାଦ୍‌ ଦେଲେ, ଅନ୍ୟ କୌଣସି ପୁଲିସ କର୍ମଚାରୀ ଦେଖାଯାଉନଥିଲେ। ତେଣୁ ବଡ଼ ଆରାମ୍‌ରେ ଯାଉଥିଲେ ସନ୍ତୋଷ। କିନ୍ତୁ ହଠାତ୍ ଆଗକୁ ଡେଇଁ ପଡ଼ିଲେ ଦୁଇ ଜଣ ପୁଲିସ କର୍ମଚାରୀ। ହଡ଼ବଡ଼େଇ ବା‌ଇକ୍‌ ସହ ତଳେ ପଡ଼ିଲେ ସନ୍ତୋଷ। ଗୋଡ଼ ହାତ ଖଣ୍ଡିଆଖାବରା ହୋଇଗଲା। ସୌଭାଗ୍ୟକୁ ଗାଡ଼ିର ବେଗ ଅଧିକ ନଥିଲା, ତେଣୁ ସନ୍ତୋଷ ସାମାନ୍ୟ ଆହତ ହୋଇଥିଲେ।

ସେହିଭଳି ସତ୍‌ସଙ୍ଗବିହାର ଛକରେ ହେଲ୍‌ମେଟ୍‌ ଯାଞ୍ଚ କରୁଥିବା ପୁଲିସ କର୍ମଚାରୀ ହଠାତ୍ ବାଇକ୍‌ ସମ୍ମୁଖକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ ବଡ଼ଗଡ଼ ଅଞ୍ଚଳର ସୌମ୍ୟଦୀପ ପ୍ରସାଦ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଏମିତି ଅଘଟଣ ଏବେ ରାଜଧାନୀରେ ନିତିଦିନିଆ ଘଟଣା ହୋଇଗଲାଣି। ଅମାନିଆଙ୍କୁ ସାବାଡ୍‌ କରିବାକୁ ଯାଇ ପୁଲିସ ଜୀବନ ସହ ଖେଳୁଛି ବୋଲି ଅଭିଯୋଗ ହେଉଛି। ଚେକିଂ କରି ଜରିମାନା ଆଦାୟ ଆଗ ନା ଜୀବନ ଆଗ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କମିସନରେଟ୍ ପୁଲିସ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ଆରମ୍ଭ କରିଛି। ମଦ୍ୟପ ଗାଡ଼ିଚାଳକଙ୍କୁ ଧରିବା, ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଉଥିବା ଯୁବକଙ୍କୁ ଜରିମାନା କରିବା ଭଳି ବ୍ୟବସ୍ଥାକୁ ଜୋର୍‌ଦାର୍‌ କରାଯାଇଛି। ଗତ ଦୁଇ ବର୍ଷ ହେଲା କମିସନରେଟ୍‌ ପୁଲିସ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରୁଛି। ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଉଛି। ରାଜଧାନୀରେ ଛକ ଛକରେ ପ୍ରତିଦିନ ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କମିସନରେଟ୍ ପୁଲିସ ପକ୍ଷରୁ ଚେକିଂ ଜୋରଦାର୍ ଚାଲିଛି। ଫଳରେ ଟ୍ରାଫିକ୍ ନିୟମ ମାନୁନଥିବା ଅମାନିଆଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଦେଖାଯାଉଛି। କିନ୍ତୁ ଏବେ ପୁଲିସର ବିଚିତ୍ର ଚେକିଂ ପଦ୍ଧତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

ଗଛ ପଛରେ ବା ସେମିତି ସ୍ଥାନ ଦେଖି ଛପି ରହୁଥିବା ପୁଲିସ ହଠାତ୍ ଗାଡ଼ିଚାଳକଙ୍କ ସମ୍ମୁଖକୁ ଆସି ଅଟକାଇବା ଫଳରେ ବାଇକ୍‌ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ବିଭିନ୍ନ ସମୟରେ ଟ୍ରାଫିକ୍ କର୍ମଚାରୀଙ୍କ ଦାଦାଗିରି ମଧ୍ୟ ସାମ୍ନାକୁ ଆସୁଛି। ସବୁଠୁ ବଡ଼ ଭୟଙ୍କର କଥା ହେଉଛି ସନ୍ଧ୍ୟା ସମୟର ଚେକିଂ ପ୍ରକ୍ରିୟା। ରାସ୍ତା କଡ଼ରେ ଗଛ ପଛରେ କି କ୍ୟାବିନ୍ ପଛରେ ଛପି ରହୁଥିବା କିଛି ପୁଲିସ କର୍ମଚାରୀ ଅତର୍କିତ ଭାବେ ବାଇକ୍‌ ଚାଳକଙ୍କ ଆଗକୁ ଡେଇଁ ପଡ଼ୁଛନ୍ତି।

ଫଳରେ ଭୟଭୀତ ହୋଇ ବାଇକ୍‌ ଚାଳକ ଭାରସାମ୍ୟ ହରାଉଛି ଓ ଦୁର୍ଘଟଣାର ଶିକାର ହେଉଛି। ସେହିପରି କିଛି ଅମାନିଆ ଜରିମାନା ଭୟରେ ଘଟଣାସ୍ଥଳରୁ ଖସି ପଳାଇବା ପାଇଁ ଦ୍ରୁତ ଗତିରେ ବାଇକ୍‌ ଚଳାଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଉପରୋକ୍ତ ଦୁଇ ଘଟଣାକୁ ବାଦ୍‌ ଦେଲେ, ଆହୁରି କିଛି ଅଘଟଣ ବି ଘଟିଛି। ଜୟଦେବବିହାର ହୋଟେଲ ପାଲ୍‌ ହାଇଟ୍ ସାମ୍ନାରେ ଜଣେ ବ୍ୟକ୍ତି ପୁଲିସ ଚେକିଂ ପାଇଁ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିପରି ସତ୍ୟନଗର ହୋମ୍‌ ଟାଉନ୍ ସମ୍ମୁଖରେ ଖାସ୍‌ ଏହି କାରଣରୁ ଦୁଇ ବାଇକ୍ ଚାଳକ ପିଟାପିଟି ହୋଇ ଆହତ ହୋଇଥିଲେ। ବାଣୀବିହାର ଓଭର୍‌ବ୍ରିଜ୍ ତଳେ ପୁଲିସ ଚେକିଂ ସମୟରେ ଭାରସାମ୍ୟ ହରାଇ ଜଣେ ଜମାଟୋ ଡେଲିଭରି ବୟ ଦୁର୍ଘଟଣାଗ୍ରସ୍ତ ହୋଇଥି‌ଲେ।

ପୁଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବେ ସାଧାରଣ ‌ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏନେଇ ବରିଷ୍ଠ ନାଗରିକ ଡମ୍ବରୁଧର ନାୟକ କହିଛନ୍ତି ଯେ ‌ପୁଲିସ ଫଟୋ ଉଠାଇ ଚାଲାଣ ପଠାଇବା ନିୟମ ରହିଛି। ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ଏହା ଯଥେଷ୍ଟ। ମାତ୍ର ପୁଲିସ ଏଭଳି ବ୍ୟବସ୍ଥା ଥିବା ସତ୍ତ୍ବେ ଗାଡ଼ି ସମ୍ମୁଖକୁ ଡେଇଁ ଲୋକଙ୍କ ଜୀବନ ସହ ଖେଳିବା କ’ଣ ଦରକାର? ଜରିମାନା ଆଦାୟ କରିବା ବାହାନାରେ କାହାର ଜୀବନ ଚାଲିଗଲେ, କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe