ସମ୍ବିଧାନ ପ୍ରଣେତାଙ୍କୁ ସମ୍ମାନ ଏମିତି : ନାମଫଳକରୁ ନାଁ ଲିଭି ଗଲାଣି

Advertisment
ସମ୍ବିଧାନ ପ୍ରଣେତାଙ୍କୁ ସମ୍ମାନ ଏମିତି : ନାମଫଳକରୁ ନାଁ ଲିଭି ଗଲାଣି

ଭୁବନେଶ୍ବର : ମହାପୁରୁଷଙ୍କୁ ସମ୍ମାନ ଦେବାରେ ଆମର ଆଡ଼ମ୍ବର କମ୍‌ ନୁହଁ। ମାତ୍ର ଏହି ସମ୍ମାନକୁ ବଜାୟ ରଖିବାରେ ଆମ ପ୍ରଶାସନର କାର୍ପଣ୍ୟ ନିନ୍ଦନୀୟ। ଜନ୍ମଦିନ କିମ୍ବା ତିରୋଧାନ ଦିବସ ଆସିଲେ ସରକାରଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଫୁଲ ମାଳ ପିନ୍ଧାଇବାକୁ ପ୍ରତିଯୋଗିତା କରନ୍ତି। ମାତ୍ର ଦିନ ସରିଗଲେ, ମାନସିକତା ବଦଳିଯାଏ। ରାତି ପାହିଲେ, ସମ୍ବିଧାନର ପ୍ରଣେତା ଭୀମରାଓ ରାମ୍‌ଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳନ ହେବ। ତେବେ ରାଜଧାନୀର କେନ୍ଦ୍ରସ୍ଥଳ ଏଜି ଛକରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ସ୍ଥଳ ଦେଖିଲେ ଯେ କେହି ବି ମୁହଁ ମୋଡ଼ିବ। ୧୯୯୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ଉନ୍ମୋଚିତ ଏହି ପ୍ରତିମୂର୍ତି ସ୍ଥଳକୁ କାଳକ୍ରମେ ଖୁବ୍‌ ସାଜସଜା କରାଯାଇଥିଲା। ପ୍ରତିମୂର୍ତି ପିଣ୍ଡିକୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରାଯାଇଥିଲା। ମହାପୁରୁଷଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିମୂର୍ତିର ଚତୁଃପାର୍ଶ୍ବ‌ ସୁନ୍ଦର ଆଲୋକମାଳାରେ ସଜା ଯାଇଥିଲା। ସମ୍ମୁଖରେ ଏକ ସୁନ୍ଦର ଫାଉଣ୍ଟେନ୍‌ ମଧ୍ୟ ନିର୍ମିତ ହୋଇଥିଲା। ମାତ୍ର ସେଥିମଧ୍ୟରୁ କିଛି ବି ଆଉ ସେ ସ୍ଥାନରେ ନାହିଁ। ସାମ୍ନାରେ ଥିବା ଫାଉଣ୍ଟେନ୍‌ ଏବେ ଅଘୋଷିତ ପାଇଖାନା ପାଲଟିଛି। ଆଲୋକମାଳାର ଚିହ୍ନବର୍ଣ୍ଣ ଆଉ ନାହିଁ। ବିଦ୍ୟୁତ ତାର କେବଳ ଉପରମୁହାଁ ହୋଇ ରହିଛି।

ସବୁଠୁ ବଡ଼ କଥା ହେଉଛି, ବାବା ସାହେବଙ୍କ ପ୍ରତିମୂର୍ତିକୁ ଅବହେଳା ପ୍ରତିବାଦରେ ଗତବର୍ଷ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ କୃଷ୍ଣ ସଗରିଆ, ଅକ୍ଷୟ ମଲ୍ଲିକ, ଦେବୀ ପ୍ରସାଦ ପୃଷ୍ଟିଙ୍କ ନେତୃତ୍ବରେ ପ୍ରତିମୂର୍ତି ନିକଟରେ ଧାରଣା ଦିଆଯାଇଥିଲା। ତେବେ ପ୍ରଶାସନ ଚେତିଲା ନାହିଁ କି ଏଥିପ୍ରତି ଗୁରୁତ୍ବ ଦେଲା ନାହିଁ। ଅବହେଳା ଯୋଗୁଁ ପ୍ରତିମୂର୍ତି ପିଣ୍ଡି ଭାଙ୍ଗିରୁଜି ଗଲାଣି। ପିଣ୍ଡିରେ ଗଛ ଉଠି ଗଲାଣି। ଚାରି ପାର୍ଶ୍ବ ଘାସରେ ଭର୍ତି ହୋଇ ଗଲାଣି। ପିଣ୍ଡି ଉପରୁ ଟାଇଲ୍‌ ଉଠିଗଲାଣି। ନାମ ଫଳକରେ ଆଉ ଅକ୍ଷର ଦିଶୁନାହିଁ। ତଥାପି ନଜର ଦିଆଯାଉ ନାହିଁ। ଏମିତିକି ଯେଉଁ ଲୁହା ବାଡ଼ ବୁଲା ଯାଇଥିଲା, ତାହା ଅନେକ ଦିନ ହେଲା ଭାଙ୍ଗି ପଡ଼ିଥିଲେ ବି କାହାର ନଜର ପଡ଼ୁନାହିଁ। ବିଡ଼ମ୍ବନା ଏହି ଯେ, ଏଇ ବାଟ ଦେଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଓ ବିଧାନସଭାକୁ ଯାଆନ୍ତି। ବହୁ ନେତା ଓ ପ୍ରଶାସକଙ୍କର ମଧ୍ୟ ଏହା ନିତିଦିନିଆ ଯାତାୟ‌ାତ ବାଟ। ତଥାପି ଏହା ମନ୍ତ୍ରୀ, ଯନ୍ତ୍ରୀ ଓ ବଡ଼ବାବୁଙ୍କ ଦୃଷ୍ଟିରେ ପଡ଼ୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe