ଖତ ଖାଉଛି ଆମ୍ବୁଲାନ୍‌ସ, ନିଆଁଲିଭା ଯନ୍ତ୍ରର ଅବଧି ନାହିଁ, କେବେ ସୁଧୁରିବ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟର ଅବସ୍ଥା?

Advertisment

କର୍ମଚାରୀଙ୍କ ଅଭାବ ସାଙ୍ଗକୁ ପରିଚାଳନା ଅବ୍ୟବସ୍ଥା

କର୍ମଚାରୀଙ୍କ ଅଭାବ ସାଙ୍ଗକୁ ପରିଚାଳନା ଅବ୍ୟବସ୍ଥା

ଖତ ଖାଉଛି ଆମ୍ବୁଲାନ୍‌ସ, ନିଆଁଲିଭା ଯନ୍ତ୍ରର ଅବଧି ନାହିଁ, କେବେ ସୁଧୁରିବ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟର ଅବସ୍ଥା?

ଭୁବନେଶ୍ବର: କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟ ବା ଇଏସ୍‌ଆଇ ଡାକ୍ତରଖାନାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ହସ୍ପିଟାଲର ପରିଷ୍କାର ପରିଚ୍ଛନ୍ନତାଠାରୁ ଆରମ୍ଭ କରି କର୍ମଚାରୀଙ୍କ ଅଭାବ ଓ ପରିଚାଳନାଗତ ତ୍ରୁଟି ଦେଖିବାକୁ ମିଳିଛି। ଏପରିକି ଚିକିତ୍ସାଳୟରେ ଲାଗିଥିବା ନିଆଁଲିଭା ଯନ୍ତ୍ରର ଅବଧି ଶେଷ ହୋଇ ଯାଇଥିବା ବେଳେ ତାହାକୁ ଭରା ଯାଇ ନାହିଁ। ଏଭଳି ପରିସ୍ଥିତିରେ ଯଦି ହସ୍ପିଟାଲରେ କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ଡାକ୍ତରଙ୍କ ବ୍ୟାପକ ଅଭାବ ଦେଖିବାକୁ ମିଳିଛି। ଭେଷଜ ଓ ଅସ୍ଥିଶଲ୍ୟ ବିଭାଗରେ ଜଣେ ଲେଖାଏଁ ଡାକ୍ତର ଅଛନ୍ତି। ଫଳରେ ରୋଗୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଦୀର୍ଘଦିନ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ରୋଗୀମାନଙ୍କର ପ୍ଲାଷ୍ଟର୍‌ ଖୋଲା ଯାଉଛି, ତାହାକୁ ଡଷ୍ଟିବନ୍‌ରେ ପକା ଯାଉନାହିଁ। ବ୍ୟାଣ୍ଡେଜ୍‌ ବାରଣ୍ଡାରେ ପଡ଼ି ରହିଥିବା ଦେଖାଯାଉଛି। ସେହିପରି ହସ୍ପିଟାଲ ପରିସରରେ କୁଢ଼କୁଢ଼ ଅଳିଆ ପଡ଼ି ରହିଛି।

ହସ୍ପିଟାଲରେ ‌ନିଆଁ ଲିଭାଇବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ଲଗା ଯାଇଛି। ଗତବର୍ଷ ନଭେମ୍ବର ୨୩ ତାରିଖରେ ଏହାକୁ ଭରା ଯାଇଥିଲା। ପ୍ରତିବର୍ଷ ଏହାକୁ ଭରା ଯିବାକୁ ନିୟମ ଥିଲେ ହେଁ ଗତମାସ ୨୨ତାରିଖରେ ଏହାର ଅବଧି ଶେଷ ହୋଇଯାଇଛି। ମାତ୍ର ଅଗ୍ନି ନିର୍ବାପକ ଯନ୍ତ୍ରକୁ ରିଫିଲ୍ କରାଯାଇ ନାହିଁ। ରାଜ୍ୟରେ ସରକାରୀ ସମେତ ବେସରକାରୀ ଡାକ୍ତରଖାନାରେ ନିଆଁ ଲାଗି ଅଘଟଣ ଘଟୁଥିବା ବେଳେ ଇଏସ୍‌ଆଇ ହସ୍ପିଟାଲ୍‌ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ନ ଦେଇ ରୋଗୀଙ୍କ ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ସେହିପରି ଚିକିତ୍ସାଳୟରେ ଦୁଇ ଦୁଇଟି ଆମ୍ବୁଲାନ୍‌ସ ରହିଥିଲେ ହେଁ ତାହା କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି। ରାଜଧାନୀରେ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ଆମ୍ବୁଲାନ୍‌ସ ଖତ ଖାଇବା ଘଟଣା ଚିକିତ୍ସାଳୟ କର୍ତୃପକ୍ଷଙ୍କ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ୍ବୁଲାନ୍‌ସକୁ କାହିଁକି କାର୍ଯ୍ୟକ୍ଷମ କରାଯାଉ ନାହିଁ, ତାହା ସନ୍ଦେହ ଘେରରେ ରହିଛି। ଏହାସହ ଚିକିତ୍ସାଳୟ‌ରେ ଆଜି ପର୍ଯ୍ୟନ୍ତ ସିଟି ସ୍କାନ୍ ସୁବିଧା ମଧ୍ୟ ରୋଗୀଙ୍କୁ ମିଳୁନାହିଁ। ଯେଉଁ ରୋଗୀମାନଙ୍କ ସିଟି ସ୍କାନ୍ କରିବା ଜରୁରୀ ରହିଛି, ସେମାନଙ୍କୁ ଅନ୍ୟତ୍ର ରେଫର କରାଯାଉଛି। ଏପରିକି ଚିକିତ୍ସାଳୟରେ ଆଜି ପର୍ଯ୍ୟନ୍ତ ପ୍ରସବ ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରସୂତିମାନଙ୍କୁ ଅନ୍ୟତ୍ର ପ୍ରସବ କରିବାକୁ ପଡ଼ୁଛି। କହିବାକୁ ଗଲେ ଅତି ସାଧାରଣ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର୍‌ କରାଯାଉଥିବା ସୂଚନା ମିଳିଛି।

କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟର ଅଧୀକ୍ଷକ ଡା. ଦିଲ୍ଲୀପ ସାହୁ କହିଛନ୍ତି, ଚିକିତ୍ସାଳୟରେ କର୍ମଚାରୀଙ୍କ ଅଭାବ ରହିଛି। ଡାକ୍ତର ଓ ପାରାମେଡିକ୍‌ କର୍ମଚାରୀଙ୍କୁ ମିଶାଇ ୧୪୬ପଦ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ୨୦ଟି ପଦ ପାଇଁ ଅନୁମତି ମିଳିଥିଲେ ‌ହେଁ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe