ଘେରାବନ୍ଦୀରେ ଭିଏସ୍‌ଏସ୍‌ ନଗର

Advertisment

ଆମେ ଗଢ଼ିବା ଆମ ସହର

ଆମେ ଗଢ଼ିବା ଆମ ସହର

ଘେରାବନ୍ଦୀରେ ଭିଏସ୍‌ଏସ୍‌ ନଗର

ବିଏମ୍‌ସି ଓ୍ଵାର୍ଡ ନଂ-୧୧

ଭୁବନେଶ୍ୱରରେ ସ୍ମାର୍ଟ ସିଟିର ମୋହର ବାଜିଛି। ଏକ ରଙ୍ଗିନ୍‌ ଭବିଷ୍ୟତର ଚିତ୍ର ଆଙ୍କି ଆମେ ଏହି ସ୍ୱୀକୃତି ସାଉଁଟିଛୁ। ଅଥଚ ବାସ୍ତବତା ଆଉ କିଛି ବୟାନ କରୁଛି। ଅନେକ ମୌଳିକ ସମସ୍ୟା ଏବେ ବି ସହରକୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସାଜିଛି। ରାସ୍ତା-ପାଣି-ଆଲୁଅ-ସଫେଇ-ସ୍ୱେରେଜ ସବୁ କ୍ଷେତ୍ରରେ ଅଭିଯୋଗର ଲମ୍ବା ଫର୍ଦ। ଉପରକୁ ଚକ୍‌ଚକ୍‌ ଦେଖାଯାଉଛି ସତ, କିନ୍ତୁ ଭିତରେ ଭିତରେ ସମସ୍ୟାଗୁଡ଼ିକ ସ୍ଥାନୀୟ ବାସିନ୍ଦାଙ୍କୁ ଅଣନଶ୍ୱାସୀ କରିଦେଉଛି। ଖାଲି ସମସ୍ୟା ବଖାଣିଲେ ହେବନି, ତା’ର ସମାଧାନର ବାଟ ବାହାର କରିବାକୁ ପଡ଼ିବ। ସରକାରୀ କଳର ତ ଦାୟିତ୍ୱ ନିଶ୍ଚୟ ଅଛି, ନାଗରିକ ବି ତା କର୍ତବ୍ୟରୁ ଓହରି ପାରିବ ନାହିଁ। ଲୋକଙ୍କ ମୁହଁରୁ ସେମାନଙ୍କ ସମସ୍ୟା ଶୁଣି ସରକାରଙ୍କୁ ଜଣାଇବା ପାଇଁ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଅଭିଯାନ ‘ଆମେ ଗଢ଼ିବା ଆମ ସହର’। ଏହି କ୍ରମରେ ଗତ ଗୁରୁବାର ସନ୍ଧ୍ୟାରେ ଓ୍ଵାର୍ଡ ନଂ ୧୧ରେ ଅନୁଷ୍ଠିତ ହୋଇଥିଲା ଷଷ୍ଠ ବୈଠକ।

publive-image publive-image

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ‘ଆମେ ଗଢ଼ିବା ଆମ ସହର’ ଅଭିଯାନର ଷଷ୍ଠ ବୈଠକ ଗତ ଗୁରୁବାର ୧୧ ନମ୍ବର ଓ୍ଵାର୍ଡ ଭିଏସ୍‌ଏସ୍‌ ନଗରସ୍ଥିତ ଡିଏଲ୍‌ କଲୋନିରେ ଅନୁଷ୍ଠିତ ହୋଇଥିଲା। ଭିଏସ୍‌ଏସ୍‌ ନଗରର ପୋଷ୍ଟାଲ୍‌ କଲୋନି, ଏଏଲ୍‌, ବିଏଲ୍‌, ସିଏଲ୍‌, ଡିଏଲ୍‌, ଏଇ, ଜିଇ, ଜିଏଲ୍‌, ଭିଏମ୍‌, ଏଏମ୍‌, ଜିଏମ୍‌, ମହାବୀର ବସ୍ତି, ତାରିଣୀ ବସ୍ତି ଓ ତ୍ରିନାଥ ବସ୍ତି ଆଦି ଅଞ୍ଚଳର ବାସିନ୍ଦାମାନେ ବୈଠକରେ ସାମିଲ୍‌ ହୋଇ ନିଜ ଅଞ୍ଚଳର ସମସ୍ୟା ବାବଦରେ ଆଲୋଚନା କରିବା ସହ ସମାଧାନ ପାଇଁ ସ୍ୱର ଉଠାଇଥିଲେ।

୧୯୭୬ ମସିହାରୁ ଗଢ଼ି ଉଠିଥିବା ଭିଏସ୍‌ଏସ୍‌ ନଗର ଏବେ ଅନେକ ସମସ୍ୟାରେ ଜର୍ଜରିତ। ତେବେ ସବୁଠୁ ବଳିଯାଇଛି ବାଟ ସମସ୍ୟା। ଭିଏସ୍‌ଏସ୍‌ ନଗରରୁ ବାହାରିବାକୁ ହିଁ ବାଟ ନାହିଁ। ଘେରାବନ୍ଦୀରେ ରହିଛନ୍ତି ଅଞ୍ଚଳବାସୀ। ଭିଏସ୍‌ଏସ୍‌ ନଗରରୁ ନନ୍ଦନକାନନ ରୋଡ୍‌କୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ବର୍ଷର ଦାବି ପରେ ମଧ୍ୟ ଖୋଲିପାରିନି। ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରିକୁ ଲାଗି ରହିଥିବା ଏହି ରାସ୍ତା ପାଇଁ ସମସ୍ତ ଅନୁମୋଦନ ସରିଥିଲେ ମଧ୍ୟ ପ୍ରଶାସନିକ ଆନ୍ତରିକତା ଅଭାବରୁ ରାସ୍ତା ଫିଟିପାରୁନି। ତେଣୁ ଏହି ପାଖଆଖରେ ବାସ କରୁଥିବା ଲୋକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ୁଛି। ସ୍କୁଲ୍‌, କଲେଜ୍‌ ଏବଂ ବଜାରକୁ ଯିବା ଆସିବାଠୁ ନେଇ ଯାତାୟାତ ପାଇଁ ଲକ୍ଷ୍ମୀବିହାର ରାସ୍ତାର ନିତାନ୍ତ ଆବଶ୍ୟକତା ରହିଥିବା କହିଛନ୍ତି ଅଞ୍ଚଳବାସୀ। ଏହା ହୋଇପାରିଲେ କେବଳ ଭିଏସ୍‌ଏସ୍‌ ନଗର ନୁହେଁ, ଗାଡ଼କଣ, ଚକେଇସିହାଣୀ, ଲକ୍ଷ୍ମୀବିହାର ଆଦି ଅଞ୍ଚଳର ୨୦ ହଜାରରୁ ଊର୍ଧ୍ୱ ବାସିନ୍ଦା ଉପକୃତ ହୋଇପାରିବେ। ଏହି ରାସ୍ତା ମଝିରେ ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରି ରହିଥିବାରୁ ଏନେଇ ତୁରନ୍ତ ବିଚାର କରିବା ସହ ତ୍ୱରିତ ପଦକ୍ଷେପ ନେବା ପାଇଁ ଭିଏସ୍‌ଏସ୍‌ ନଗରବାସୀ ଦାବି କରିଛନ୍ତି।

ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସମ୍ପାଦକ ଦିଲ୍ଲୀପ ଦାଶଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଞ୍ଚଳବାସୀ ଏହି ପ୍ରମୁଖ ଦାବି ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଲୁଅ-ପାଣି-ପବନକୁ ସମାନ ଭାବେ ବାଣ୍ଟିବାର ନାଁ ହେଉଛି ସହର। ସଂପ୍ରତି ନିର୍ବାଚନ ସମୟ ଉପନୀତ ହୋଇଥିବାରୁ ନିଜ ଅଞ୍ଚଳର ମୌଳିକ ସମସ୍ୟା ବାବଦରେ ଦାବି କରିବାର ପ୍ରକୃଷ୍ଟ ସମୟ। ଏଥିସହିତ ଏହି ଅଞ୍ଚଳରେ ମନ୍ଦିର ନିକଟରେ ଥିବା ମଦ ଦୋକାନକୁ ହଟାଇବା ସହ ନିଶାଗ୍ରସ୍ତ ଯୁବପିଢ଼ିଙ୍କୁ କିଭଳି ନିଶାଠାରୁ ଦୂରେଇ ରଖାଯାଇପାରିବ ସେ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କର୍ପୋରେଟର ରଶ୍ମିତା ମହାନ୍ତି ବାସିନ୍ଦାଙ୍କଠାରୁ ସମସ୍ତ ସମସ୍ୟା ଶୁଣିବା ପରେ ଏହାର ସମାଧାନ ଦିଗରେ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ବୈଠକରେ ଇଂ ଶିବପ୍ରସାଦ ମିଶ୍ର, ପ୍ରତାପ କୁମାର ନନ୍ଦ, କୈଳାସଚନ୍ଦ୍ର ରଥ, ଶୀତଳଚନ୍ଦ୍ର ମହାନ୍ତି, ନୃସିଂହଚରଣ ତ୍ରିପାଠୀ, ତ୍ରିଲୋଚନ ରଥ, ପୁରଂଜନ ପାଢ଼ୀ, ବିଦ୍ୟାଧର ଦେହୁରୀ, ଶୋଭାକର ଦାସ ଫତେସିଂହ, ନିରୁପମା ପାତ୍ର, ସ୍ମିତା ଜେନା, ଝୁନା ପଟ୍ଟନାୟକ, କ୍ଷୀରୋଦ କୁମାର ସାହୁ, ମଂଜୁବାଳା ହାତୀ, ଆର୍ତତ୍ରାଣ ଦଳାଇ, ପର୍ଶୁରାମ ଦାସ, ବନମାଳୀ ଶତପଥୀ, ନିମାଇଁ ଚରଣ ଦାସ, ନିରଂଜନ ପାତ୍ର, ମୋହନ ହେମ୍ବ୍ରମ୍‌, ରଶ୍ମି ମହାରଣା, ଗୌରୀଶଙ୍କର ପ୍ରହରାଜ, ମହେଶ୍ୱର ବିଶ୍ୱାଳ, ପ୍ରଭାକର ମିଶ୍ର ଓ ପ୍ରତୀକ ପ୍ରମୁଖ ସମସ୍ୟା ସମ୍ପର୍କରେ କହିଥିଲେ। ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ, ଭୁବନେଶ୍ୱରୀ ସେବା ସଂସ୍କୃତି ପରିଷଦ, ସାର୍ବଜନୀନ ଦୁର୍ଗାପୂଜା ସମିତି, ବରିଷ୍ଠ ନାଗରିକ ଫୋରମ୍‌, ନବୋଦୟ ଉନ୍ନୟନ ପରିଷଦ, ଗଡ଼େଶ୍ୱର ହାଟ ବଣିକ ସଂଘର କର୍ମକର୍ତାମାନେ ସହଯୋଗ କରିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ର ମହାନଗର ସଂସ୍କରଣ ମୁଖ୍ୟ ଗୌତମବୁଦ୍ଧ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି କେଶବ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

ଖୋଲା ପଡ଼ିଆ ଏବେ ନିଶାଡ଼ିଙ୍କ ଆଡ଼ା

ଭିଏସ୍‌ଏସ୍‌ ନଗର ପୁଲିସ୍‌ କଲୋନି ପ୍ରାଇଭେଟ୍‌ ପ୍ଲଟ୍‌ ନିକଟ ଖୋଲା ପଡ଼ିଆ ଏବେ ନିଶାଡ଼ିଙ୍କ ଆଡ଼ା ପାଲଟିଛି। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠି ଆଖପାଖରେ ରହୁଥିବା ବହୁ ଯୁବବର୍ଗ ନିଶାରେ ଚୁର୍‌ ହେଉଛନ୍ତି। ଫଳରେ ସେହି ରାସ୍ତା ଦେଇ ଯା ଆସ କରିବା ବେଳେ ଭୟର ବାତାବରଣ ସୃଷ୍ଟି ହେଉଛି। ପୁଲିସର ପାଟ୍ରୋଲିଂ ଗାଡ଼ି ଏ ଅଞ୍ଚଳରେ ବୁଲୁନଥିବାରୁ ନିଶାଡ଼ିଙ୍କ ସଂଖ୍ୟା ବଢ଼ୁଛି। ମଦ, ଗଞ୍ଜେଇ ଭଳି ନିଶା କାରବାର ପାଇଁ ମଧ୍ୟ ଏହା ଏକ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି। ପାଖରେ ପୁଲିସ କଲୋନି, ପ୍ରାଇଭେଟ୍‌ କଲୋନି ଓ ଗୋଜବାୟାଣୀ ବସ୍ତିରେ ଲୋକେ ବସବାସ କରୁଥିଲେ ହେଁ ଘରୁ ବାହାରିଲେ ଅଣନିଶ୍ୱାସୀ ଲାଗୁଛି ବୋଲି ଅନେକ କହିଛନ୍ତି। ତେଣୁ ଏ ଦିଗରେ ପୁଲିସ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଭିଏସ୍‌ଏସ୍‌ ନଗର ମହାଦେବଙ୍କ ମନ୍ଦିର ନିକଟରେ ମଦ ଦୋକାନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ମଦୁଆମାନଙ୍କ ଆଡ଼ା ଜମୁଛି। ତେଣୁ ପୁଲିସ ପେଟ୍ରୋଲିଂ ବଢ଼ାଇବାକୁ ଦାବି ଉଠିଛି।

ଜାଗା ଅଛି, ଫାଣ୍ଡି ହୋଇପାରୁନି

publive-imageସ୍ଥାନୀୟ ଅଞ୍ଚଳରେ ଚେନ୍‌ ଲୁଟେରା ଓ ନିଶା କାରବାର ଯେଉଁ ପରିମାଣରେ ବୃଦ୍ଧି ପାଉଛି ଏଠାରେ ନିହାତି ଏକ ଫାଣ୍ଡିର ଆବଶ୍ୟକତା ରହିଛି। ଲୋକ ପ୍ରତିନିଧିଙ୍କ ସହଯୋଗୀଙ୍କଠୁ ଆରମ୍ଭ କରି ଅନେକ ଲୋକ ଆକ୍ରମଣର ବି ଶିକାର ହୋଇଛନ୍ତି। ତେଣୁ ଆଇନ୍‌ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ଫାଣ୍ଡି ତୁରନ୍ତ କରାଯିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଫାଣ୍ଡି ପାଇଁ ପୁଲିସ୍‌ କଲୋନି ନିକଟରେ ୩ହଜାର ବର୍ଗଫୁଟର ଜାଗା ଯୋଗାଇ ଦିଆଯାଇଛି କିନ୍ତୁ ତାହା ସହରର ମଡେଲ୍‌ ଅନୁଯାୟୀ ଉପଯୁକ୍ତ ହେଉ ନ କାମ ଅଗେଇପାରୁନି। ପ୍ରସ୍ତାବିତ ଜାଗାରେ ଆଉ ୧୨୦୦ ବର୍ଗଫୁଟର ଜାଗା ହେଲେ ଫାଣ୍ଡି ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହା ନିକଟରେ ଆହୁରି ସରକାରୀ ଜମି ଥିବାରୁ ୧୨୦୦ ବର୍ଗଫୁଟ ଜାଗା ପାଇଁ ଫାଣ୍ଡିରୁ ବଞ୍ଚିତ ହେଉଥିବାକୁ ସ୍ଥାନୀୟ ବାସିନ୍ଦା ଦୃଢ଼ ନିନ୍ଦା କରିଛନ୍ତି।

ସ୍ୱେରେଜ ବ୍ୟବସ୍ଥା ସୁଧୁରା ଯାଉ

publive-image୪୦ ବର୍ଷର ପୁରୁଣା ଅଞ୍ଚଳ ହୋଇଥିବା ବେଳେ ଏଠାକାର ଅନେକ ଅଞ୍ଚଳ ହାଉସିଂବୋର୍ଡ ପକ୍ଷରୁ ବଣ୍ଟନ କରାଯାଇଛି। ଆଗ ଅପେକ୍ଷା ଏବେ ଏହି ଅଞ୍ଚଳରେ ଲୋକ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ତେଣୁ ଆଗରୁ ଯେଉଁ ହିସାବରେ ସ୍ୱେରେଜ ବ୍ୟବସ୍ଥା ହୋଇଥିଲା ତାହା ଏତେ ସଂଖ୍ୟକ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରୁନି। ତେଣୁ ଅନେକ ସମୟରେ ସ୍ୱେରେଜ୍‌ ଟାଙ୍କିରୁ ପାଣି ଓଭରଫ୍ଲୋ ହେଉଛି। ଲୋକଙ୍କ ଘରେ ମଧ୍ୟ ମଇଳା ପାଣିର ସ୍ତର ସେଇ ଅନୁପାତରେ ବଢ଼ୁଛି। ତେଣୁ ଏହି ପୁରୁଣା ସ୍ୱେରେଜ୍‌ ସିଷ୍ଟମ୍‌କୁ ପରିବର୍ତନ କରିବା ସହ ଆହୁରି ଗଭୀର କରିବା ଆବଶ୍ୟକ। ଖାଲି ସେତିକି ନୁହେଁ ପୁଲିସ୍‌ କଲୋନି ପାଖ ପ୍ରାଇଭେଟ୍‌ ପ୍ଲଟ୍‌ରେ ପାଖାପାଖି ୫୦ ପରିବାର ରହୁଥିଲେ ହେଁ ସେମାନଙ୍କ ପାଇଁ ସ୍ୱେରେଜ ବ୍ୟବସ୍ଥା ନାହିଁ। ଏନେଇ ଜାଇକାକୁ ବାରମ୍ବାର କୁହାଯିବା ପରେ ଏଠାକାର ମ୍ୟାପ୍‌ ଓ ଡିଜାଇନ୍‌ ପ୍ରସ୍ତୁତ କରାଗଲା। ମାତ୍ର ଆଉ ୭୦୦ ମିଟର ରାସ୍ତାକୁ ସ୍ୱେରେଜ ବ୍ୟବସ୍ଥା ଯୋଗାଇ ଦେବା ବେଳକୁ ଅନୁମତି ନାହିଁ ବୋଲି କହି ଜାଇକା ଏହି ଅଞ୍ଚଳକୁ ଏଡ଼ାଇ ଯିବାକୁ ବସିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍ୱାସ୍ଥ୍ୟ କେନ୍ଦ୍ର ତୁରନ୍ତ ଖୋଲାଯାଉ

publive-imageସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଏସ୍‌ଏସ୍‌ ନଗରରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୨୦ ବର୍ଷ ତଳୁ ଘୋଷଣା ହେଲାଣି। ୨୦୧୨ ମସିହାରୁ ସାଧାରଣ ପ୍ରଶାସନ ବିଭାଗ ଜାଗା ଦେଇଛି। ମାତ୍ର ଏ ପର୍ଯ୍ୟନ୍ତ ଖୋଲି ପାରିନାହିଁ। ନିକଟରେ ଯଦିଓ ଏହା ଶେଷ ହୋଇଛି ତାହା କେବେ ଖୋଲିବ ସେ ନେଇ କିଛି ଖବର ନାହିଁ। ତେଣୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ ନିଯୁକ୍ତ କଲେ ଅନ୍ତତଃ ସ୍ଥାନୀୟ ଅଞ୍ଚଳର ମହିଳା, ବୟୋଜ୍ୟେଷ୍ଠ ଓ ପିଲାମାନେ ତ୍ୱରିତ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ବାସିନ୍ଦାମାନେ କହିଛନ୍ତି। ଏଥିସହିତ ପୋଷ୍ଟ୍‍ଅଫିସ୍‌ ନିଜସ୍ୱ ଘରର ବନ୍ଦୋବସ୍ତ, ଓଭରବ୍ରିଜ୍‌ ନିକଟର ମାଂସ ଦୋକାନକୁ ଅନ୍ୟ ମାର୍କେଟ୍‌ ଭିତରକୁ ସ୍ଥାନାନ୍ତର, ଖେଳ ପଡ଼ିଆର ବ୍ୟବସ୍ଥା, ବିଦ୍ୟୁତ କାଟ୍‌ ଅବ୍ୟବସ୍ଥାକୁ ପ୍ରଶାସନ ସୁଧାରିବାକୁ ଦାବି କରାଯାଇଛି।

ବାଣୀବିହାର ଭୂତଳ ରାସ୍ତା ବ୍ୟବସ୍ଥିତ ହେଉ

publive-imageଭିଏସ୍‌ଏସ୍‌ ନଗରରୁ ସତସଙ୍ଗବିହାର ଦେଇ ବାଣୀବିହାର ରାସ୍ତାକୁ ଅତିକ୍ରମ କରିବା ପାଇଁ ଓଭରବ୍ରିଜ୍‌ ତଳେ ଅଣ୍ଡର୍‌ପାସ୍‌ ରାସ୍ତାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଉପଯୋଗୀ ହୋଇପାରୁନାହିଁ। ମୁଖ୍ୟତଃ ଅଣ୍ଡରପାସ୍‌କୁ ସଂଲଗ୍ନ ରାସ୍ତା ଏକ ଡମ୍ପିଂୟାର୍ଡରେ ପରିଣତ ହୋଇଥିବା ବେଳେ ଅଣ୍ଡରପାସ୍‌ ରାସ୍ତାରେ ଖରା-ବର୍ଷା-ଶୀତ ସବୁକାଳେ ପାଣି ଜମି ରହୁଛି। କାଦୁଅ ପଚପଚ ଯୋଗୁଁ ଚାଲିକରି ଯିବା ମଧ୍ୟ ଉକ୍ତ ରାସ୍ତାରେ ସମ୍ଭବ ହୋଇପାରୁନି। ଅଘୋଷିତ ଡମ୍ପିଂୟାର୍ଡକୁ ହଟାଇବା ପାଇଁ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପାଣି ପାଇପ୍‌ ବଦଳାଯାଉ

ସ୍ଥାନୀୟ ଅଞ୍ଚଳରେ ପିଏଚ୍‌ଡି ପାଣି ମାତ୍ର ଘଣ୍ଟାଏ ପାଇଁ ଆସୁଥିବା ବେଳେ ତାହା ବି ଆବଶ୍ୟକ ମୁତାବକ ଆସୁନାହିଁ। ତେଣୁ ପିଏଚ୍‌ଡି ପାଇପ୍‌ ଲାଇନ୍‌ର ବ୍ୟବସ୍ଥା ଥାଇ ମଧ୍ୟ କିଛି ଲାଭ ହେଉନାହିଁ। ଏଣେ ଅଞ୍ଚଳର ଲୋକ ସଂଖ୍ୟା ବଢ଼ିବା ପରେ ପାଣିର ଆବଶ୍ୟକତା ବଢ଼ି ଯାଇଥିବା ବେଳେ ପୁରୁଣା ପାଇପ୍‌ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। ତେଣୁ ପୁରୁଣା ପାଇପ୍‌ ହଟାଇ ମୋଟା ପାଇପ୍‌ ଲାଇନ୍‌ ସଂଯୋଗ ହେବା ଆବଶ୍ୟକ। କିଛି ସ୍ଥାନରେ ନୂଆ ପାଇପ୍‌ ପଡ଼ିଥିଲେ ହେଁ ଆହୁରି ଅନେକ ସ୍ଥାନରେ ଏହା ହୋଇପାରିନି। ୬ମାସ ପୂର୍ବରୁ ୧୨୦୦ ମିଟର ପାଇପ୍‌ ଲାଇନ୍‌ ପଡ଼ିବ ବୋଲି ଶୁଭ ଦିଆଯାଇଥିଲେ ମଧ୍ୟ ତାହା ଏଯାବତ୍‌ ପଡ଼ି ପାରିନାହିଁ। ତେଣୁ ଏଥିପ୍ରତି ସରକାର ଧ୍ୟାନ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ପାଣିରେ ଗାଧୋଇଲେ କୁଣ୍ଡେଇ ହେଉଛି

ମହାବୀର ବସ୍ତିରେ ପିଇବା ପାଣି ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ବସ୍ତି ମଧ୍ୟରେ ପିଏଚ୍‌ଡି ପାଣି ଲାଇନ୍‌ର ବ୍ୟବସ୍ଥା ନଥିବାରୁ ଢିଙ୍କିଆ କଳ ଉପରେ ବସ୍ତି ବାସିନ୍ଦା ନିର୍ଭରଶୀଳ। ମାତ୍ର ଏହି କଳରୁ ଆସୁଥିବା ପାଣିରେ ଗାଧୋଇଲେ ଦେହ କୁଣ୍ଡେଇ ହେଉଛି। ବସ୍ତି ମଧ୍ୟରେ ନାଳଟିଏ ମଧ୍ୟ ନାହିଁ। ତେଣୁ ବସ୍ତିରେ ବର୍ଷାଦିନେ ଯା ଆସ କରିବାରେ ବହୁ ସମସ୍ୟା ହେଉଛି। ଏମିତିକି ପାଣି ଘରେ ଭିତରେ ପଶିଯିବାରୁ ଘରେ ରହି ହେଉନି।

ସିଟି ବସ୍‌ ପାଇଁ ଦେଢ଼ ଘଣ୍ଟା

publive-imageନେତା, ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେବା ବେଳେ ବାଟୁଳି ବାଜୁନି। କିନ୍ତୁ ତାହା ପୂରଣ ବେଳକୁ କାହାର ଦେଖା ମିଳୁନି। ସିଟି ବସ୍‌ ଚଳାଚଳ ଆରମ୍ଭ ହେବା ସମୟରେ ପ୍ରତି ୧୫ ମିନିଟ୍‌ରେ ସିଟି ବସ୍‌ ସୁବିଧା ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ଏବେ ଦେଢ଼ ଘଣ୍ଟା ଅପେକ୍ଷା କଲେ ଯାଇଁ ବସ୍‌ ମିଳୁଛି। ଏମିତିରେ ଏମ୍‌ସ, ଓମ୍‌ଫେଡ୍‌ ଛକ କି ୬ ନଂ ମେଡିକାଲ୍‌କୁ ଯିବାକୁ ହେଲେ ୩ ଥର ବସ୍‌ ବଦଳାଇ ଯିବାକୁ ପଡ଼ୁଛି।

ଲେବଲ୍‌ କ୍ରସିଂରେ କଲବଲ

publive-imageଏହି ଅଞ୍ଚଳରେ ସୁବ୍ୟବସ୍ଥିତ ମାର୍କେଟ୍‌ ଏଯାଏଁ ହୋଇପାରିନାହିଁ। ଫଳରେ ଲେବଲ କ୍ରସିଂ ନିକଟରେ ଯେଉଁ ମାର୍କେଟ୍‌ ରହିଛି ମାର୍କେଟିଂ ବେଳେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ପ୍ରଥମତଃ ପାର୍କିଂ ପାଇଁ ବ୍ୟବସ୍ଥା ନଥିବାରୁ ବଜାରକୁ ଯିବା ଆଗରୁ ଚିନ୍ତା ଘାରୁଛି। ପୁଣି ସୋମବାର, ବୁଧବାର ଓ ଶୁକ୍ରବାର ହାଟ ପାଳିରେ ଭିଡ଼ ଏତେ ହେଉଛି ଯେ ନିକଟରେ ଥିବା ଲେବଲ୍‌ କ୍ରସିଂ ପାରି ହେବାକୁ କାଠିକର ପାଠ ହେଉଛି। ବେଳେବେଳେ ଲେବଲ୍‌ କ୍ରସିଂ ପାର୍‌ ହେବାକୁ ୨୦ ମିନିଟ୍‌ ଲାଗି ଯାଉଛି। ଏଠାରେ ଫ୍ଲାଏଓଭର ହେଉ ନଚେତ୍‌ ଟ୍ରାଫିକ୍‌ ମୁତୟନ କରାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe