ଉଲ୍‌କାମାଡ଼ରୁ ବିଶାଳ ଗର୍ତ୍ତ

Advertisment
ଉଲ୍‌କାମାଡ଼ରୁ ବିଶାଳ ଗର୍ତ୍ତ

ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ପୃଥିବୀ ନିରୀକ୍ଷଣ ଉପଗ୍ରହ ‘ଲ୍ୟାଣ୍ଡସାଟ୍‌-୮’ ନିକଟରେ ଗୁଜରାଟର କଚ୍ଛ ଅଞ୍ଚଳରେ ଏକ ବିଶାଳ ଗର୍ତ୍ତ ଠାବ କରିଛି। ଅନେକ ବିଶ୍ଳେଷଣ ପରେ ତାହା ଉଲ୍‌କାମାଡ଼ ଜନିତ ଗର୍ତ୍ତ ବୋଲି ସ୍ପଷ୍ଟ ହୋଇଛି।
ଗୁଜରାଟର ବାନ୍ନି ସମତଳ ତୃଣଭୂମିରେ ଗତ ଫେବ୍ରୁଆରି ୨୪ରେ ‘ଲୁନା’ ନାମକ ଏହି ଗର୍ତ୍ତ ଠାବ ହୋଇଛି ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ସେହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଉତ୍ତର ପଶ୍ଚିମ ଭାରତର କଚ୍ଛ ଜିଲ୍ଲାରେ ଏକ ବିଶାଳ ମରୁଭୂମି ରହିଛି ଯେଉଁଠି ରଙ୍ଗିନ ଆୟତାକାର ପୋଖରିମାନଙ୍କରେ ଆରବସାଗର ଜଳରୁ ଲୁଣ ଅମଳ କରାଯାଉଛି। ଏହି ନିମ୍ନ ଅଞ୍ଚଳର ଅଧିକାଂଶ ଭାଗ ବର୍ଷ ସାରା ଜଳମଗ୍ନ ହୋଇ ରହିଥାଏ। ଏପରିକି ‘ଲୁନା’ର କିଛି ଅଂଶ ମଧ୍ୟ ବୁଡ଼ି ରହିଥାଏ। ତେବେ ୨୦୨୨ ମେ’ରେ ତାହା ଶୁଖିଲା ପଡ଼ିଥିବା ବେଳେ ସେଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା କରାଯାଇଥିଲା। ପ୍ରାୟ ୬,୯୦୦ ବର୍ଷ ତଳେ ସେଠାରେ ଉଲ୍‌କାମାଡ଼ ହୋଇଥିବା କଥା ତେଜସ୍କ୍ରିୟ-ଅଙ୍ଗାର ଆୟୁ ନିରୂପଣ ପଦ୍ଧତିରୁ ଜଣାଯାଇଛି। ପ୍ରାଚୀନ ହରପ୍ପା ବସତି ପାଖାପାଖି ଇଲାକାରେ ଉକ୍ତ ‘ଲୁନା’ ଗର୍ତ୍ତକୁ ଠାବ କରାଯାଇଥିବା ବେଳେ ଏହି ଉଲ୍‌କାମାଡ଼ ବେଳକୁ ସେଠାରେ ଜନବସତି ସ୍ଥାପନ ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

‘ଲୁନା’ ଗର୍ତ୍ତର ନାମକରଣ ତାହା ଠାବ ହୋଇଥିବା ନିକଟ ଏକ ଗାଁର ନାମ ଅନୁସାରେ କରାଯାଇଛି। ପ୍ରାୟ ୧.୮ କି.ମି. ବା ୧.୧ ମାଇଲ୍‌ ଓସାରର ଏହି ଗର୍ତ୍ତର କେନ୍ଦ୍ରୀୟ ଗଭୀରତା ୬ ମିଟର ବା ୨୦ ଫୁଟ ରହିଛି। ସାଧାରଣତଃ ଭୂପୃଷ୍ଠରେ ଏପରି ଉଲ୍‌କାମାଡ଼ ଜନିତ ଗର୍ତ୍ତ ସୃଷ୍ଟିହେବା କ୍ବଚିତ୍‌ ଦେଖାଦେଇଥାଏ ଏବଂ ବିଶ୍ବବ୍ୟାପୀ ଏପରି ୨୦୦ରୁ କମ୍‌ ଘଟଣା ଲୋକଲୋଚନକୁ ଆସିଛି। ସେଥି ମଧ୍ୟରୁ କିଛି ବୃହତ୍‌ ଖଣ୍ଡ ମଧ୍ୟ ବାୟୁମଣ୍ଡଳକୁ ଅତିକ୍ରମ କରି ଭୂପୃଷ୍ଠଗାମୀ ହେଲା ବେଳେ ପୃଥିବୀର ବୃହଦାଞ୍ଚଳ ଜଳଭାଗରେ ବିଲୀନ ହୋଇଥାଏ। ସେହିପରି ଭୂପୃଷ୍ଠରେ କିଛି ଉଲ୍‌କାମାଡ଼ର ଚିହ୍ନ ମଧ୍ୟ ପବନ, ପାଣି ଓ ଟେକ୍ଟୋନିକ ପ୍ଲେଟ୍‌ ପରି ପ୍ରାକୃତିକ ବଳ ଦ୍ବାରା ଲିଭିଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe