ଖଣ୍ଡଗିରି: ତମାଣ୍ଡୋ ବଜାର ଆମିଷ ହାଟ ଜାତୀୟ ରାଜପଥର ସର୍ଭିସ୍ ରୋଡ୍ ଉପରେ ବସୁଥିବାରୁ ଟ୍ରାଫିକ୍ ଜାମ୍ ଏକ ନିତିଦିନିଆ ସମସ୍ୟା ହୋଇଯାଇଛି। ପ୍ରାୟ ୨୫ରୁ ୩୦ ମାଛ ବେପାରୀ ସର୍ଭିସ୍ ରୋଡ୍ର ଫୁଟ୍ପାଥ ଉପରେ ବସୁଥିବା ବେଳେ ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ରଖି କିଣାକିଣି କରୁଛନ୍ତି। ଫଳରେ ସ୍ବାଭାବିକ ଭାବେ ରାସ୍ତା ସଙ୍କୁଚିତ ହୋଇଯାଉଛି। ଅନ୍ୟ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ରବିବାର, ବୁଧବାର ଓ ଶୁକ୍ରବାର ଏଠାରେ ଟ୍ରାଫିକ୍ ଭିଡ଼ ଅସମ୍ଭାଳ ହୋଇପଡ଼ୁଛି। ସେହିଭଳି ରାସ୍ତା କଡ଼ରେ ଆମିଷ ହାଟର ଆବର୍ଜନା ଗନ୍ଧ ଆହୁରି କଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି।
ତମାଣ୍ଡୋ ବଜାରର ଏହି ସମସ୍ୟା ଆଜିର ନୁହେଁ। ଏହି ସମସ୍ୟାର ସମାଧାନ ପାଇଁ ୨୦୧୭-୧୮ ମସିହାରେ ପଞ୍ଚାୟତ ତରଫରୁ ଏକ ଆମିଷ ହାଟ ନିର୍ମାଣ କରାଯାଇଥିଲା। ୨ ଲକ୍ଷ ୩୧ ହଜାର ଟଙ୍କା ଖର୍ଚ୍ଚରେ ଏହି ପିଣ୍ଡି ତିଆରି ହୋଇଥିଲା। ବେପାରୀମାନଙ୍କ ସୁବିଧା ଦୃଷ୍ଟିରୁ ସେଠାରେ ନଳକୂପ ଖନନ କରାଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଗଲା। ମାତ୍ର ବେପାରୀମାନେ ସେଠାକୁ ଗଲେ ନାହିଁ। ରାସ୍ତା କଡ଼ ବେପାର ଭଲ ହେଉଥିବାରୁ ସେମାନେ ବଜାରର ଅନତି ଦୂରରେ ନିର୍ମାଣ ହୋଇଥିବା ପିଣ୍ଡିକୁ ମଧ୍ୟ ଗଲେ ନାହିଁ। ଫଳରେ ନିର୍ମାଣ ହେବା ପରଠୁ ପିଣ୍ଡି ସେମିତି ଫାଙ୍କା ପଡ଼ିଲା। ପଞ୍ଚାୟତ ପିଣ୍ଡି ନିର୍ମାଣ କଲା ସିନା ବେପାରୀମାନଙ୍କୁ ସେଠାକୁ ଯିବାକୁ ବାଧ୍ୟ କରିପାରିଲା ନାହିଁ। ଫଳରେ ପଞ୍ଚାୟତ ଯେଉଁ ଲାଭ ଆଶାରେ ପିଣ୍ଡି କରିଥିଲା, ତାହା ହେଲାନାହିଁ।
ନା ବଜାରରୁ ଭିଡ଼ ହଟିଲା ନା ପଞ୍ଚାୟତର ଆୟ ବଢ଼ିଲା। ବରଂ ପଞ୍ଚାୟତ ଯେଉଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କଲା, ତାହା ପାଣିରେ ପଡ଼ିଲା। ଏବେ ଏହି ଜମିକୁ କ୍ରୀଡ଼ା ଏକାଡେମି ନେଇଯାଇଛି। ପିଣ୍ଡି ଜମି ଫାଙ୍କା ପଡ଼ିଥିଲେ ବି ଭୁବନେଶ୍ବର ତହସିଲ କର୍ତ୍ତୃପକ୍ଷ ପିଣ୍ଡି ଜମି ଅଧିଗ୍ରହଣ ହୋଇଛି ବୋଲି ପଞ୍ଚାୟତକୁ ଜଣାଇ ସାରିଛନ୍ତି। ତେଣୁ ଆଉ ସେଠାକୁ ମାଛ ହାଟ ଉଠିବା ସମ୍ଭାବନା ନାହିଁ। ଏଣେ ମାଛ ହାଟର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କଳିଙ୍ଗନଗର ଭଳି ଜନବହୁଳ ଅଞ୍ଚଳ ସହ ମଦନପୁର, ଯାଁଳା, ପାତ୍ରପଡ଼ା, ନଁପୁଟ ଆଦି ଅଞ୍ଚଳର ହଜାର ହଜାର ଲୋକ ଏହି ହାଟକୁ ଆସୁଛନ୍ତି। ପ୍ରତି ହାଟ ପାଳିରେ କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ବିକ୍ରି ହେଉଛି।
ରାସ୍ତା ଉପରେ ମାଛ ହାଟ ଆବର୍ଜନା ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସେହିଭଳି ସକାଳୁ ପୂର୍ବାହ୍ଣ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ସର୍ଭିସ୍ ରୋଡ୍ରେ ପ୍ରବଳ ଭିଡ଼ ଜମୁଛି। ଆମ୍ବୁଲାନ୍ସକୁ ବି ବାଟ ମିଳୁନି। ଏ ସମ୍ପର୍କରେ ତମାଣ୍ଡୋ ସରପଞ୍ଚ ସନ୍ଧ୍ୟା ଜେନାଙ୍କ କହିବା କଥା ଖେଳ ଏକାଡେମି ପିଣ୍ଡି ଜମି ଅଧିଗ୍ରହଣ କରିବା ପରେ ଆଉ ସେଠାରେ ହାଟ ବସିପାରିବ ନାହିଁ। ତେଣୁ ଏହି ପିଣ୍ଡି ପାଇଁ ଅନ୍ୟ ଏକ ଜାଗା ଖୋଜା ଚାଲିଛି। ଏହି ସର୍ଭିସ୍ ରୋଡ୍ର ଅପରପାର୍ଶ୍ବରେ ମାଛ ମାର୍କେଟ ପାଇଁ ଜମି ରହିଛି ଓ ସେଠାରେ ପିଣ୍ଡି କରିବାକୁ ଯୋଜନା ଚାଲିଛି।
Follow Us