ଏବେ ବି ଏକ୍‌ମୋରେ ଅମ୍ରିତ ଓ ଅଭିଷେକ, ଶୁଭେଚ୍ଛା ଓ ସହଯୋଗ ଆଶାରେ ଦୁଇ ପରିବାର

Advertisment
ଏବେ ବି ଏକ୍‌ମୋରେ ଅମ୍ରିତ ଓ ଅଭିଷେକ, ଶୁଭେଚ୍ଛା ଓ ସହଯୋଗ ଆଶାରେ ଦୁଇ ପରିବାର

ଭୁବନେଶ୍ବର: ଏକ୍‌ମୋ ଚିକିତ୍ସା ସେବା ପାଇଁ ଭୁବନେଶ୍ବରରୁ ଏୟାର୍‌ ଲିଫ୍‌ଟ ହୋଇଥିବା ଦୁଇ କୋଭିଡ୍‌ ପୀଡ଼ିତ ଅମ୍ରିତ ପ୍ରଧାନ ଓ ଅଭିଷେକ ମହାପାତ୍ରଙ୍କ ସ୍ବାସ୍ଥାବସ୍ଥା ଏବେ ବି ଭଲ ନାହିଁ। ବର୍ତ୍ତମାନ ବି ଦୁଇ ଜଣଯାକ ଏକ୍‌ମୋ ସପୋର୍ଟରେ ଅଛନ୍ତି। ଅମ୍ରିତ୍‌ଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ ଆବଶ୍ୟକ ହେଉଥିବା ବେଳେ ଅଭିଷେକଙ୍କ ଅବସ୍ଥା ସାମାନ୍ୟ ସ୍ଥିର ରହିଛି। ତେବେ ତାଙ୍କଠାରେ ରକ୍ତ ସଂକ୍ରମଣ ଦେଖାଦେଇଛି। ଏମିତି ଅବସ୍ଥାରେ ଅମ୍ରିତ୍‌ଙ୍କ ପାଇଁ ଆହୁରି ଅଧିକ ଅର୍ଥ ଆବଶ୍ୟକ ପଡ଼ୁଥିବା ବେଳେ ଅଭିଷେକଙ୍କ ପାଇଁ ଲୋକଙ୍କ ଶୁଭେଚ୍ଛା ଦରକାର ବୋଲି ଦୁଇ ପରିବାର ପକ୍ଷରୁ ସୂଚନା ମିଳିଛି।

ଅମ୍ରିତ୍‌ ଚେନ୍ନାଇ ଆପୋଲୋରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ଫୁସ୍‌ଫୁସ୍ ସଂକ୍ରମଣ ସମାନ୍ୟ ବଢ଼ିଛି। ତେଣୁ ମାସକ ଭିତରେ ଫୁସ୍‌ଫୁସ୍ ପ୍ରତିରୋପଣ କରିବା ପାଇଁ ଡାକ୍ତରମାନେ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ଅର୍ଥ ସମସ୍ୟା ହେବ ବୋଲି ପରିବାର ପକ୍ଷରୁ ଆଶଙ୍କା କରାଯାଇଛି। ସୂଚନାଯୋଗ୍ୟ ଏହା ଭିତରେ ଅମ୍ରିତ୍‌ଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏମିତିକି ତାଙ୍କୁ ଭେଣ୍ଟିଲେଟରରୁ ମଧ୍ୟ ଅଲଗା ରଖାଯାଇଥିଲା। ଫୁସ୍‌ଫୁସ୍ ସଂକ୍ରମଣ କମୁଥିଲା। ମାତ୍ର ଦୁଇ ଦିନ ହେଲା ତାଙ୍କ ସଂକ୍ରମଣ ଟିକେ ବଢ଼ିଛି। ଏନେ ଦିନକୁ ୪ରୁ ୬ଲିଟର ଅମ୍ଳଜାନ ଦିଆଯାଉଛି ଓ ଏକ୍‌ମୋରେ ଅଛନ୍ତି। ତେବେ ଡାକ୍ତରମାନଙ୍କ ସୂଚନାନୁସାରେ ମାସକ ଭିତରେ ଫୁସ୍‌ଫୁସ୍‌ ସଂକ୍ରମଣ ନ କମିଲେ, ପ୍ରତିରୋପଣ ନିଶ୍ଚୟ ହେବ। ପରିବାର ପକ୍ଷରୁ ମିଳିଥିବା

ସୂଚନାନୁସାରେ ମିଲାପ୍‌ ଫଣ୍ଡ୍‌ରେଜର୍‌ ମାଧ୍ୟମରେ ତାଙ୍କୁ ୧କୋଟି ୪ ଲକ୍ଷ ୪୮ହଜାର ଟଙ୍କା ଓ ଅନ୍‌ଲାଇନ୍‌ ପେମେଣ୍ଟ ମାଧ୍ୟମରେ ୧୩ଲକ୍ଷ ଟଙ୍କା ମିଳିଛି। ଏୟାର୍‌ ଲିଫ୍‌ଟଠାରୁ ଆରମ୍ଭ କରି ମୋଟ ୧କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ତେଣୁ ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ଆହୁରି ଅଧିକ ଅର୍ଥ ଦରକାର ପଡ଼ିବାକୁ ଥିବାରୁ ଚିନ୍ତାରେ ଅଛନ୍ତି ପରିବାର। ତେଣୁ ସହାୟତା କରିବାକୁ ଚାହୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନେ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର- ୨୦୦୫୮୬୭୮୭୪୧, (ଆଇଏଫ୍‌ଏସ୍‌ସି କୋର୍ଡ-ଏସ୍‌ବିଆଇଏନ୍୦୦୦୫୪୫୭, ଶାଖା-ଖୋଡ଼ାସିଂ)ରେ ଅର୍ଥ ପଠାଇବାକୁ ମନୀଷା ପ୍ରଧାନ ଆକୁଳ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ କୋଲକାତାରେ ଚିକିତ୍ସିତ ହେଉଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର ଦୀର୍ଘ ଦିନ ହେବ ଏକ୍‌ମୋ ମେସିନ୍ ସପୋର୍ଟରେ ଅଛନ୍ତି। କିଛି ଦିନ ତଳେ ତାଙ୍କ ଫୁସ୍‌ଫୁସ୍‌ରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ ଗତ ୩ ଦିନ ହେବ ପୁଣି ରକ୍ତ ସଂକ୍ରମଣ ଦେଖାଦେଇଛି। ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ଓଡ଼ିଶାବାସୀଙ୍କ ସହଯୋଗ ଯୋଗୁଁ ମହଜୁଦ ଅଛି ବୋ‌ଲି ଅଭିଷେକଙ୍କ ଭାଇ ରାକେଶ କହିଛନ୍ତି। ବର୍ତ୍ତମାନ ପ୍ରତିଦିନ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଅର୍ଥ ସହଯୋଗ କରିଥିବା ସମସ୍ତଙ୍କୁ ତାଙ୍କ ପତ୍ନୀ ମୌସୁମୀ କୃତଜ୍ଞତା ଜଣାଇଛନ୍ତି ଓ ଏବେ କେବଳ ସମସ୍ତଙ୍କ ଶୁଭେଚ୍ଛା ହିଁ ତାଙ୍କ ପାଖକୁ ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe